କଂଗ୍ରେସ ଛାଡିବା ପରେ ବଦଳିଲା ଗୁଲାମ ନବୀଙ୍କ ସ୍ୱର : କହିଲେ, ଧାରା ୩୭୦ ଓ ୩୫ଏ ପୁଣି ଥରେ ଲାଗୁ ହୋଇପାରିବ ନାହିଁ

346

କନକ ବ୍ୟୁରୋ : କଂଗ୍ରେସ ଛାଡିବା ପରେ ବଦଳିଛି ଗୁଲାମ ନବୀ ଆଜାଦଙ୍କ ସ୍ୱର । ଧାରା ୩୭୦ ଓ ୩୫ ଏ ଜମ୍ମୁ କଶ୍ମୀରରୁ ଉଚ୍ଛେଦ ହୋଇଛି । ଏବେ ଏହା ଆଉଥରେ ଲାଗୁ ହୋଇପାରିବ ନାହିଁ । ଯେଉଁମାନେ ଲାଗୁ ହେବ ବୋଲି କହୁଛନ୍ତି ସେମାନେ ଜମ୍ମୁ କଶ୍ମୀରବାସୀଙ୍କୁ ମିଛ ପ୍ରତିଶ୍ରୁତି ଦେଉଛନ୍ତି । ଏଭଳି କହି ସେମାନେ କେବଳ ଭୋଟ୍ ବ୍ୟାଙ୍କ କଥା ଚିନ୍ତା କରୁଛନ୍ତି । ଏଥିସହ ଲୋକଙ୍କୁ ଉସକାଇ ହିଂସା କରିବାକୁ ଚେଷ୍ଟା କରୁଛନ୍ତି । ଗତକାଲି ଉତର କଶ୍ମୀର ବରମୁଲାରେ ଏକ ରାଲି କରିବା ବେଳେ ଗୁଲାମ ନବୀ ଆଜାଦ ଏହା କହିଛନ୍ତି ।

ଏପରି କହି ସେ ତାଙ୍କର ପୂର୍ବତନ ଦଳ କଂଗ୍ରେସ, ଜମ୍ମୁ କଶ୍ମୀରର ପିଡିପି, ଏନସିପିକୁ ଟାର୍ଗେଟ କରିଛନ୍ତି । ଧାରା ୩୭୦ ଉଚ୍ଛେଦକୁ ଏହିସବୁ ଦଳ ସଂସଦରେ ବିରୋଧ କରିଥିଲେ । ଏମିତିକି ସଂସଦରେ ଗୁଲାମ ନବୀ ଆଜାଦ ମଧ୍ୟ ନିଜେ ବିରୋଧ କରିଥିଲେ । ଏବେ କଂଗ୍ରେସ ଛାଡିବା ପରେ ଗୁଲାମନବୀ ଜମ୍ମୁ କଶ୍ମୀରରେ ଦ୍ୱିତୀୟ ରାଜନୈତିକ ଇନିଂସ ଆରମ୍ଭ କରିଛନ୍ତି । ସେ ୧୦ ଦିନ ଭିତରେ ତାଙ୍କ ନୂଆ ଦଳ ଘୋଷଣା କରିବେ ବୋଲି କହିଛନ୍ତି । ଏହି ସମୟରେ ସେ କହିଛନ୍ତି, ଜମ୍ମୁ କଶ୍ମୀରରେ ମିଛ କଥା ରାଜନୀତି ଚାଲିବ ନାହିଁ । ଯଦି ଚାଲିବ ତାହେଲେ ସେହି ବ୍ୟକ୍ତି ତାଙ୍କୁ ପ୍ରଥମେ ସାମ୍ନା କରିବେ ।