ପଦ୍ମପୁରରେ ଫୁଟିଲାନି ‘ପଦ୍ମ’: ପଲିଟିକ୍ସର ପରୀକ୍ଷାରେ କାହିଁକି ଫେଲ୍ ମାରିଲା ବିଜେପି?

217

କନକ ବ୍ୟୁରୋ: ଧାମନଗର ପରେ ପଦ୍ମପୁରରେ ଧିମେଇ ଗଲା ବିଜେପି । ପଦ୍ମପୁରରେ ହାଇଭୋଲଟେଜ୍ ପ୍ରଚାର ସତ୍ୱେ ଫୁଟି ପାରିଲାନି ‘ପଦ୍ମ’ । ମାଳ ମାଳ କେନ୍ଦ୍ରମନ୍ତ୍ରୀ, ସେଲିବ୍ରିଟି ପ୍ରଚାର କରିକି ବି ବ୍ୟାକଫୁଟରେ ରହିଗଲା ବିଜେପି ଟିମ୍ । ପରାଜୟ ପରେ ପୋଷ୍ଟମର୍ଟମ ହେବା ସ୍ୱାଭାବିକ, କିଏ, କାହିଁକି, କେମିତି, କେଉଁଠି, ଅଧିକ କମ୍ କେଉଁଥିରେ ରହିଗଲେ ତାର ତର୍ଜମା କରିବେ ପରାଜିତ ଦଳ । ହେଲେ ବିରୋଧୀ ଦଳ ବିଜେପିର ଶୋଚନୀୟ ପରାଜୟ ପାଇଁ କିଏ ଦାୟୀ, କାହା ମୁଣ୍ଡରେ ଖଣ୍ଡା ଝୁଲାଇବେ ଶୀର୍ଷ ନେତା, ତାକୁ ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି ।

କୁହାଯାଉଛି, ବିଜେପି ନେତାମାନେ ବର୍ଷାଙ୍କୁ ବ୍ୟକ୍ତଗତ ଆକ୍ଷେପ କରିବା ଦଳ ପାଇଁ ମହଙ୍ଗା ପଡ଼ିଛି । କାରଣ ରାଜନୀତି ପଶାପାଲିରେ ମହିଳା ଭୋଟ୍ ସବୁବେବେଳ ଟର୍ଣ୍ଣିଂ ପଏଣ୍ଟ୍ ସାଜି ଆସିଛି । ବର୍ଷାଙ୍କ ଆଖିର ଲୁହ ହୁଏ ତ ବିଜେପି ବିଜୟ ବାଟରେ ଲକ୍ଷ୍ମଣରେଖା ଟାଣିଦେଥିବା ରାଜନୀତି ସମୀକ୍ଷକମାନେ ଆକଳନ କରୁଛନ୍ତି ।

ଧାମନଗର ବିଜୟ ପରେ ବିଜେପି ପଦ୍ମପୁର ପାଇଁ ପାୱାରଫୁଲ୍ ପ୍ରାର୍ଥୀ ଓହ୍ଲାଇଥିଲେ ବି, ରାଜନୀତିର ରଣନୀତି ଏଠାରେ ଧାମନଗର ଭଳି କାମ ଦେଲାନି । ବିଜେପି ପ୍ରଚାର ପ୍ରସାରରେ ବି କିଛି କମ୍ ନଥିଲା କିନ୍ତୁ ପ୍ରସଙ୍ଗ କେବଳ ଚାଷ ଓ ଚାଷୀ ହିଁ ଥିଲା । ସ୍ଥାନୀୟ ଲୋକଙ୍କ ସମସ୍ୟା କେବଳ ଚାଷ ନୁହେଁ ବୋଲି ଭୋଟ୍ ବ୍ୟାଙ୍କରୁ ବାରି ହୋଇପଡୁଥିବାବେଳେ ପଲିଟିକ୍ସର କେଉଁ ପଙ୍କୁଆ ପୋଖରୀରେ ‘ପଦ୍ମ’ ଲୁଚିଗଲା ତାହା ଏବେ ସନ୍ଧାନ କରିବା ଦିଗରେ ଲାଗିବେ ନେତା ବୋଲି ପଲିଟିକ୍ସର ପଣ୍ଡିତ ମାନେ ମତ ରଖିଛନ୍ତି ।

ଏପରିକି ଘର ଢ଼ିଙ୍କୀ କୁମ୍ଭୀର ଭଳି ଦଳୀୟ ଅନ୍ତର୍ଘାତୀ କାର୍ଯ୍ୟକଳାପ ମଧ୍ୟ ବିଜେପିର ବାଟରେ କଣ୍ଟା ସାଜିଥିବା ଶୁଣାଯାଉଛି । ଦଳ ଭିତରେ ସବୁକିଛି ଠିକ୍ କହୁଥିବା ଶୀର୍ଷ ନେତା ଓ କୁଜି ନେତାଙ୍କ ମଧ୍ୟରେ କିଛି ଠିକ୍ ନଥିବା ଫଳାଫଳରୁ ବାରି ହୋଇପଡୁଥିବା ଚର୍ଚ୍ଚା ହେଉଛି । ଏପରିକି କିଛି ନେତା ପଇସା ନେଇ ମଧ୍ୟ କମା କଲେନି ବରଂ ଘରେ ବସିପଡ଼ିଥିବାରୁ ଆଜିର ରେଜଲ୍ଟ ଏମିତି ବୋଲି କୁହାଯାଉଛି ।

ଧାମନଗର ପରେ ବିଜେପିର ବିଜୟ ବାଟରେ କାହିଁକି ଲାଗିଲା ବ୍ରେକ୍, ଦିଲ୍ଲୀ ଦରବାରରୁ ପ୍ରାର୍ଥୀ ଚୟନରେ ମୋହର ଆସିବା ପରେ, ମୈଦାନକୁ ଜଣେ ପାୱାରଫୁଲ୍ ପ୍ରାର୍ଥୀ ଛାଡ଼ିଥିଲା ବିଜେପି ହେଲେ ମହିଳା ପ୍ରାର୍ଥୀଙ୍କ ଆଗରେ ତିଷ୍ଟି ନପାରିବା ଦଳକୁ ଏକ ଶକ୍ତ ଝଟକା ଦେଇଛି । ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବାବେଳେ ବିଜେପିର ଏହି ଉପନିର୍ବାଚନ ପରାଜୟ କେତେ ପ୍ରଭାବିତ କରିବ ତାହା ଆଗାମୀ ଭବିଷ୍ୟତ କହିବ ।