ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି: ପଦ୍ମ ଧରିଲେ ସିଦ୍ଧାନ୍ତ ମହାପାତ୍ର, ବିଜେଡି କହିଲା ‘ବିଗ୍ ଜିରୋ’

108

କନକ ବ୍ୟୁରୋ: ବିଜେପିରେ ମିଶିଲେ ବିଜେଡିର ବଡ ନେତା । କଟକ ସାଂସଦ ଭର୍ତୃହରି ମହତାବ ଓ ବ୍ରହ୍ମପୁରର ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଆଜି ବିଜେପିରେ ମିଶିଛନ୍ତି । ସବୁଠାରୁ ବଡ କଥା ହେଲା, ଏଥିପାଇଁ ଭୁବନେଶ୍ୱର ନୁହେଁ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ମିଶ୍ରଣ ପର୍ବ ହୋଇଥିଲା । ଭର୍ତୃହରି କଟକରୁ ୬-୬ ଥର ସାଂସଦ ଥିଲେ । ୧୯୯୮ରୁ ସେ ଲଗାତାର ସାଂସଦ ରହିଆସିଥିଲେ । ସେହିଭଳି ସିଦ୍ଧାନ୍ତ ମହାପାତ୍ର ବ୍ରହ୍ମପୁରରୁ ୨-୨ଥର ସାଂସଦ ଥିଲେ । ଏହି ଦୁଇ ନେତା ବିଜେପିର ସାମିଲ ହେବା ପରେ କଟାକ୍ଷ କରିଛି ବିଜେଡି । ଦଳ କହିଛି, ଉଭୟ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ସାଂସଦ ହୋଇଥିଲେ । ନବୀନଙ୍କୁ ଛାଡିଦେଲେ ୱାର୍ଡ ମେମ୍ବର ହେବା ପାଇଁ ବି ସେମାନେ ଯୋଗ୍ୟ ନୁହନ୍ତି ।

ଯାହା ଚର୍ଚ୍ଚା ହେଉଥିଲା, ତାହା ସତ ହେଲା । ବିଜେପିରେ ଯୋଗ ଦେଇଛନ୍ତି କଟକ ସାଂସଦ ଭର୍ତୃହରି ମହତାବ, ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଓ ବିଶିଷ୍ଟ ସାନ୍ତାଳୀ ଲେଖିକା ପଦ୍ମଶ୍ରୀ ଡକ୍ଟର ଦମୟନ୍ତୀ ବେଶ୍ରା ।

କିଛି ଦିନ ତଳେ ବିଜେଡିର ପ୍ରାଥମିକ ପଦରୁ ଇସ୍ତଫା ଦେଇଥିଲେ କଟକ ସାଂସଦ ଭର୍ତୃହରି ମହତାବ । ଆଜି ବିଜେପି ଦିଲ୍ଲୀ କାର୍ଯ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି ଭର୍ତୃହରି । ବ୍ରହ୍ମପୁରର ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ମଧ୍ୟ ଆଜି ବିଜେପିରେ ମିଶିଛନ୍ତି । ଦିଲ୍ଲୀରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ବିଜେପିର ସାଧାରଣ ସଂପାଦକ ବିନୋଦ ତାଉଡ଼େ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ସେହପରି ୨୦୨୦ରେ ସାନ୍ତାଳୀ ସାହିତ୍ୟ ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ଦମୟନ୍ତୀ ବେଶ୍ରା ମଧ୍ୟ ପଦ୍ମ ଧରିଛନ୍ତି । ବିଜେପିରେ ମିଶିବା ପରେ ଭର୍ତୃହରି କହିଛନ୍ତି – ଓଡ଼ିଶାର ପରିବର୍ତ୍ତନର ଆଭାସ ମିଳୁଛି । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ଯୋଗୁଁ ସମ୍ଭବ ହୋଇଛି । ରାଜ୍ୟର ବିକାଶ ପାଇଁ ସେ ବିଜେପିରେ ଯୋଗ ଦେଉଛନ୍ତି ।

ସେହିପରି ସିଦ୍ଧାନ୍ତ ମହାପାତ୍ର କହିଛନ୍ତି – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶମୂଳକ କାର୍ଯ୍ୟ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଓଡ଼ିଶାରେ ସେପରି ଉନ୍ନତି ହେଉ ବୋଲି ସେ ଚାହୁଁଛନ୍ତି ।
ଭର୍ତୃହରି ଓ ସିଦ୍ଧାନ୍ତ ବିଜେପିରେ ମିଶିବା ପରେ ପ୍ରତିକ୍ରିୟା ରଖିଛି ବିଜେଡି । କଟାକ୍ଷ କରି ସାଂସଦ ମୁନା ଖାଁ କହିଛନ୍ତି, ଉଭୟ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ସାଂସଦ ହୋଇଥିଲେ । ନବୀନଙ୍କୁ ଛାଡିଦେଲେ ୱାର୍ଡ ମେମ୍ବର ହେବା ପାଇଁ ବି ସେମାନେ ଯୋଗ୍ୟ ନୁହନ୍ତି ।

ଭର୍ତ୍ତୃହରି ମହତାବ
କଟକରୁ ୬ ଥର ସାଂସଦ ରହିଛନ୍ତି
୨୦୧୭ରେ ଶ୍ରେଷ୍ଠ ସାଂସଦ ହୋଇଥିଲେ
୪ଥର ପାଇଛନ୍ତି ସାଂସଦ ରତ୍ନ ସମ୍ମାନ
ସିଦ୍ଧାନ୍ତ ମହାପାତ୍ର
ବ୍ରହ୍ମପୁରରୁ ୨ଥର ସାଂସଦ ହୋଇଛନ୍ତି
୨୦୦୯ ଓ ୨୦୧୪ରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ

ଚର୍ଚ୍ଚା ହେଉଛି କଟକ ଲୋକସଭା ପାଇଁ ଭର୍ତୃହରି ମହତାବଙ୍କୁ ପ୍ରାର୍ଥୀ କରିପାରେ ବିଜେପି । ସିଦ୍ଧାନ୍ତ ମହାପାତ୍ରଙ୍କୁ ବ୍ରହ୍ମପୁର ବିଧାନସଭା ପାଇଁ ଟିକେଟ ମିଳିପାରେ । ସେହିପରି କନ୍ଧମାଳ ଲୋକସଭା ଆସନରେ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରାଙ୍କୁ ବିଜେପି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।