ବସୁଧା ଯୋଜନାର ବାସ୍ତବତା । ହଳଦୀ ରଙ୍ଗର ଗୋଳିଆ ପାଣି ପିଉଛନ୍ତି ୨୫ ପରିବାର ।

53

କନକ ବ୍ୟୁରୋ: ଲୋକଙ୍କୁ ପାନୀୟ ଜଳ ଯୋଗାଇଦେବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଏହି ସବୁ ଯୋଜନା ଏବେ ପ୍ରହସନ ପାଲଟିଛି । କେଉଁଠି ପାଇପ ଫାଟି ପାଣି ନଷ୍ଟ ହେଉଛି ତ ପୁଣି କେଉଁଠି ଲୋକଙ୍କୁ ମିଳୁନି ବିଶୁଦ୍ଧ ପାଣି । ଢେଙ୍କାନାଳ ମଠଖୋକସା ଗାଁରେ ଅଚଳ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ଲୋକଙ୍କୁ ପାଣି ମିଳିବା ବଦଳରେ ରାସ୍ତାରେ ଭାସୁଛି ପାଣି । ଜଳ ପ୍ରକଳ୍ପ ଠାରୁ ଗାଁକୁ ଆସିଥିବା ପାଇପ ଲାଇନ, ଷ୍ଟାଣ୍ଡ ପୋଷ୍ଟ ସବୁ ଭାଙ୍ଗି ଯାଇଛି ତେଣୁ ପାଣି ଲୋକଙ୍କୁ ମିଳିବା ବଦଳରେ ରାସ୍ତାଘାଟ ଖାଲି ପାଣି କାଦୁଅରେ ଭର୍ତ୍ତି ହୋଇଛି ।

ଭଙ୍ଗା ପାଇପରୁ ପାଣି ସଂଗ୍ରହ କରି ବ୍ୟବହାର ପାଇଁ ନେଉଛନ୍ତି ଗ୍ରାମବାସୀ । ନିମ୍ନ ମାନର କାମ ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ସେହିପରି ବାଲେଶ୍ୱର ସୋର ବ୍ଳକ ଶିଙ୍ଗାଖୁଂଟା ପଞ୍ଚାୟତର ବନ୍ଧାସାହି ଗାଁରେ ଲୋକଙ୍କୁ ମିଳୁନି ବିଶୁଦ୍ଧ ଜଳ । ଗାଁର ୨୫ଟି ପରିବାର ୩ବର୍ଷ ହେଲା ଜଳ ନୁହେଁ ଜହର ପିଉଛନ୍ତି । ଗାଁରେ ଥିବା ନଳକୂପରୁ ପାଣି ବାହାରୁଛି ସତ କିନ୍ତୁ ତାହା ଆଇରନ ମିଶା ଗୋଳିଆ ପାଣି । ସେହି ପାଣି ପିଇ ଲୋକ ଅନେକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ସରକାରଙ୍କ ପକ୍ଷରୁ ହୋଇଥିବା ଜଳ ପ୍ରକଳ୍ପ କାମ ଠିକ ଭାବେ ହୋଇନଥିବାରୁ ଜଳ ଯୋଗାଣ ବ୍ୟବସ୍ଥା ଭୁଷୁଡ଼ିପଡ଼ିଛି ।

ବସୁଧା ଯୋଜନାରେ ୪ ବର୍ଷ ତଳୁ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଛି । ଲୋକଙ୍କ ଘର ଆଗରେ ଷ୍ଟାଣ୍ଡପୋଷ୍ଟ ବସିଛି । ହେଲେ ଲୋକଙ୍କ ପାଖରେ ପାଣି ଟୋପାଏ ପହଞ୍ଚିପାରିନାହିଁ । ଏନେଇ ବାରମ୍ବାର ସ୍ଥାନୀୟ ପ୍ରଶାସନ ପାଖରେ ଦାବି କରିଥିଲେ ମଧ୍ୟ ଲୋକଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ ହୋଇଛି ।