ପାପୁଲି ହରାଇବା ପରେ ବି ହାରିନାହାନ୍ତି ମୋହନାର ଅବିନାଶ । ପାଠ ପଢୁଛନ୍ତି, ବଡ ମଣିଷ ହେବାକୁ ଚେଷ୍ଟା ଜାରି ରଖିଛନ୍ତି ।

68

କନକ ବ୍ୟୁରୋ: ଜୀବନ ଯୁଦ୍ଧରେ ହାର ମାନିନାହାଁନ୍ତି ଅବିନାଶ । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ହାତ ପାପୁଲି ହରାଇବା ପରେ କମିନି ମନୋବଳ । ପାପୁଲି ନଥାଇବି ଲେଖୁଛନ୍ତି ପାଠ । ପାପୁଲି ବିନା ପଢ଼ାଲେଖା କରିବାକୁ କଷ୍ଟ ହେଉଥିଲେ ବି ସେ ଚେଷ୍ଟା ଜାରି ରଖିଛନ୍ତି । ତେଣୁ ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି ଅଭିନାଶଙ୍କୁ ସହଯୋଗର ହାତ ବଢାଇଲେ ସେ ଉପକୃତ ହୋଇପାରନ୍ତେ । କୃତ୍ରିମ ଉପାୟରେ ହାତ ଲାଗିଲେ ପାଠ ପଢିବାକୁ ସୁବିଧା ହୋଇପାରନ୍ତା ସେ କହିଛନ୍ତି ।

ଗଜପତି ଜିଲ୍ଲା ମୋହନା ବ୍ଲକ ଘାସପଦା ଗାଁର ଝୁନୁ ନାୟକଙ୍କ ୧୧ ବର୍ଷୀୟ ପୁଅ ଅଭିନାଶ ୩ ବର୍ଷ ତଳେ ଗାଁ ସ୍କୁଲରେ ଖେଳିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଭାବେ ଆହତ ହୋଇଥିଲେ । ପରିବାର ଲୋକ କଟକ ମେଡ଼ିକାଲରେ ଭର୍ତି କରିଥିଲେ । ସେଠାରେ ତାଙ୍କୁ ଦୁଇ ପାପୁଲି ହରାଇବାକୁ ପଡିଥିଲା । ସୁସ୍ଥ ହୋଇ ଘରକୁ ଫେରିବା ପରେ ଏବେ ସବୁଦିନ ସ୍କୁଲ ଯାଉଛନ୍ତି । ପାଠ ବି ପଢୁଛନ୍ତି । ନିଜର ନିତ୍ୟକର୍ମ ପାଇଁ କିନ୍ତୁ ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି ।

ତାଙ୍କ ମା’ ତାଙ୍କୁ ଗଧୋଇବା ଠାରୁ ଆରମ୍ଭ କରି ଖୁଆଇ ଦେବା ସମସ୍ତ କାମ କରନ୍ତି । ପୁଅର ଏଭଳି ଅବସ୍ଥା ଦେଖି ମା’ର ଆଖିରୁ ଶୁଖୁନି ଲୁହ । ଧାର କରଜ କରି ପୁଅର ଚିକିତ୍ସା କରିଥିବା ବେଳେ ସେ ପଇସା ବି ସୁଝିନି । ରୁଣ ସୁଝିବା ପାଇଁ ଦାଦନ ଖଟିବାକୁ ପାଇଁ ରାଜ୍ୟ ବାହାରକୁ ଯାଇଛନ୍ତି ଅଭିନାଶଙ୍କ ବାପା । ଚିକତ୍ସା ପାଇଁ ନା ଶିକ୍ଷା ବିଭାଗ ନା ବିଦ୍ୟୁତ ବିଭାଗ କିମ୍ବା ପ୍ରଶାସନ କାହାଠୁ ବି କିଛି ସହାୟତା ମିଳିିନଥିବା କହିଛନ୍ତି ଅବିନାଶଙ୍କ ମା’ । ତେଣୁ କିଛି ସହାୟତା ମିଳିଲେ ସେ ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ଦାବି ହୋଇଛି ।