ରାଜ୍ୟରେ କାୟା ମେଲାଉଛି କରୋନା। ରେଡ୍ ଜୋନରେ ଖୋର୍ଦ୍ଧା, କଟକ ଓ ପୁରୀ।

259

କନକ ବ୍ୟୁରୋ: ଓଡ଼ିଶାରେ କରୋନା ମିଟର ଉପରମୁହାଁ । ପ୍ରାୟ ୮ ମାସ ପରେ ପୁଣି ଥରେ ୫ ଶହ ଟପିଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟା ମଧ୍ୟରେ ୫୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜୁନ ୨୮ରେ ଦୈନିକ ସଂକ୍ରମଣ ଶହେ ଟପିଥିଲା, ୧୨ ଦିନ ପରେ ଏହା ୫ ଗୁଣ ବଢ଼ିଯାଇଛି । ଦୈନିକ ସଂକ୍ରମଣର ଏହି ଟେବୁଲକୁ ଦେଖିଲେ ଜଣା ପଡୁଛି, ଧୀରେ ଧୀରେ ରାଜ୍ୟରେ କିପରି କାୟା ମେଲାଇ ଚାଲିଛି କରୋନା ସଂକ୍ରମଣ ।

ଓଡ଼ିଶା କରୋନା ମିଟର
ତାରିଖ        ଆକ୍ରାନ୍ତ
ଜୁଲାଇ ୯     ୫୧୨
ଜୁଲାଇ ୬     ୪୦୧
ଜୁଲାଇ ୩     ୩୪୬
ଜୁଲାଇ ୧     ୨୦୪
ଜୁନ ୨୮      ୧୧୩

ଖୋର୍ଦ୍ଧା, କଟକ ଓ ପୁରୀରେ ଟେଷ୍ଟ-ପଜିଟିଭ୍ ରେଟ୍ ବା ସଂକ୍ରମଣ ହାର ବଢ଼ିବାରେ ଲାଗିଛି । ସଂକ୍ରମଣହାର ଦୃଷ୍ଟିରୁ ଏହି ତିନି ଜିଲ୍ଲାକୁ ରେଡ ଜୋନ୍ରେ ରଖିଛି ସ୍ୱାସ୍ଥ୍ୟୃ ବିଭାଗ । ସବୁଠାରୁ ଚିନ୍ତାଜନକ ହୋଇଛି ଖୋର୍ଦ୍ଧାର ସ୍ଥିତି, କାରଣ ଏଠାରେ ୧୦.୬ ପ୍ରତିଶତ ହୋଇଛି ସଂକ୍ରମଣହାର । ଏହାର ଅର୍ଥ ହେଉଛି ୧୦୦ ଜଣ କରୋନା ଟେଷ୍ଟ କରୁଥିବା ବେଳେ ୧୦ ଜଣରୁ ଅଧିକ ପଜିଟିଭ୍ ବାହାରୁଛନ୍ତି । ସେହିପରି ପୁରୀରେ ସଂକ୍ରମଣ ହାର ୮.୧ ପ୍ରତିଶତ ଥିବା ବେଳେ କଟକର ସଂକ୍ରମଣ ହାର ରହିଛି ୭.୭ ପ୍ରତିଶତ । ସୁନ୍ଦରଗଡ଼ର ସଂକ୍ରମଣ ହାର ୨.୯ ପ୍ରତିଶତକୁ ବୃଦ୍ଧି ପାଇଛି ।

ଜିଲ୍ଲା      ସଂକ୍ରମଣ ହାର
ଖୋର୍ଦ୍ଧା    ୧୦.୬%
ପୁରୀ         ୮.୧%
କଟକ        ୭.୭%
ସୁନ୍ଦରଗଡ଼   ୨.୯%

ରାଜ୍ୟରେ ସକ୍ରିୟ ଆକାନ୍ତଙ୍କ ସଂଖ୍ୟା ୨୭୯୫ ରହିଥିବା ବେଳେ ଖୋର୍ଦ୍ଧାରେ ସଂକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୪୫ ରହିଛି । କଟକରେ ୪୯୪ ଜଣ କରୋନା ଆକ୍ରାନ୍ତ ରହିଛନ୍ତି । ଆଶ୍ୱସ୍ତିର କଥା ହେଉଛି ସଂକ୍ରମଣ ବଢ଼ିଥିଲେ ବି ହସ୍ପିଟାଲରେ କରୋନା ରୋଗୀଙ୍କ ସଂଖ୍ୟା ସେହି ଅନୁସାରେ ବୃଦ୍ଧିହୋଇନି । ମାତ୍ର ୧.୦୧ ପ୍ରତିଶତ ଆକ୍ରାନ୍ତ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି । ଆଇସିୟୁରେ ୧୯, ସାଧାରଣ ବେଡ୍ରେ ୪ ଓ ଭେଣ୍ଟିଲେଟରରେ ୨ ଜଣ ରୋଗୀ ଅଛନ୍ତି । ସେପଟେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଭୁବନେଶ୍ୱରବାସୀଙ୍କୁ ମାସ୍କ ପିନ୍ଧିବାକୁ ଯୋଡ଼ହସ୍ତରେ ଅନୁରୋଧ କରିଛନ୍ତି । ମାସ୍କ ନପିନ୍ଧିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସତର୍କ କରିଛନ୍ତି ।