ହୋଲିର ଦୁଇ ଦିନ ପରେ ଆରମ୍ଭ ହୋଇଛି ଦୋଳ ମେଳଣ । ୭ ଦିନ ଧରି ମେଳଣ ପଡିଆରେ ଚାଲିବ ପୂଜାର୍ଚ୍ଚନା

234

କନକ ବ୍ୟୁରୋ : ଶୁଭୁଛି ମୃଦଙ୍ଗର ସ୍ୱର । କିଏ ରାଧାମାଧବଙ୍କ ମୂର୍ତିକୁ କୋଳରେ ଧରି ଦୋଳ ମଣ୍ଡପକୁ ବିଜେ କରୁଛନ୍ତି ତ ପୁଣି କିଏ ମାତିଛନ୍ତି ନାମ ସଂକୀର୍ତନରେ। ଏକ ନିଆରା ଢଙ୍ଗରେ ଠାକୁରଙ୍କୁ ନିଆଯାଉଛି ଦୋଳ ମଣ୍ଡପକୁ। ଆଗରେ ବାଜୁଛି ଡିଜେ, ଶହ ଶହ ଗ୍ରାମର ଯୁବଗୋଷ୍ଠୀ ଠାରୁ ଆରମ୍ଭ ବୟସ୍କ ବ୍ୟକ୍ତି ସମସ୍ତେ ନାଚରେ ପୁରା ମସଗୁଲ୍। ପଛରେ ଆସୁଛନ୍ତି ରାଧାଗୋବିନ୍ଦ। ଏ ଚିତ୍ର ହେଉଛି ମୟୂରଭଞ୍ଜ ଗୋପବନ୍ଧୁନଗର ବ୍ଲକ ସାଇଁକୁଳା ଦୋଳ ଉତ୍ସବର। ହୋଲି ଉତ୍ସବର ଦିନକ ପରେ ଆରମ୍ଭ ହୁଏ ଏଠାରେ ଦୋଳ ଉତ୍ସବ । ଯାହାକି ୭ ଦିନ ଧରି ଚାଲିଥାଏ ।

ବିଭିନ୍ନ ଗ୍ରାମରୁ ଏକ ବିରାଟ ପଟୁଆରରେ ଠାକୁର ବାହାରି ଦୋଳ ମଣ୍ଡପକୁ ଆସନ୍ତି । ଠାକୁର, ଦୋଳ ମଣ୍ଡପକୁ ବିଜେ କରିବା ସମୟରେ ସମସ୍ତେ ଅବିର ଖେଳରେ ମସଗୁଲ୍ ହୁଅନ୍ତି। ଏହି ଦୋଳ ଉତ୍ସବରେ ୭ ଦିନିଆ ମେଳା ହୋଇଥାଏ । ପ୍ରଥମ ଦିନରେ କେବଳ ବାଉଁଶ ତିଆରି ସାମଗ୍ରୀ ବିକ୍ରି କରାଯାଏ । ପରେ ସେହି ଦୋକାନୀ ଉଠିଯାଆନ୍ତି, ଅନ୍ୟ ଦୋକାନୀ ପସରା ମେଲାଇ ବସନ୍ତି । ଏହି ମେଳାକୁ କେବଳ ମୟୂରଭଞ୍ଜ ଜିଲ୍ଲା ନୁହେଁ ପଡୋଶୀ ବାଲେଶ୍ୱର ଜିଲ୍ଲା ସମେତ ବିଭିନ୍ନ ପ୍ରାନ୍ତରୁ ଦର୍ଶକ ଆସିଥାନ୍ତି ।

ମେଳାକୁ ଶାନ୍ତିଶୃଙ୍ଖଳାର ସହିତ ସମାପନ କରିବା ନିମନ୍ତେ ଉଭୟ ମେଳଣ କମିଟି ଏବଂ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।