ମଧ୍ୟାହ୍ନ ଭୋଜନରେ ପୋକ : ସ୍କୁଲ ପିଲାମାନେ ଖାଉଛନ୍ତି ପୋକ ସାଲୁବାଲୁ ଚାଉଳ

26

କନକ ବ୍ୟୁରୋ: ମଧ୍ୟାହ୍ନ ଭୋଜନରେ ପୋକ । ସ୍କୁଲ ପିଲା ଖାଉଛନ୍ତି ପୋକ ସାଲୁବାଲୁ ଭାତ । ଏଭଳି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଏକ ପ୍ରମୁଖ ବିଦ୍ୟାଳୟରେ । ଖରା ଛୁଟି ପୂର୍ବରୁ ବିଦ୍ୟାଳୟରେ ଗଚ୍ଛିତ ରଖାଯାଇଥିବା ଚାଉଳକୁ ପ୍ରତିଦିନ କୁନି କୁନି ପିଲାଙ୍କୁ ପରସାଯାଉଛି । ଦିନେ ନୁହେଁ ବାରମ୍ବାର ଚାଉଳରୁ ପୋକ ବହାରିବା ପରେ ମଧ୍ୟ ବିଦ୍ୟାଳୟ କର୍ତ୍ତୁପକ୍ଷ ଏହାକୁ ଅଣଦେଖା କରି କୁନି କୁନି ପିଲାଙ୍କ ଜୀବନ ସହିତ ଖେଳ ଖେଳୁଥିଲେ । ତେବେ ଅଭିଭାବକ ମାନେ ଏହି ଘଟଣା ଜାଣିବା ପରେ ବିଦ୍ୟାଳୟରେ ଉତେଜନା ଦେଖାଦେଇଛି । ଯାହାକୁ ନେଇ ସ୍ଥାନୀୟ ବିଧାୟକ ସ୍ଥାନୀୟ ସ୍କୁଲକୁ ଯାଇ ଘଟଣା ବିଷୟରେ ବୁଝାସୁଝା କରିଛନ୍ତି ।

ଛୋଟ ଛୋଟ କୁନି ପିଲା ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ଯାଉଛନ୍ତି । ତାଙ୍କ ପାଇଁ ସରକାରୀ ସ୍ତରରୁ ମଧ୍ୟାନ୍ନ ଭୋଜନର ବ୍ୟବସ୍ଥା କରାଯାଇଛି । ହେଲେ ମାଲକାନଗିରି ସଦର ମହକୁମା ସ୍ଥିତ ବି.ବିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କୁ ଅଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି । ଗତ ଏପ୍ରିଲ ମାସ ଠାରୁ ଏପରି ପୋକରା ଚାଉଳ ଦିଆ ଯାଉଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ସୁଚନା ମୁତାବକ ଖରା ଛୁଟି ପରେ ଏବେ ବିଦ୍ୟାଳୟ ଖୋଲିବା ପରେ ମଧ୍ୟ ଏପରି ଅଖାଦ୍ୟ ଖାଇବାକୁ ବାଧ୍ୟ ହୋଉଛନ୍ତି କୁନି କୁନି ପିଲା । ଏ ନେଇ ପ୍ରଧାନ ଶିକ୍ଷକଙ୍କୁ ବାରମ୍ବାର ଅବଗତ କରାଇ ମଧ୍ୟ କୌଣସି ସୁଫଳ ପାଇ ମିଳି ନଥିବା ଅଭିଯୋଗ କରିଛନ୍ତି ଅଭିଭାବକ ।

ସବୁଠାରୁ ବଡ କଥା ହେଲା ପୁରୁଣା ଚାଉଳକୁ ପଛଡା ଯାଇ ପିଲାଙ୍କୁ ଦିଆ ଯାଉଥିବା ସ୍ୱୀକାର କରିଛନ୍ତି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ । ତେବେ ପୁରୁଣା ଚାଉଳ ଫେରା ଯାଇ ପାରି ନ ଥିବାରୁ ସେଗୁଡିକ ଶେଷ କରିବା ପରେ ନୂଆ ଚାଉଳ ଦେବେ ବୋଲି କହିଛନ୍ତି ପ୍ରଧାନ ଶିକ୍ଷକ । ତେବେ ଖବର ପାଇ ସ୍ଥାନୀୟ ବିଧାୟକ ମାନସ ମାଡକାମି ବିଦ୍ୟାଳୟରେ ପହଁଚି ପ୍ରଧାନ ଶିକ୍ଷକଙ୍କୁ ତାଗିଦ କରିବା ସହ ପୋକରା ଚାଉଳ ଫେରାଇ ଦେବାକୁ ନିର୍ଦେଶ ଦେଇଛନ୍ତି । ପୂର୍ବରୁ ଅନେକ ଆବାସିକ ବିଦ୍ୟାଳୟ ଓ ଆଙ୍ଗନଓାଡି କେନ୍ଦ୍ର ରେ ଏପରି ପୋକରା ଚାଉଳ ଦିଆ ଯିବାର ନଜିର ରହିଛି । ଏଫ.ସିଆ.ଇ ଗୋଦାମ ରେ ଏପରି ପୋକରା ଚାଉଳ ଥିବା ନେଇ ପୂର୍ବରୁ ଯୋଗାଣ ସଚିବ ଅନୁଧ୍ୟାନ କରି ସେଗୁଡିକ ଗୋଦାମ ରୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ମାଲକାନଗିରି ଜିଲ୍ଲାରୁ ପୋକରା ଚାଉଳ କେଳେଙ୍କାରୀ ଶେଷ ହେବାର ନାଁ ନେଉନି । ଯାହାକୁ ନେଇ ଚିନ୍ତାରେ ଅଭିଭାବକ ।