ଲଘୁଚାପ ପ୍ରଭାବରେ ବର୍ଷା : ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ; ବିପଦ ସଙ୍କେତ ଉପରେ ଜଳକା,ଫୁଲୁଛି ବୈତରଣୀ ନଦୀ

796

କନକ ବ୍ୟୁରୋ : ପୁଣି ସକ୍ରିୟ ହେଲା ମୌସୁମୀ । ଆହୁରି ୨ ଦିନ ବର୍ଷା । ଦକ୍ଷିଣ ଓଡିଶା ଉପରେ କେନ୍ଦ୍ରୀଭୂତ ଲଘୁଚାପ ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଛତିଶଗଡ ଆଡକୁ ଗତି କରୁଛି । ଏହା କ୍ରମଶଃ ଦୁର୍ବଳ ହୋଇଯାଉଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ତେବେ ଲଘୁଚାପ ପ୍ରଭାବରେ ରାଜ୍ୟରେ ମୌସୁମୀ ବାୟୁ ପୁଣି ସକ୍ରିୟ ହୋଇଛି ।

ଆସନ୍ତା ୨ ଦିନ ରାଜ୍ୟରେ ବର୍ଷା ହେବ । ଆଜି ଉତର ଓଡିଶାରେ ପ୍ରବଳ ବର୍ଷା ହେବ । ଜଗତସିଂହପୁର, କେନ୍ଦ୍ରାପଡା ସମେତ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । କିନ୍ତୁ ଦକ୍ଷିଣରେ କମ୍ ବର୍ଷା ହୋଇପାରେ । ଆଜି ରାଜ୍ୟରେ ୧୦ଟି ଜିଲ୍ଲାରେ ପ୍ରବଳବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହିସବୁ ଜିଲ୍ଲା ହେଲା ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ, ବରଗଡ, ନୂଆପଡା, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର । ଏପରିକି ଗୋଟିଏ ଦୁଇଟି ସ୍ଥାନରେ ୭ରୁ ୨୦ ସେଣ୍ଟିମିଟର ଯାଏଁ ବର୍ଷା ହୋଇପାରେ ।

ସେହିପରି ୧୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି । ମଥାନୀ ଠାରେ ବିପଦ ସଙ୍କେତ ୫ଦଶମିକ ୫୦ ମିଟର ଥିବା ବେଳେ ଏହା ନିକଟରେ ପ୍ରବାହିତ ହେଉଛି ବର୍ଷାଜଳ । ସେହିପରି ପ୍ରବଳ ବର୍ଷା ଯୋଗୁ ଫୁଲୁଛି ବଂଶଧାରା ନଦୀ । ଏହାରି ଭିତରେ ଆସନ୍ତା ୧୭ ତାରିଖ ଦିନ ଆଉ ଏକ ଲଘୁଚାପ ଆସିପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଯାହା ଚିନ୍ତାକୁ ବଢାଇ ଦେଇଛି ।