ଗୁରୁପ୍ରିୟା ସେତୁରେ ଗଡିଲା ବିକାଶର ଗାଡି : ବିଚ୍ଛିନ୍ନାଂଚଳରେ ମିଳିବ ବିଶୁଦ୍ଧ ପିଇବା ପାଣି, ଜାନବାଇରେ ବୋରୱେଲ ଖୋଳା କାମ ଆରମ୍ଭ କଲା ପ୍ରଶାସନ

23

କନକ ବ୍ୟୁରୋ : ଗୁରୁପ୍ରିୟା ସେତୁ ଉପରେ ଗଡିଲା ବିକାଶର ଗାଡି । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ପରେ ସ୍ୱାଭିମାନ ଅଂଚଳରେ ପଂଚିଛି ମୌଳିକ ସୁବିଧା । ମାଲକାନଗିରିର ପୂର୍ବ ବିଚ୍ଛିନ୍ନାଂଚଳ ତଥା ବର୍ତ୍ତମାନର ସ୍ୱାଭିମାନ ଅଂଚଳରେ ପ୍ରାଥମିକ ପର୍ଯ୍ୟାୟରେ ପିଇବା ପାଣି ଯୋଗାଇବା ପାଇଁ ଖୋଳା ହୋଇଛି ବୋରୱଲ ।

ସଂପର୍କର ସେତୁ ଦେଇ ସ୍ୱାଭିମାନ ଅଂଚଳରେ ପହିଂଚିଛି ବିକାଶର ଗାଡି । ଗୁରୁପ୍ରିୟା ଉଦଘାଟନ ଅବସରରେ ମାଲକାନଗିରି ଚିତ୍ରକୋଣ୍ଡାର ବିଚ୍ଛିନ୍ନାଂଚଳକୁ ମୁଖ୍ୟମନ୍ତ୍ରୀ ସ୍ୱାଭିମାନ ଅଂଚଳ ଭାବେ ଘୋଷଣା କରିବା ପରେ ଆଗେଇଛି ବିକାଶମୂଳ ଯୋଜନା । ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ପରେ, ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଲାଗିପଡିଛି ଜିଲ୍ଲା ପ୍ରଶାସନ । ଆଉ ବିକାଶର ପ୍ରଥମ ପାହାଚ ରୂପେ ଗୁରୁପ୍ରିୟା ସେତୁ ଦେଇ ସ୍ୱାଭିମାନ ଅଂଚଳରେ ପହଂଚିଛି ବୋରୱେଲ ଗାଡି । ପାନୀୟ ଜଳ ଯୋଗାଇବା ଜାନବାଇର ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପାଖରେ ଖୋଳା ହେଉଛି ନଳକୂଅ ।

ବର୍ଷ ବର୍ଷ ଧରି ଜଳବନ୍ଦୀ ଜୀବନ ବିତାଉଥିବା ଅଂଚଳବାସୀଙ୍କୁ ସ୍ୱାଭିମାନର ସହ ବଂଚିବା ପାଇଁ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର । ପ୍ରାଥମିକ ପର୍ଯ୍ୟାୟରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ବିଚ୍ଛିନ୍ନାଂଚଳ କୁହାଯାଉଥିବା ବର୍ତ୍ତମାନର ସ୍ୱାଭିମାନ ଅଂଚଳରେ ନଳକୂଅ ଖନନ ଦେଖି ଖୁସିର ମାହୋଲ ଖେଳିଯାଇଛି । ଏହାସହ ଗାଁକୁ ସ୍ୱାଭିମାନ ଅଂଚର ଗାଁକୁ ଗାଁ ଯୋଡିବା ପାଇଁ ରାସ୍ତା, ରହିବାକୁ ଘର ଯୋଗାଇବା ପାଇଁ ବିଜୁ ପକ୍କାଘର ନିର୍ମାଣ କାମ ମଧ୍ୟ ଆରମ୍ଭ ହୋଇଛି ।ଆଗକୁ ଅନ୍ୟ ସବୁ ଯୋଜନା ଧୀରେ ଧୀରେ ପହଂଚିବ ବୋଲି ଆଶା ରଖିଛନ୍ତି ।