କନକ ନ୍ୟୁଜର ଖବର ପ୍ରସାରଣ ପରେ ଓଡ଼ିଆ ଫିଲ୍ମକୁ ମିଳିଲା ହଲ। ୨୦ଟି ହଲରେ ରିଲିଜ୍ ହେବ ନୂଆ ଫିଲ୍ମ ‘ପ୍ରେମରେ ରିସ୍କ, ହେଲା ମତେ ଇସ୍କ’

911

କନକ ବ୍ୟୁରୋ: ରିହାତି ଦରରେ ମିଳିବ ଫିଲ୍ମ ଟିକେଟ । ଫିଲ୍ମ ଭଲ ନଲାଗିଲେ ଫେରସ୍ତ ହେବ ଟଙ୍କା । ଓଡିଆ ଚଳଚିତ୍ର ପ୍ରତି ଦର୍ଶକଙ୍କୁ ଆକୃଷ୍ଟ କରିବା ଲାଗି, ‘ପ୍ରେମରେ ରିସ୍କ ହେଲା ମତେ ଇସ୍କ’ ଚଳଚିତ୍ରର ପ୍ରଯୋଜନା ସଂସ୍ଥା ନେଇଛି ଏଭଳି ନିଷ୍ପତି । ଓଡିଆ ଚଳଚିତ୍ର ଭଲ ହେଉନଥିବାରୁ ହଲ ମିଳୁନଥିବା ଚର୍ଚ୍ଚା ଭିତରେ, ଫିଲ୍ମ ଦେଖିଲା ପରେ ଯଦି ଦର୍ଶକଙ୍କୁ ଫିଲ୍ମ ଟି ଭଲ ନଲାଗେ ତେବେ ଟିକେଟର ଟଙ୍କା ଫେରସ୍ତ କରିବାକୁ ପ୍ରତିଶୃତି ଦେଇଛି ପ୍ରଯୋଜନା ସଂସ୍ଥା ।

ଗତ ସପ୍ତାହରେ ବେଶ ଚର୍ଚ୍ଚାକୁ ଆସିଥିଲା ଏହି ଫିଲ୍ମ । ଫିଲ୍ମ ରିଲିଜ ପାଇଁ ମିଳିନଥିଲା ହଲା ଶେଷରେ ପ୍ରଯୋଜକ ନୟାଗଡର ଓଡଗାଁ ସ୍ଥିତ କଲ୍ୟାଣ ମଣ୍ଡପରେ ଫିଲ୍ମକୁ ରିଲିଜ କରିଥିଲେ । ସିଙ୍ଗଲ ସ୍କ୍ରିନ କି ମଲ୍ଟିପ୍ଲେକ୍ସ ନୁହଁ କଲ୍ୟାଣ ମଣ୍ଡପରେ ଜମିଥିଲା ଦର୍ଶକଙ୍କ ଭିଡ । ଫିଲ୍ମ ପ୍ରତି ଦର୍ଶକଙ୍କ ଚାହିଦା ବଢୁଥିବାରୁ ଏବେ ୨୦ଟି ହଲରେ ଫିଲ୍ମ ରିଲିଜ କରିବାକୁ ରାଜି ହୋଇଛନ୍ତି ହଲ ମାଲିକ । ବ୍ରହ୍ମପୁରର ଶିବା ହଲ ଟିକେଟର ଦାମ କମାଇଥିବାବେଳେ ଭୁବନେଶ୍ୱର ସିନେପଲିସରେ ଫିଲ୍ମ ଦେଖିଲେ ୨୦ ପ୍ରତିଶତ ରିହାତିରେ ମିଳିବ ଟିକେଟ ।  ଓଡିଆ ଫିଲ୍ମ ପ୍ରତି ଦର୍ଶକଙ୍କ ଆଗ୍ରହ କମୁଥିବାବେଳେ ପ୍ରଯୋଜନା ସଂସ୍ଥାର ଏଭଳି ପ୍ରୟାସ ଓଡିଆ ଫିଲ୍ମ ଜଗତ ପାଇଁ ଏକ ନୂଆ ବିପ୍ଳବ ଆଣିପାରେ ବୋଲି ଚର୍ଚା ହେଉଛି ।