ଦିଲ୍ଲୀ ଦଳିତ ନାବାଳିକା ଦୁଷ୍କର୍ମ ଘଟଣାରେ ବଢିଲା ଆକ୍ରୋଷ । ଦଳିତ ସମାଜ ଓ ଯୁବପିଢିଙ୍କ ତରଫରୁ ଜାରି ରହିଛି ବିକ୍ଷୋଭ । ସେପଟେ ମାମଲା ତଦନ୍ତ ପାଇଁ ଘଟଣା ସ୍ଥଳରେ ପହଁଚିଲା କ୍ରାଇମବ୍ରାଞ୍ଚ ଟିମ୍ ।

139

କନକ ବ୍ୟୁରୋ: ଦିଲ୍ଲୀରେ ୯ ବର୍ଷର ଦଳିତ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଏନେଇ ଗୁରୁବାର ଘଟଣା ସ୍ଥଳରେ ପହଁଚି ପ୍ରମାଣ ସଂଗ୍ରହ କରିଛି ଦିଲ୍ଲୀ କ୍ରାଇମ୍ବ୍ରାଞ୍ଚ । ଏହାସହ ଘଟଣାରେ ସାଇଣ୍ଟିଫିକ୍ ତଦନ୍ତ କରାଯାଉଛି । ଘଟଣା ସ୍ଥଳର ଯାଞ୍ଚ ପରେ ନାବାଳିକାର ଦୁଷ୍କର୍ମ ଏବଂ ହତ୍ୟା ହୋଇଥିବା ନେଇ ଯଥେଷ୍ଟ ପ୍ରମାଣ ମିଳିଥିବା କ୍ରାଇମ ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିବାଲଙ୍କ ନିର୍ଦ୍ଦେଶ ପରେ ବୁଧବାର ଏହି ମାମଲାକୁ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା ।

ସେପଟେ ନାବାଳିକାର ଦୁଷ୍କର୍ମକୁ ନେଇ ରାସ୍ତାକୁ ଓହ୍ଲାଇଛି ଦଳିତ ସମାଜ । ନାରାବାଜି ଦେବାସହ ମହିଳା ଓ ଶିଶୁଙ୍କୁ ସୁରକ୍ଷା ପ୍ରଦାନ କରିବାରେ ସରକାର ବିଫଳ ହେଉଥିବା ପ୍ରଦର୍ଶନକାରୀ କହିଛନ୍ତି । ଯେଉଁ ଶ୍ମଶାନରେ ନାବାଳିକାର ଦୁଷ୍କର୍ମ ହୋଇଥିଲା, ସେହି ଶ୍ମଶାନ ଗେଟ୍ ବାହାରେ ଦଳିତ ସମାଜ ଏବଂ ଦିଲ୍ଲୀର ଅନେକ ଯୁବପିଢି ପହଁଚି ପ୍ରଦର୍ଶନ କରିଛନ୍ତି । ସେହିପରି ନାବାଳିକା ପାଇଁ ରାଜଧାନୀରେ ଯୁବପିଢିଙ୍କ ଦ୍ୱାରା କ୍ୟାଣ୍ଡେଲ ରାଲି ମଧ୍ୟ କରାଯାଇଛି ।

ରବିବାର ଦିଲ୍ଲୀ ନାଙ୍ଗଲ ଗାଓଁର ୯ ବର୍ଷୀୟ ନାବାଳିକାକୁ ଶ୍ମଶାନ ଭିତରେ ଦୁଷ୍କର୍ମ ପରେ ହତ୍ୟା କରିଥିଲେ କିଛି ଦୁର୍ବୃତ୍ତ । ଏହାପରେ ପ୍ରମାଣ ନଷ୍ଟ କରିବା ପାଇଁ ପରିବାର ଲୋକଙ୍କ ଅଜାଣତରେ ନାବାଳିକାର ମୃତ ଦେହକୁ ଜାଳି ଦେଇଥିଲେ । ଘଟଣାରେ ଶ୍ମଶାନର ୫୫ ବର୍ଷୀୟ ପଣ୍ଡିତ ରାଧେ ଶ୍ୟାମଙ୍କ ସମେତ ଅନ୍ୟ ତିନି ଜଣଙ୍କୁ ଗିରଫ କରିଛି ପୋଲିସ ।