ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ମରଣାନ୍ତକ ମାଡ଼ । ସାଇକୃପା ଡିଆଡ଼ିକ୍ସନ କେନ୍ଦ୍ର ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପରିବାର ଲୋକ ।

288

କନକ ବ୍ୟୁରୋ: ନିଶା ଛଡାଇବା ନାଁରେ ନିଶା ନିବାରଣ କେନ୍ଦ୍ରରେ ନିର୍ଦ୍ଧୁମ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ସାଇ କୃପା ନିଶା ନିବାରଣ କେନ୍ଦ୍ରର କର୍ମଚାରୀଙ୍କ ନିର୍ଯାତନାର ଶିକାର ହେବା ପରେ ଏବେ ହସ୍ପିଟାଲରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ଅନ୍ତେବାସୀ ସର୍ବେଶ୍ୱର ବେହେରା । ତେବେ ମଞ୍ଚେଶ୍ୱର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଦୀର୍ଘ ସମୟ ଧରି ସଂସ୍ଥାର କର୍ମଚାରୀଙ୍କୁ ପଚରା ଉଚରା କରିବା ପରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ ।

  • ନିଶା ନିବାରଣ କେନ୍ଦ୍ରରେ ନିର୍ଯ୍ୟାତନା
  • ନିଶା ଛଡାଇବା ନାଁରେ ନିସ୍ତୁକ ମାଡ
  • ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସର୍ବେଶ୍ୱର ବେହେରା

ସର୍ବେଶ୍ୱରଙ୍କ ସମ୍ପର୍କୀୟଙ୍କ କହିବା ଅନୁସାରେ, ଭୁବନେଶ୍ୱରରେ ରହୁଥିବା ସର୍ବେଶ୍ୱର ବେହେରା ନିଶାସକ୍ତ ରହୁଥିଲେ । ନିଶା ଛଡାଇବା ପାଇଁ ପରିବାର ଲୋକ ଗତ ୨୭ ତାରିଖରେ ତାଙ୍କୁ ମଞ୍ଚେଶ୍ୱର ଥାନା ଅଧିନରେ ଥିବା ସାଇ କୃପା ନିଶା ନିବାରଣ କେନ୍ଦ୍ରକୁ ଆଣିଥିଲେ । କେନ୍ଦ୍ରରେ ରହିବା ବାବଦକୁ ୭ ହଜାର ଟଙ୍କା ବି ପୈଠ କରିଥିଲେ ପରିବାରଲୋକ । କିନ୍ତୁ ସୁସ୍ଥ ହେବା ପରିବର୍ତ୍ତେ ଡାକ୍ତରଖାନା ପହଞ୍ଚିଗଲେ ସର୍ବେଶ୍ୱର ।

ସର୍ବେଶ୍ୱରଙ୍କ ଦେହ ସାରା କ୍ଷତ ହୋଇଥିବା ଚିହ୍ନ ହିଁ ବୁଝାଇଦେଉଛି ଯେ, କେତେ ନିର୍ମମ ଭାବେ ତାଙ୍କୁ ଆକ୍ରମଣ କରାଯାଇଛି । ଏହି ଘଟଣାରେ ମଞ୍ଚେଶ୍ୱର ପୋଲିସର ତଦନ୍ତ ଆରମ୍ଭ ହୋଇଯାଇଛି । ଦୀର୍ଘ ସମୟ ଧରି ସଂସ୍ଥାର କର୍ମଚାରୀଙ୍କୁ ପଚରା ଉଚରା କରିବା ପରେ ଦୁଇ ଜଣଙ୍କୁ ଅଟକ ରଖିଛି । ତେବେ ଏହି ଅନୁଷ୍ଠାନରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିନାହିଁ ବରଂ ଏହା ପୂର୍ବରୁ ବି ଏଭଳି ଘଟିଥିବା ସ୍ଥାନୀୟ ଲୋକ କହିଛନ୍ତି । ରାଜ୍ୟର ବିଭିନ୍ନ ନିଶା ନିବାରଣ କେନ୍ଦ୍ରରେ ଏଭଳି ଘଟଣା ବଢୁୁଥିବାବେଳେ ଏଭଳି କେନ୍ଦ୍ର ଉପରେ ସରକାରଙ୍କ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି ।