ଧନୀ ତାଲିକାରେ ତଳକୁ ତଳ ଖସୁଛନ୍ତି ଗୌତମ ଆଦାନୀ । ଟପ୍ ୧୦ ଲିଷ୍ଟରୁ ବାହାରି, ଏବେ ୧୧ ନମ୍ବର ସ୍ଥାନରେ ।

3,144

କନକ ବ୍ୟୁରୋ: ବିଶ୍ୱର ଧନୀ ତାଲିକାରେ ତଳକୁ ତଳ ଖସୁଛନ୍ତି ଗୌତମ ଆଦାନୀ । ଦୁଇ ଦିନ ପୂର୍ବରୁ ଆଦାନୀ ୩ ନମ୍ବର ସ୍ଥାନରୁ ୭ ନମ୍ବର ପରେ ୮ ନମ୍ବର ସ୍ଥାନ ଆଉ ଏବେ ୧୦ଜଣ ସର୍ବଶ୍ରେଷ୍ଠ ଧନୀ ତାଲିକାରୁ ବାଦ୍ ପଡିଛନ୍ତି । ମଙ୍ଗଳବାର ଗୌତମ ଆଦନୀ ୧୧ ନମ୍ବର ସ୍ଥାନକୁ ଖସି ଆସିଥିବା ଜଣାପଡିଛି । ଆଦାନୀଙ୍କ ହଜାର ହଜାର କୋଟି ଟଙ୍କାର କ୍ଷତି ହେବା ସହ ସେୟାର ମୂଲ୍ୟ ମଧ୍ୟ ଖସୁଛି । ବୁଲମର୍ଗ ରିପୋର୍ଟ ଅନୁସାରେ ୭ଦିନ ଭିତରେ ଆଦାନୀଙ୍କ ମୋଟ ସମ୍ପତିରେ ୮୪.୦୪ ଅରବ ଡଲାର ହ୍ରାସ ପାଇଛି । ଆଦାନୀ ଗ୍ରୁପର ମୁଖ୍ୟ ୭ଟି କମ୍ପାନୀ ସେୟାରରେ ବେଶ ହ୍ରାସ ହୋଇଛି ।

ଆଦାନୀ ପୋର୍ଟ, ୱିଲମର, ଗ୍ରୀନ ଏନର୍ଜି, ଟୋଟାଲ ଗ୍ୟାସ ଭଳି କମ୍ପାନୀ ଅବସ୍ଥା ଖରାପ ହେବାରେ ଲାଗିଛି । ବୁଲମର୍ଗ ରିପୋର୍ଟ ଅନୁସାରେ ଏବେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀଙ୍କ ମଧ୍ୟରେ ଜଣେ ବି ଭରତୀୟ ନାହାଁନ୍ତି । ଗୌତମ ଆଦାନୀ ୧୧ ନମ୍ବର ସ୍ଥାନରେ ଥିବବେଳେ ମୁକେଶ ଅମ୍ବାନୀ ୧୨ ନମ୍ବର ସ୍ଥାନରେ ରହିଛନ୍ତି । ଆମେରିକା ରିସର୍ଚ୍ଚ ଫର୍ମ ହିଣ୍ଡନବର୍ଗର ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ଗ୍ରୁପର ସମସ୍ୟା ବଢିବାରେ ଲାଗିଛି ।

ଏହି ରିପୋର୍ଟରେ କୁହାଯାଇଥିଲା କି ସେୟାର ପ୍ରାଇସରେ ହେରଫେର, ସେଲ୍ କମ୍ପାନୀରେ କାରବାର, ଆକାଉଣ୍ଟରେ ଅନିୟମିତତା କରିଛି । ଅସାଧୁ ଉପାୟରେ ଷ୍ଟକ ମୂଲ୍ୟରେ ବୃଦ୍ଧି ଘଟାଇ ୩ବର୍ଷ ଭିତରେ ୧୨୦ ବିଲିୟନ ଡଲାର ଠୁଳ କରିଛି ଆଦାନୀ ଗ୍ରୁପ୍ । ପୁଞ୍ଜିବଜାରରେ ଆଦାନୀ ଗ୍ରୁପର ୭ଟି କମ୍ପାନୀର ସେୟାର ୩ ବର୍ଷରେ ହାରାହାରି ୮ଶହ ପ୍ରତିଶତ ବୃଦ୍ଧି ପାଇଛି । ଷ୍ଟକ ଓ ଆକାଉଣ୍ଟରେ ବ୍ୟାପକ କାରସାଦି କରାଯାଇଥିବା ଅଭିଯୋଗ ଥିବା ରିପୋର୍ଟରେ କୁହାଯାଇଥିଲା ।