ବିଶ୍ୱ ହସ୍ତୀ ଦିବସରେ ଗଜରାଜଙ୍କ ସୁରକ୍ଷା ଚିନ୍ତା, ନନ୍ଦନକାନନରେ ବେଶ ଧୁମଧାମରେ ପାଳିତ ହେଲା ହସ୍ତୀ ଦିବସ। 

71

କନକ ବ୍ୟୁରୋ: ବିଶ୍ୱ ହସ୍ତୀ ଦିବସ । ନନ୍ଦନକାନନରେ ବେଶ ଧୁମଧାମରେ ପାଳିତ ହୋଇଛି ଏହି ଦିବସ । ହାତୀ ଓ ମଣିଷ ଭିତରେ ସୁସମ୍ପର୍କ ସ୍ଥାପନା ସହ ହାତୀବଂଶକୁ ସୁରକ୍ଷା ପାଇଁ ଦିଆଯାଇଛି ବାର୍ତ୍ତା । ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ଏହି ଉତ୍ସବରେ ହାତୀ ମାନଙ୍କୁ ବିଭିନ୍ନ ପ୍ରକାରର ଫଳ ମୂଳ ଖୁଆଯିବା ସହିତ ମାହୁନ୍ତ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ନନ୍ଦନକାନନର ଆୟୋଜିତ ଏହି ହସ୍ତୀ ଦିବସରେ ଦସ୍ତଖତ ଅଭିଯାନରୁ ନେଇ କୁଇଜ୍, ଚିତ୍ରାଙ୍କନ ପ୍ରତିଯୋଗିତା ପାଳନ କରାଯାଇଛି । ଓଡ଼ିଶାରେ ଲଗାତର ଭାବେ ହାତୀ ଶିକାର କରାଯାଉଛି । ହାତୀ ମୃତ୍ୟୁ ରୋକିବା ସହିତ ଶିକାର ଉପରେ ସରକାର ରୋକ୍ ଲଗାଉଥିବା କହିଛନ୍ତି ବନ ସଂରକ୍ଷକ । ସେପଟେ ଢେଙ୍କାନାଳରେ ମଧ୍ୟ ଆଜିର ଦିନଟିକୁ ଖୁବ୍ ଆଡମ୍ବର ସହ ପାଳନ କରାଯାଇଛି । କପିଳାସ ରେଞ୍ଜ କାର୍ଯ୍ୟାଳୟ ସଭାଗୃହରେ ହାତୀ ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ହାତୀ ସୁରକ୍ଷା ସମ୍ପର୍କୀତ ବକୃତା ଦେଇଥିଲେ । ଦିନକୁ ଦିନ ବିଭିନ୍ନ ଜଙ୍ଗଲରୁ ହାତୀ ମୃତ୍ୟୁ ଖବର ଆସୁଥିବା ବେଳେ ବିଶ୍ୱ ହସ୍ତୀ ଦିବସରେ ହାତୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି ।