ବିହାର ରାଜ୍ୟ ରାଜନୀତିରେ ହଟଚମଟ । ରଣହୁଙ୍କାର ଦେଲେ ଉପନ୍ଦ୍ରେ କୁଶୱା । କହିଲେ ପଦବୀ ନାଁରେ ଭୂଆଁ ବୁଲାଉଛନ୍ତି ନୀତୀଶ କୁମାର ।

257

କନକ ବ୍ୟୁରୋ: ବିହାରରେ ଚାଲିଛି ନୀତୀଶ କୁମାର ବନାମ ଉପେନ୍ଦ୍ର କୁଶୱା । ଦଳୀୟ କନ୍ଦଳ ହାଟରେ ପଡି ଘାଟରେ ଗଡିବା ଭଳି ଏବେ ଚର୍ଚ୍ଚାରେ ରହିଛି ଏମାନଙ୍କ ବୟାନ । ସାମ୍ବାଦିକ ସମ୍ମିଳନୀ କରି ଉପେନ୍ଦ୍ର କୁଶୱା ନୀତୀଶ କୁମାରଙ୍କ ଉପରେ ଅଭିଯୋଗ ଆଣିଛନ୍ତି । କୁଶୱା କହିଛନ୍ତି ବଡ ପଦବୀ ଦେବା ନାଁରେ ନୀତୀଶ ତାଙ୍କୁ ଠକିଛନ୍ତି, ତାଙ୍କ ହାତରୁ ପାୱାର ନେଇ ଖେଳନା ଭାବେ ସଜେଇଛନ୍ତି । ତେଣୁ ତାଙ୍କୁ ଉପଯୁକ୍ତ ସମ୍ମାନ ଓ ଅଧିକାର ନିଳିବା ପର୍ଯ୍ୟନ୍ତ ସେ ଦଳ ଛାଡିବେନି ବୋଲି ସଫା ସଫା ଶଦ୍ଧରେ କହିଛନ୍ତି ।

  • ସରଗରମ ବିହାର ରାଜନୀତି
  • ନୀତୀଶ କୁମାର ବନାମ ଉପେନ୍ଦ୍ର କୁଶୱା

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ଖୋଲାଖୋଲି ରଣହୁଙ୍କାର ଦେଇଛନ୍ତି ଜେଡିୟରୁ ହେଭିୱେଟ ନେତା ତଥା ବିହାର ଜେଡିୟୁର ସଂସଦୀୟ ବୋର୍ଡର ଅଧ୍ୟକ୍ଷ ଉପେନ୍ଦ୍ର କୁଶୱା । ମାରଥନ ପ୍ରେସମିଟ କରି ନୀତୀଶ ଓ ଜେଡିୟୁର ଅନେକ ନେତାଙ୍କୁ ଟାର୍ଗେଟ କରୁଥିବା କୁଶୱା ମଙ୍ଗଳବାର ପୁଣି ଥରେ ତେରଛା ବାଣ ମାରିଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ଦଳର ମୁଖିଆ ନୀତୀଶ କୁମାରଙ୍କ ଉପରେ ଗୋଟେ ପରେ ଗୋଟେ ଗମ୍ଭୀର ଅଭିଯୋଗ ଆଣିଛନ୍ତି ଉପେନ୍ଦ୍ର କୁଶୱା….

ନୀତୀଶ ଉପରେ କୁଶୱାଙ୍କ ଅଭିଯୋଗ

  • ନୀତୀଶ କେବଳ ସଂସଦୀୟ ବୋର୍ଡ ଅଧ୍ୟକ୍ଷ ପଦ ଦେଇ ମୋ ମୁହଁ ଚୁପ୍ କରି ରଖିଛନ୍ତି
  • ପଦ ଦେଇଛନ୍ତି ଅଥଚ ନିଷ୍ପତି ଅଧିକାର ଛଡାଇ ନେଇଛନ୍ତି
  • କୌଣସି ନିର୍ବାଚନ ଓ ନିଷ୍ପତିରେ ମୋର ମତାମତ ଲୋଡାଯାଉନି
  • ମୋ କଥାକୁ ଶୁଣୁନି ଜେଡିୟୁ
  • ବଡ ପଦ ଦେବା ପ୍ରତିଶ୍ରୁତି ଦେଇ ମୋ ହାତରେ ଲଲିପପ୍ ଧରାଇଛନ୍ତି ନୀତୀଶ
  • ମୋତେ ମୋ ଅଧିକାର ଦରକାର

ସାମ୍ବାଦିକ ସମ୍ମିଳନୀ ସଫା ସଫା ଶଦ୍ଧରେ କୁଶୱା କହିଛନ୍ତି ସେ କୌଣସି ପଦ ପଦବୀ ପାଇଁ ଚିନ୍ତିତ ନୁହେଁ । ନୀତୀଶଙ୍କ କଥା ମାନି ସେ କେନ୍ଦ୍ର ମନ୍ତ୍ରୀ ପଦ ଛାଡିଥିଲେ । ବର୍ତ୍ତମାନ ତାଙ୍କୁ ନ୍ୟାୟ ମିଳୁ । ଯୋଗ୍ୟତା ଅନୁସାରେ ପଦ ଓ ସମ୍ମାନ ମିଳୁ । ଏଥିସହ ସେ କହିଛନ୍ତି କି କୌଣସି ପରିସ୍ଥିତିରେ ଦଳ ଛାଡିବେ ନାହିଁ । ନୀତୀଶ ତାଙ୍କ ସହ ବୈଠକ କରି ସମସ୍ୟାର ସମାଧାନ କରୁନ୍ତୁ ବୋଲି କୁଶୱା କହିଛନ୍ତି ।

ଆଗାମୀ ନିର୍ବାଚନରେ ତେଜସ୍ୱୀ ଯାଦବ ନେତୃତ୍ୱରେ ଦଳ ନିର୍ବାଚନ ଲଢିବ ବୋଲି ଘୋଷଣା କରିସାରିଛି । ଘୋଷଣା ପରଠୁ ନୀତୀଶ ଓ ଉପେନ୍ଦ୍ରଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଛି । କୁହାଯାଉଛି ଉପେନ୍ଦ୍ର କୁଶୱା ହେଉଛନ୍ତି ଅସନ୍ତୋଷ ନେତାଙ୍କ ସ୍ୱର ଭାବେ ନୀତୀଶଙ୍କ ସମ୍ମୁଖରେ ଛିଡା ହୋଇଛନ୍ତି । ଜେଡିୟୁ ଓ ଆରଜେଡି ମଧ୍ୟରେ ସିକ୍ରେଟ ଡିଲ ହୋଇଥିବା ଅଭିଯୋଗ ଆଣୁଛନ୍ତି ଉପେନ୍ଦ୍ର କୁଶୱା । ଏଥିସହ କୁଶୱା କହିଥିଲେ ବିହାର ଜେଡିୟୁର ଅନେକ ବଡ ନେତା ବିଜେପି ସହିତ ଯୋଗାଯୋଗରେ ଅଛନ୍ତି । ସେପଟେ ସବୁ କଥାକୁ ଆଡେଇ ଦେଇ ନୀତିଶ କେବଳ ଗୋଟେ କଥା କହିଥିଲେ ଯାହାର ଇଚ୍ଛା ଅଛି ସେ ଦଳରେ ରୁହନ୍ତୁ ବା ଚାଲି ଯାଆନ୍ତୁ । ଦଳକୁ କିଛି ଫରକ ପଡିବନି ।

ଏକଥା ମଧ୍ୟ ଚର୍ଚ୍ଚା ହେଉଛି କି ଆରଜେଡି ସହ ଜେଡିୟୁ ମତାନ୍ତର ଚାଲିଛି । ତେଣୁ ବିଜେପି ସହ ପୁଣି ଥରେ ନୀତୀଶ ମିଶିପାରନ୍ତି । ତେବେ ଚର୍ଚ୍ଚାକୁ ଫିକା କରିଛି ନୀତିଶଙ୍କ ଗୋଟିଏ ବୟାନ । କାରଣ ସ୍ପଷ୍ଟ ଶଦ୍ଧରେ ନୀତୀଶ କହିଛନ୍ତି ମରିଯିବି ପଛେ ବିଜେପି ସହ ମେଣ୍ଟ କରିବିନି । ତେବେ ପଦ,ପଦବୀ ଓ ପାୱାରକୁ ନେଇ ଦିନକୁ ଦିନ ନୀତୀଶ ଓ କୁଶୱାଙ୍କ ଭିତରେ ମତଭେଦ ବଢିବାରେ ଲାଗିଛି । ସେପଟେ ବିହାର ରାଜନୀତିର ଏହି ହଲଚଲ ଭିତରେ ବିଜେପି କିଛି ଫାଇଦା ଉଠାଇବା ସମ୍ଭାବନା ରହିଛି । କିଛି ଦିନ ପୂର୍ବରୁ ବିଜେପି ସହ ମେଣ୍ଟ ଭାଙ୍ଗି ଜେଡିୟୁ ଆରଜେଡି ସହ ମିଳାଇ ନୂଆ ସରକାର ଗଠନ କରିଛି । ବର୍ତମାନର ଦଳୀୟକନ୍ଦଳ ନୀତୀଶଙ୍କ ପାଇଁ କି ସମସ୍ୟା ଆଣୁଛି ତାହା ଆଗାମୀ ଦିନରେ ସ୍ପଷ୍ଟ ଜଣାପଡିବ ।