ପୁରୀରେ ପୋଡପିଠା ପୂଜାକୁ ନେଇ ବିବାଦ। ବଡଦାଣ୍ଡରେ ଦୁଇ ପୂଜାରୀ ହାତାହାତି।

138

କନକ ବ୍ୟୁରୋ: ବାହୁଡାଯାତ୍ରାବେଳେ ମାଉସୀ ମା ମନ୍ଦିରରେ ୩ ଠାକୁର ପୋଡପିଠା ଖାଇବାର ପରମ୍ପରା ରହିଛି । କିନ୍ତୁ ଶନିବାରଦିନ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ପୋଡପିଠା ସମର୍ପଣ କରିବା ପୂର୍ବରୁ ଦୁଇ ପୂଜକ ହାତାହାତି ହୋଇଛନ୍ତି। ଫଳରେ ପୋଡପିଠା ହାଣ୍ଡି ଭାଙ୍ଗିଯାଇଛି । ଏହାକୁ ନେଇ ବଡଦାଣ୍ଡରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟିହୋଇଥିଲା। ଦୀର୍ଘସମୟ ଧରି ଦୁଇ ପୂଜକ ମୁହାଁମୁହିଁ ହୋଇଥିଲେ ।

ମାଉସୀ ମା ମନ୍ଦିରରେ ପୋଡପିଠା ପ୍ରସ୍ତୁତ କରୁଥିବା ମୁଖ୍ୟ ପୂଜାରୀଙ୍କ ପରଲୋକ ଦୀର୍ଘବର୍ଷ ଧରିହୋଇଛି । ତେଣୁ ମୁଖ୍ୟ ପୂଜାରୀଙ୍କ ଦୁଇ ସମ୍ପର୍କୀୟ ଏବେ ପୋଡପିଠା ତିଆରି କରୁଛନ୍ତି ଓ ନିଜକୁ ଦାବିଦାର ବୋଲି ଦାବି କରୁଛନ୍ତି । ଫଳରେ ବିବାଦ ଜୋରଦାର ହୋଇଛି ।

ବାହୁଡାଯାତ୍ରା ସମୟରେ ମାଉସୀମା ମନ୍ଦିରରେ ପୋଡପିଠା ପୂଜା କରିବା ପାଇଁ ଜଣକୁ ଅନୁମତି ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଆଉ ଜଣେ ପରମ୍ପରାଗତ ଅନୁସାରେ ପୂଜା କରିବା ପାଇଁ ଦାବି କରିଆସୁଥିଲେ । ମାମଲା ପୁରୀ ଏସଡିଜେଏମ୍ କୋର୍ଟରେ ବିଚାରାଧୀନ ବି ରହିଛି । ଆଉ ଏହି ଦୀର୍ଘଦିନ ଧରି ବିବାଦ ଲାଗିରହିଥିଲେ ବି ଏହାର ସମାଧାନ ହେଉନାହିଁ । ଶ୍ରୀମନ୍ଦିର ପ୍ରଶ୍ରାସନ ବି ବିବାଦରୁ ଗୁରୁତର ସହ ନେଇନାହିଁ । ଯାହାଫଳରେ ବାହୁଡାଯାତ୍ରାରେ ଏଭଳି ବିବାଦ ଉଗ୍ରରୂପ ନେଇଛି । ବଡଦାଣ୍ଡରେ ପୋଡପିଠାକୁ ନେଇ ଗଣ୍ଡଗୋଳ ପରେ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଉଭୟଙ୍କ କୋର୍ଟ କାଗଜପତ୍ର ଆଣି ଯାଞ୍ଚକରିଛି ।