କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ । ସଂସଦ କାର୍ଯ୍ୟ ବାତିଲ କରି ଜନ୍ତର ମନ୍ତରରେ ପହଁଚିଲେ କଂଗ୍ରେସ ସମେତ ୧୪ଟି ବିରୋଧୀ ଦଳର ନେତା । ଚାଷୀଙ୍କ ସହ ମିଶି କଲେ ପ୍ରଦର୍ଶନ ।

72

କନକ ବ୍ୟୁରୋ: ଆଜି କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଜନ୍ତର ମନ୍ତରରେ ପହଁଚିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମେତ ୧୪ଟି ବିରୋଧୀ ଦଳ । ଯେଉଁଠି ସେମାନେ ଚାଷୀଙ୍କ ସହ ମିଶି ବିଜେପି ସରକାର ବିରୋଧରେ ପ୍ରଦର୍ଶନ କରିଛନ୍ତି । ଶୁକ୍ରବାର ସମସ୍ତ ବିରୋଧୀ ଦଳ ଏକଜୁଟ ହୋଇ ବସ୍ ଜରିଆରେ ସଂସଦରୁ ଜନ୍ତର-ମନ୍ତର ପର୍ଯ୍ୟନ୍ତ ଏକତ୍ର ଯାତ୍ରା କରିଥିଲେ ଆଉ ସେଠାରେ ପହଁଚିବା ପରେ ଚାଷୀଙ୍କ ସହ ମିଶି ପ୍ରତିବାଦ କରିଥିଲେ । ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି – ଆଜି ସବୁ ବିରୋଧୀ ଦଳ କେନ୍ଦ୍ରର କଳା ଆଇନକୁ ହଟାଇବା ପାଇଁ ନିଜ ସମର୍ଥନ ଜଣାଇଛନ୍ତି ।

ରାଜ୍ୟସଭାର ବିରୋଧୀ ଦଳ ନେତା ମଲିକାର୍ଜୁନ ଖଡଗେଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ସକାଳେ ବିରୋଧୀ ଦଳର ବୈଠକ ବସିଥିଲା । ସେଠାରେ ବିରୋଧୀଙ୍କ ସଂସଦରୁ ଜନ୍ତର ମନ୍ତର ପର୍ଯ୍ୟନ୍ତ ପଦଯାତ୍ରା ବିଷୟରେ ଆଲୋଚନା କରାଯାଇଥିଲା । ଶେଷରେ ସମସ୍ତ ବିରୋଧୀ ଜନ୍ତର ମନ୍ତରରେ ପହଁଚି ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ । ଏପଟେ ବିରୋଧୀଙ୍କ ଏହି ପ୍ରଦର୍ଶନକୁ ସମାଲୋଚନା କରିଛନ୍ତି କେନ୍ଦ୍ର ସରକାର । କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଚାଷୀମାନେ କୌଣସି ରାଜନୈତିକ ଦଳକୁ ନିଜ ଆନ୍ଦୋଳନରେ ସାମିଲ କରାଇବାକୁ ଚାହୁଁ ନାହାଁନ୍ତି । ଏହାସତ୍ତେ୍ୱ ବି ବିରୋଧୀ ନିଜ ଆଡୁ ଏହି ପ୍ରହସନ କରୁଛନ୍ତି ।

କେନ୍ଦ୍ରର କୃଷି ଆଇନ ହେଉ କି ପେଗାସସ ଗୁଇନ୍ଦାଗିରି ଅବା ପେଟ୍ରୋଲ, ଡିଜେଲ ଦର ବୃଦ୍ଧି । ଚଳିତ ମୌସୁମି ଅଧିବେଶନ ବେଳେ ଏହି ସବୁ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧି । ଯାହାକୁ ନେଇ ଉଭୟ ସଂସଦରେ ଗୃହକାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହେଉଛି ଆଉ ଶୁକ୍ରବାର କଂଗ୍ରେସ, ଆରଜେଡି, ଆମ ଆଦମି ପାର୍ଟି ସମେତ ୧୪ଟି ବିରୋଧି ଦଳ ସଂସଦ ଛାଡି ଜନ୍ତର ମନ୍ତରରେ ପହଁଚି ଚାଷୀଙ୍କ ସହ ମିଶି ପ୍ରଦର୍ଶନ କରିଛନ୍ତି ।