ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ଫେରିଛନ୍ତି ମହାବାହୁ। କ୍ୟାମେରାରେ କଏଦ ହେଲା ବିରଳ ମୁହୂର୍ତ୍ତ। 

116

କନକ ବ୍ୟୁରୋ: ସରିଲା ଶ୍ରୀଜିଉଙ୍କ ନଅଦିନର ଗୁଣ୍ଡିଚାଯାତ୍ରା । ଜନ୍ମବେଦୀରେ ଲୀଳାଖେଳ ସାରି ଶ୍ରୀମନ୍ଦିର ରତ୍ନବେଦୀ ଅଭିମୁଖେ ବାହୁଡିଛନ୍ତି ଶ୍ରୀଜିଉ । ସକାଳଧୂପ ପୂଜା ପରେ ମଙ୍ଗଳାର୍ପଣ ହୋଇଥିଲା । ଏହାପରେ ଆରମ୍ଭ ହୋଇଥିଲା ଶ୍ରୀଜିଉଙ୍କ ଧାଡିପହଣ୍ଡି  । ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡି କରାଯାଇ ରଥ ଉପରକୁ ଅଣାଯାଇଥିଲା । ସୁଦର୍ଶନଙ୍କ ପରେ ବଳଭଦ୍ରଙ୍କର ପହଣ୍ଡି ଆରମ୍ଭ ହୋଇଥିଲା । ବଳଭଦ୍ରଙ୍କ ପରେ ସୁଭଦ୍ରା ଏବଂ ସବୁଠାରୁ ଶେଷର ଗଣ୍ଡିଚା ମନ୍ଦିରକୁ ରଥକୁ ପହଣ୍ଡି ହୋଇ ବାହୁଡି ଆସିଥିଲେ ଜଗତର ନାଥ ଜଗନ୍ନାଥ । ଦିନ ୧୨ଟା ପହଣ୍ଡି ଆରମ୍ଭ ପାଇଁ ସମୟ ନିର୍ଘଣ୍ଟ ହୋଇଥିଲେ ବି  ନିର୍ଧାରିତ ସମୟର ୪ ଘଣ୍ଟା ପୂର୍ବରୁ ରଥକୁ ଆସିଥିଲେ ୩ ଠାକୁର । ଲୋକାରଣ୍ୟ ହୋଇପଡିଥିଲା ଶରଧାବାଲି । ହଜାର ହଜାର ଭକ୍ତଙ୍କ ଗହଳିରେ ହରିବୋଲ ହୁଳହୁଳିରେ କମ୍ପି ଉଠିଥିଲା ପରିବେଶ ।

ରଥରେ ୩ ଠାକୁର ବିରାଜମାନ  କରିବା ପରେ ସୁସଜ୍ଜିତ ପାଲିଙ୍କିରେ ଆସିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ତିନି ରଥରେ ପରମ୍ପରା ଅନୁସାରେ ଆରମ୍ଭ ହୋଇଥିଲା ଛେରାପହଁରା । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ, ତା ପରେ ସୁଭଦ୍ରାଙ୍କ ଦେବଦଳନ ଓ ଶେଷରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥରେ ଛେରାପହଁରା କରିଥିଲେ ଗଜପତି । ଛେରା ପହଁରା ପରେ ଚାରମାଳ ବନ୍ଧା ଏବଂ ଘୋଡ଼ା ଯୋଖା କରାଯାଇଥିଲା ।

ଚାରମାଳ ବନ୍ଧା ଓ ଘୋଡା ଯୋଖା ପରେ ଆରମ୍ଭ ହୋଇଥିଲା ରଥଟଣା ପ୍ରକ୍ରିୟା । ଦିନ ୪ଟା ରଥଟଣାର ନିର୍ଧାରିତ ସମୟ ହୋଇଥିଲେ ବି ୩ ଘଣ୍ଟା ପୂର୍ବର୍ରୁ  ଆରମ୍ଭ ହୋଇଯାଇଥିଲା ରଥଟଣା ପ୍ରକ୍ରିୟା । ଘଣ୍ଟଘଣ୍ଟା ଓ ହରିବୋଲ ଧ୍ୱନି ମଧ୍ୟରେ ପ୍ରଥମେ ଗଡିଥିଲା ବଳଭଦ୍ରଙ୍କ ରଥ । ପରେ ସୁଭଦ୍ରା ଏବଂ ଶେଷରେ କାଳିଆ ଠାକୁରର ରଥକୁ ଶ୍ରୀମନ୍ଦିର ଯାଏଁ ଟାଣି ନେଇଥିଲେ ।  ଭାଇଭଉଣୀଙ୍କ ସହ ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବାବେଳେ ମହାପ୍ରଭୁ ମାଉସୀ ମାଆ ଘରେ ପୋଡପିଠା ଖାଇଥିଲେ । ବାହୁଡା ଯାତ୍ରାରୁ ଫେରିବାବେଳେ ବାଟରେ ଶ୍ରୀଜୀଉଙ୍କୁ ପୋଡପିଠା ଲାଗି ହେବା ପରମ୍ପରା ବହୁଦିନରୁ ରହିଆସିଛି ।