ବିଜେପିର ଚୈତନ୍ୟ ଦ୍ୱନ୍ଦ୍ୱ । ଏସଟି ଆସନରେ ଏସସିଙ୍କୁ ଟିକେଟ?

558

କନକ ବ୍ୟୁରୋ: ପ୍ରାର୍ଥୀ ଘୋଷଣା ପରେ ବିଜେପିରେ ଅସନ୍ତୋଷ ତେଜିଛି । ଆଉ ଏଥିରେ ପୁଣି କେଁ ପୁରାଇଛି ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନମଣ୍ଡଳୀ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ଥିବାବେଳେ ବିଜେପି ଅନୁସୂଚିତ ଜାତି ବର୍ଗର ବ୍ୟକ୍ତିଙ୍କୁ ଟିକେଟ ଦେଇଥିବା ଅଭିଯୋଗ ହୋଇଛି । ଏହି ଆସନରେ ଚୈତନ୍ୟ ହନ୍ତାଳକୁ ପ୍ରାର୍ଥୀ କରିଛି ବିଜେପି । ତେବେ ସେ ଆଦିବାସୀ ନୁହନ୍ତି ବୋଲି କୋରାପୁଟ ଜିଲ୍ଲା ମିଳିତ ଆଦିବାସୀ ମଞ୍ଚ ପ୍ରସଙ୍ଗ ଉଠାଇବା ପରେ ପ୍ରସଙ୍ଗ ପହଞ୍ଚିଛି ରାଜ୍ୟ ବିଜେପି ଅଫିସରେ ।

ଏଠାକୁ ଆସିଛନ୍ତି ଚୈତନ୍ୟ ମାନ୍ଦବଲି । ଚୈତନ୍ୟ ହେନ୍ତାଳ ଏସସି ବର୍ଗର ବୋଲି ସମସ୍ତ ପ୍ରମାଣପତ୍ର ଧରି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭେଟିଛନ୍ତି । ଆଉ ତର୍ଜମା ପରେ ରାଜ୍ୟ ନେତୃତ୍ୱ ପ୍ରାର୍ଥୀ ବଦଳିବ ବୋଲି ସଙ୍କେତ ଦେଇଛନ୍ତି । ଚୈତନ୍ୟ ମାନ୍ଦବଲ କହିଛନ୍ତି, ହନ୍ତାଳଙ୍କ ବଦଳରେ ତାଙ୍କୁ ଟିକେଟ ଦିଆଯିବ ବୋଲି ଆଶ୍ୱାସନା ମିଳିଛି । ତେବେ ସାମ୍ବାଦିକ ସମ୍ମିଳନୀରେ ଚୈତନ୍ୟ ହନ୍ତାଳ କହିଛନ୍ତି ସେ ଅନୁସୁଚିତ ଜନଜାତିର । ଏ ନେଇ ସେ ତଥ୍ୟ ପ୍ରମାଣ ବି ରଖିଛନ୍ତି । ପ୍ରଶ୍ନ ଉଠୁଛି, କିଏ ଠିକ କହୁଛି?

  • କେମିତି ଭୁଲ କଲା ଟେକ୍ନିକାଲ କମିଟି?
  • ସଂସଦୀୟ କମିଟି ନେବ ପ୍ରାର୍ଥୀ ବଦଳାଇବା ନିଷ୍ପତ୍ତି!

ବିଜେପିର ପ୍ରାର୍ଥୀ ଚୟନ ପ୍ରକ୍ରିୟା ଅନ୍ୟ ଦଳଠାରୁ ଭିନ୍ନ…

  • କୋର କମିଟିରେ ନିର୍ବାଚନମଣ୍ଡଳୀୱାରି ପ୍ରାର୍ଥୀଙ୍କ ବିଷୟରେ ଆଲୋଚନା କରାଯାଏ
  • ରାଜ୍ୟ ନିର୍ବାଚନ କମିଟିରେ ଏକାଧିକ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରାଯାଏ
  • ସମ୍ଭାବ୍ୟ ତାଲିକାକୁ ଦିଲ୍ଲୀ ପଠାଯାଇଥାଏ, ଯେଉଁଠି ପ୍ରାର୍ଥୀଙ୍କ ନାଁରେ ମୋହର ବାଜେ

ଏତେ ସବୁ ପ୍ରକ୍ରିୟା ଭିତରେ ପ୍ରାର୍ଥୀ କେମିତି ଭୁଲ ହେଲା ତାହା ବଡ ପ୍ରଶ୍ନ ସୃଷ୍ଟି କରିଛି । ଆଉ ପ୍ରଭାରୀ ଏହାକୁ ସିଧାସଳଖ ନ ମାନି କହିଛନ୍ତି, ଏଭଳି ଟେକ୍ନିକାଲ ତ୍ରୁଟି ଥିଲେ ପ୍ରାର୍ଥୀ ବଦଳିପାରନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟ ବିଜେପି ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ଏହାକୁ ନେଇ ରାଜ୍ୟ ଅଫିସରେ ଅସନ୍ତୋଷର ନିଆଁ ଜଳୁଛି । ୩ଟି ଆସନ ଦିଗପହଣ୍ଡି, ଧର୍ମଶାଳା ଓ ବଡମ୍ବାରେ ପ୍ରାର୍ଥୀ ବଦଳିବା ନିଶ୍ଚିତ ବୋଲି ଚର୍ଚ୍ଚା ଜୋର ଧରିଛି । ଆଉ ଏଭଳି ସମୟରେ ପଟାଙ୍ଗୀ ଦ୍ୱନ୍ଦ୍ୱ ବିଜେପି ପାଇଁ ନୂଆ ସମସ୍ୟା ଆଣିଛି ।