ଟିମ୍ ଇଣ୍ଡିଆକୁ ପାକିସ୍ତାନର ପୂର୍ବତନ ଖେଳାଳୀଙ୍କ ଚେତାବନୀ: ଅଷ୍ଟ୍ରେଲିଆରେ ସଂଘର୍ଷ କରିପାରେ ରୋହିତ ବାହିନୀ

396

କନକ ବ୍ୟୁରୋ : ଭାରତର ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭକୁ ଆଉ ମାତ୍ର ୧୦ ଦିନରୁ କମ ସମୟ ରହିଛି । ଅଷ୍ଟ୍ରେଲିଆରେ ପହଞ୍ଚି ଟିମ୍ ଅଭ୍ୟାସ ଆରମ୍ଭ କରିଛି । ପ୍ରଥମ ୨ଟି ଅନଅଫିସିଆଲ ଅଭ୍ୟାସ ମ୍ୟାଚରେ ଭାରତ ଗୋଟିଏ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚରେ ପରାଜିତ ହୋଇଛି । ତେବେ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳି ବିଶ୍ୱକପ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ତେବେ ଏହି ମ୍ୟାଚ୍ ପୂର୍ବରୁ ପାକିସ୍ତାନର ପୂର୍ବତନ ଖେଳାଳୀ ତଥା ଦ୍ରୁତ ବୋଲର ୱାସିମ ଆକ୍ରମ ଭାରତକୁ ଚେତାଇ ଦେଇଛନ୍ତି ।

ହାଇଭୋଲଟେଜ ମ୍ୟାଚ୍ ପୂର୍ବରୁ ୱାସିମ ଆକ୍ରମ କହିଛନ୍ତି, ଟିମ୍ ଇଣ୍ଡିଆର ଟି-୨୦ ବିଶ୍ୱ୍କପ ଦଳରେ ବୁମରାହଙ୍କ ଭଳି କୌଣସି ଦ୍ରୁତ ବୋଲର ନାହାନ୍ତି । ଯେଉଁଥିପାଇଁ ବିଶ୍ୱକପରେ ଭାରତକୁ ସଂଘର୍ଷ କରିବାକୁ ପଡିପାରେ । ଏହାଛଡା ବୁମରାହଙ୍କ ସ୍ଥାନରେ ଉମରାନ ମଲ୍ଲିକଙ୍କୁ ଦଳରେ ସୁଯୋଗ ଦେବା ଉଚିତ୍ ବୋଲି କହିଛନ୍ତି ଆକ୍ରମ । ଏହାବାଦ୍ ଆକ୍ରମ କହିଛନ୍ତି, ଭାରତୀୟ ଦଳରେ ଭୁବନେଶ୍ୱର କୁମାର ସ୍ଥାନ ପାଇଛନ୍ତି । ନୂଆ ବଲରେ ଭୁବନେଶ୍ୱର ଭଲ ବୋଲିଂ କରିପାରିବେ କିନ୍ତୁ ଅଧିକ ବେଗରେ ପକାଇ ପାରିବେ ନାହିଁ । ଯଦି ବଲ ସ୍ୱିଙ୍ଗ ନହୁଏ ତେବେ ଭୁବନେଶ୍ୱର କୁମାରଙ୍କୁ ବିଶ୍ୱକପରେ ସଂଘର୍ଷ କରିବାକୁ ପଡିପାରେ । ଆଉ ଯଦି ଏପରି ହୁଏ ତେବେ ବିଶ୍ୱକପରେ ଭାରତ ବ୍ୟାକଫୁଟକୁ ଚାଲି ଯାଇପାରେ । ଭୁବନେଶ୍ୱର କୁମାର ଶ୍ରେଷ୍ଠ ବୋଲର ନିଶ୍ଚୟ କିନ୍ତୁ ଅଷ୍ଟ୍ରେଲିଆରେ ଅଧିକ ବେଗରେ ବୋଲିଂ ବହୁତ ଜରୁରୀ ।

ସେହିଭଳି ଭାରତର ବ୍ୟାଟିଂକୁ ନେଇ ଆକ୍ରମ କହିଛନ୍ତି, ଭାରତୀୟ ଟିମର ବ୍ୟାଟିଂ ଲାଇନ ଅପ୍ ବେଶ ଶକ୍ତିଶାଳୀ । ଅନ୍ୟପଟେ ପାକିସ୍ତାନ ଟିମର ମିଡିଲ ଅର୍ଡର ପୂରା ଦୁର୍ବଳ । ଯାହା ପାକିସ୍ତାନ ପାଇଁ କିଛି ମାତ୍ରାରେ ସମସ୍ୟା ସୃଷ୍ଟି କରିପାରେ । ଯଦି ପାକିସ୍ତାନ ଟିମର ମିଡିଲ ଅର୍ଡର ଭଲ ପ୍ରଦର୍ଶନ କରେ ତେବେ ଉଭୟ ବ୍ୟାଟିଂ ଓ ବୋଲିଂରେ ପାକିସ୍ତାନକୁ ଚ୍ୟାଲେଞ୍ଜ ଦେବା ଆଉ ସହଜ ହେବ ନାହିଁ । ଆଉ ଏଭଳି ସ୍ଥିତିରେ ପାକିସ୍ତାନ ପାଇଁ ଏକ ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରେ ।

ଅନ୍ୟପଟେ ଆହତ ବୁମରାଙ୍କ ବଦଳରେ ଭାରତ ଉମରାନ ମଲ୍ଲିକଙ୍କୁ ସୁଯୋଗ ଦେବା କଥା । କାରଣ ଉମରାନଙ୍କ ସାର୍ମଥ୍ୟ ହେଉଛି ଦ୍ରୁତ ବେଗରେ ବୋଲିଂ । ଯାହା ଅଷ୍ଟ୍ରେଲିଆ ପିଚରେ ଭାରତ ପାଇଁ ବେଶ ଉପଯୋଗୀ ହୋଇପାରିଥାନ୍ତା । କିନ୍ତୁ ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଉମରାନ ଅଧିକ ରନ୍ ବ୍ୟୟ କରିଥିଲେ । ଯେଉଁଥିପାଇଁ ଉମରାନଙ୍କ ଉପରେ ଟିମ୍ ମ୍ୟାନେଜମେଣ୍ଟର ଏତେଟା ଫୋକସ ନାହିଁ । ତେବେ ଟି-୨୦ ଫର୍ମାଟରେ ଏମିତି ହୁଏ । ତେଣୁ ମ୍ୟାନେଜମେଣ୍ଟ ଉମରାନଙ୍କ ସହ ରହିବା ଉଚିତ୍ । ଯଦି ଟିମ୍ ଇଣ୍ଡିଆର ଥିଙ୍କ୍ ଟ୍ୟାଙ୍କ ମୁଁ ହୋଇଥାନ୍ତି ତେବେ ସବୁବେଳେ ଉମରାନଙ୍କୁ ଦଳରେ ସ୍ଥାନ ଦେଇଥାନ୍ତି । ଏଭଳି କହି ଟିମ୍ ଇଣ୍ଡିଆର ବିଶ୍ୱକପ ଟିମ୍ ଚୟନ ଉପରେ ପ୍ରଶ୍ନ ଉଠାଇଛନ୍ତି ୱାସିମ ଆକ୍ରମ ।

କେବଳ ୱାସିମ ଆକ୍ରମ ନୁହନ୍ତି ବରଂ ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ ଲି କହିଛନ୍ତି, ଅଷ୍ଟ୍ରେଲିଆର ଫାଷ୍ଟ ଓ ବାଉନ୍ସିଂ ପିଚ୍ ପାଇଁ ଉମରାନ ସବୁଠୁ ଭଲ ବିକଳ୍ପ ଥିଲେ । ଯଦି ଆପଣଙ୍କ ପାଖରେ ଭଲ କାର ଥିବ ଏବଂ ଏହାକୁ ଗ୍ୟାରେଜରେ ଛାଡିକି ଆସିବେ ତାହା ହେଲେ ଲାଭ କଣ? ଉମରାନ ୧୫୦ କିମି ବେଗରେ ବୋଲିଂ କରିବାର ଦକ୍ଷତା ରଖିଛନ୍ତି ତେଣୁ ତାଙ୍କୁ ଅଷ୍ଟ୍ରେଲିଆ ଟିକେଟ ମିଳିବା କଥା । କାରଣ ୧୪୦ ଓ ୧୫୦ ବେଗରେ ବୋଲିଂ ଭିତରେ ଅନେକ ଫରକ ରହିଥାଏ । ଏସବୁ ଭିତରେ ମହମ୍ମଦ ସାମି ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଛନ୍ତି । ତେଣୁ ବୁମରାଙ୍କ ବଦଳରେ ମହମ୍ମଦ ସାମିଙ୍କୁ ୧୫ ଜଣିଆ ଦଳରେ ସାମିଲ କରାଯାଇ ପାରେ ବୋଲି ଅଧିକ ସମ୍ଭାବନା ସୃଷ୍ଟି ହୋଇଛି ।