ଆସାମ-ମିଜୋରାମ ମଧ୍ୟରେ ସୁଧୁରିବ ସୀମା ବିବାଦ । ସମାଧାନ ପାଇଁ ରାଜିହେଲେ ଦୁଇ ରାଜ୍ୟ ।

99

କନକ ବ୍ୟୁରୋ: ଆସାମ ଓ ମିଜୋରାମ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ସୀମା ବିବାଦ ସମସ୍ୟାର ହେବ ସମାଧାନ । ଗୁରୁବାର ଦୁଇ ରାଜ୍ୟ ମଧ୍ୟରେ ହୋଇଥିବା ଆଲୋଚନାରେ ଏହି ନିଷ୍ପତ୍ତି ହୋଇଛି । ଏହାସହିତ ବିବାଦୀୟ ଲୈଲାପୁରରେ ସେନା ମୁତୟନକୁ ପ୍ରତ୍ୟାହାର କରାଯାଇଛି । କେବଳ ସେତିକି ନୁହେଁ ଆସାମ ସରକାର ମିଜୋରାମ ଗସ୍ତ ନକରିବାକୁ ଯେଉଁ ଆଡଭାଇଜରି ଜାରି କରିଥିଲେ ତାକୁ ମଧ୍ୟ ବାତିଲ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ।

ସୀମା ବିବାଦକୁ ନେଇ ଗୁରୁବାର ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ହେବା ପରେ ଉଭୟ ଆସାମ ଓ ମିଜୋରାମ ସରକାର ଏକାଠି ବିବୃତ୍ତି ଜାରି କରିଛନ୍ତି । ଯେଉଁଥିରେ ଆନ୍ତଃ ରାଜ୍ୟ ସୀମା ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ଉଭୟ ରାଜ୍ୟ ସରକାର ସହମତି ପ୍ରକାଶ କରିଛନ୍ତି । ଆଉ ଦୁଇ ରାଜ୍ୟର ନିଷ୍ପତ୍ତିକୁ କେନ୍ଦ୍ର ସରକାର ସ୍ୱାଗତ କରିଛନ୍ତି । ଉଭୟ ରାଜ୍ୟ ବିବାଦୀୟ ସୀମା ଅଞ୍ଚଳରେ ପାଟ୍ରୋଲିଂ ଏବଂ ସୁରକ୍ଷା ପାଇଁ ପୋଲିସ ଫୋର୍ସ ମୁତୟନ କରିବେ ନାହିଁ ବୋଲି ସହମତି ପ୍ରକାଶ କରିଛନ୍ତି । ଏହି ବୈଠକରେ ଦୁଇ ରାଜ୍ୟର ମନ୍ତ୍ରୀ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।

ଗତ ଜୁଲାଇ ୨୬ରେ ଆସାମ–ମିଜୋରାମ ଲୈଲାପୁର ସୀମାରେ ଦୁଇ ରାଜ୍ୟର ପୋଲିସ୍ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଆସାମର ୬ ଜଣ ପୋଲିସ କର୍ମଚାରୀ ପ୍ରାଣ ହରାଇଥିଲେ ଏବଂ ୮୦ ଅଧିକ ସୁରକ୍ଷାକର୍ମୀ ଆହତ ହୋଇଥିଲା ।