କଂଗ୍ରେସକୁ ‘ଅପରେଶନ ଲୋଟସ୍’ର ଭୟ, ହିମାଚଳ ପହଂଚିଲେ ଭୂପେଶ ବଘେଲ ଓ ରାଜୀବ ଶୁକ୍ଳା

226

କନକ ବ୍ୟୁରୋ : ହିମାଚଳ ପ୍ରଦେଶରେ ବିଧାନସଭା ପାଇଁ ହୋଇଥିବା ମତଦାନର ଗଣତି ଚାଲିଛି । ହେଲେ ଏପର୍ଯ୍ୟନ୍ତ ମିଳିଥିବା ଫଳାଫଳ ମୁତାବକ କଂଗ୍ରେସ ସେଠାରେ ସରକାର ଗଠନ କରିବାକୁ ଯାଉଛି । ହେଲେ କଂଗ୍ରେସକୁ ଅପରେଶନ ଲୋଟସ୍ ର ଭୟ ଲାଗି ରହିଛି । କାଳେ ବିଜେପି ତରଫରୁ ପୁଣି ଘୋଡ ବେପାର କରି କଂଗ୍ରେସ ବିଧାୟକଙ୍କୁ କିଣିନେବ ସେହି ଭୟରେ କଂଗ୍ରେସ ତରଫରୁ ବିଜୟୀ ହୋଇଥିବା ବିଧାୟକଙ୍କୁ ରାଜସ୍ଥାନ ନେଇଯିବାକୁ ଚିନ୍ତା କରିଛି ଦଳ । ଏହି କ୍ରମରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ କଂଗ୍ରେସ ରାଜ୍ୟ ପ୍ରଭାରୀ ରାଜୀବ ଶୁକ୍ଳା ଓ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରସିଂ ହୁଡ୍ଡା ସିମଳା ଯାଉଛନ୍ତି ।

ହିମାଚଳ ପ୍ରଦେଶରେ କଂଗ୍ରେସର ବିଜୟକୁ ନେଇ ରାଜୀବ ଶୁକ୍ଳା କହିଛନ୍ତି ଯେ ଦଳ ଏବେ ଜନତାଙ୍କ ସ୍ୱାର୍ଥରେ କାମ କରିବ । ଏହାସହ ହିମାଚଳ ନିର୍ବାଚନ ବେଳେ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରୟାସକୁ ଧନ୍ୟବାଦ ଦେଇଛନ୍ତି ରାଜୀବ । ସେପଟେ ଏବେ ସୁଦ୍ଧା ଆସିଥିବା ଟ୍ରେଣ୍ଡ ମୁତାବକ ହିମାଚଳରେ ବିଜେପି ୨୨ ଟି ଆସନରେ ବିଜୟୀ ହୋଇଥିବା ବେଳେ ୪ ଟି ଆସନରେ ଆଗୁଆ ରହିଛି । କଂଗ୍ରେସ ୩୬ ଟି ଆସନରେ ବିଜୟୀ ହୋଇଥିବା ବେଳେ ୩ ଟି ଆସନରେ ଆଗୁଆ ରହିଛି । ଅନ୍ୟଦଳମାନଙ୍କୁ ମୋଟ ୩ ଟି ଆସନ ମିଳିଛି ।

ସେପଟେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ରାଜସ୍ଥାନ ପହଂଚିସାରିଛନ୍ତି । ସୂଚନା ମୁତାବକ ହିମାଚଳ ପ୍ରଦେଶରୁ ବିଜୟୀ ହୋଇଥିବା ସମସ୍ତ କଂଗ୍ରେସ ବିଧାୟକଙ୍କୁ ରଣନ୍ଥଭୋର ସ୍ଥିତ ହୋଟେଲ ଶୋରବାଘରେ ରଖାଯିବା ।