ଦିବ୍ୟାଙ୍ଗଙ୍କ ବନ୍ଧୁ ପାଲଟିଛନ୍ତି ଦିବ୍ୟାଙ୍ଗ । ଦିବ୍ୟାଙ୍ଗଙ୍କ ସେବାରେ ଲାଗିଛନ୍ତି ଦିବ୍ୟାଙ୍ଗ ଅମରେନ୍ଦ୍ର ।

42

କନକ ବ୍ୟୁରୋ: ଦିବ୍ୟାଙ୍ଗଙ୍କ ବନ୍ଧୁ ପାଲଟିଛନ୍ତି ଦିବ୍ୟାଙ୍ଗ । ଆଉ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ । ନିଜେ ଦିବ୍ୟାଙ୍ଗ ହୋଇ ବି ଜୀବନରେ ସଫଳାତର ପାହାଡ ଚଢିପାରିଛନ୍ତି ରାୟଗଡ଼ାର ଅମରେନ୍ଦ୍ର ନାଥ । ନିଜର ଏକ ଛୋଟିଆ ପାନ ଦୋକାନ କରି ନିଜ ପରିବାର ପ୍ରତିପୋଷଣ କରନ୍ତି । ଦିବ୍ୟାଙ୍ଗ ମାନେ କୌଣସି ଅସୁବିଧାରେ ପଡିଲେ ସେ ନିଜ ଦୋକାନ ବନ୍ଦ କରି ସେମାନଙ୍କ ନିକଟରେ ପହଞ୍ଚି ଯାଆନ୍ତି । କେବଳ ରାୟଗଡା ସଦର ନୁହେଁ ଜିଲ୍ଲାର ସମସ୍ତ ବ୍ଳକ ଓ ପଞ୍ଚାୟତ ବୁଲି ବୁଲି ଅସୁବିଧାରେ ପଡିଥିବା ଦିବ୍ୟାଙ୍ଗ ମାନଙ୍କୁ ସାହାଯ୍ୟ କରନ୍ତି ଅମରେନ୍ଦ୍ର ନାଥ ।

କିଏ ଦିବ୍ୟାଙ୍ଗ ସାର୍ଟିଫିକେଟ ପାଇବା ପାଇଁ ହଉ କି ଭତ୍ତା, ହୁଇଲ ଚେୟାର ପାଇଁ ହଉ କି କୁତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ଅଥବା ଅନ୍ୟାନ୍ୟ ସୁବିଧା ପାଇବା ପାଇଁ ଅସୁବିଧା ଭୋଗୁଥିବା ଦିବ୍ୟାଙ୍ଗ ଭାଇ ଭଉଣୀଙ୍କ ପାଖରେ ପହଞ୍ଚି ସାହାଯ୍ୟ କରିଥାନ୍ତି । ସେ ଜଣେ ଦିବ୍ୟାଙ୍ଗ ହୋଇଥିବାରୁ ଜଣେ ଦିବ୍ୟାଙ୍ଗର ଅସୁବିଧା ହୃଦୟଙ୍ଗମ କରି ସାହାଯ୍ୟ ପାଇଁ ଦୌଡି ଯାଆନ୍ତି ଅମରେନ୍ଦ୍ର । ଏପରିକି ସୂଦୁର ଭୂବନେଶ୍ୱର ଯାଇ ଦିବ୍ୟାଙ୍ଗ ମାନଙ୍କର ଅନେକ କାମ ମଧ୍ୟ କରିଛନ୍ତି । ସରକାରଙ୍କ ତରଫରୁ ଥିବା ସମସ୍ତ ଯୋଜନାକୁ ସେମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି । ଅମରେନ୍ଦ୍ରଙ୍କ ଏହି କାମ ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରିଛନ୍ତି । ୨୦୧୮ରେ ଜିଲ୍ଲା ପ୍ରଶାସନ ପୁରସ୍କାର ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଥିଲେ । ୨୦୧୯ରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମଧ୍ୟ ସେ ସମ୍ବର୍ଦ୍ଧିତ ହୋଇଥିଲେ । ଅମରେନ୍ଦ୍ରଙ୍କ ସାହାଯ୍ୟରେ ଅନେକ ଦିବ୍ୟାଙ୍ଗ ଭାଇ ଭଉଣି ସାହାଯ୍ୟ ପାଇଥିବାରୁ ସେମାନେ ଅମରେନ୍ଦ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।