ପ୍ରଧାନମନ୍ତ୍ରୀଙ୍କୁ ନେଇ ବିବାଦୀୟ ବୟାନ: ମେଘାଳୟ ରାଜ୍ୟପାଳ କହିଲେ, ମୋଦୀ ଜଣେ ଗର୍ବି ମଣିଷ, ଭିଡିଓ ଭାଇରାଲ ହେବା ପରେ ମାଗିଲେ କ୍ଷମା

185

କନକ ବ୍ୟୁରୋ: ଅଡୁଆରେ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଏବେ ଚର୍ଚ୍ଚାର କେନ୍ଦ୍ର ସାଜିଛନ୍ତି ସତ୍ୟପାଲ । ପ୍ରଧାନମନ୍ତ୍ରୀ ଜଣେ ଅତି ଘମଣ୍ଡି ଲୋକ କହିବାର ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସତ୍ୟପାଲ ମଲ୍ଲିକ, ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ନେଇ ବିବାଦୀୟ ବୟାନ ଦେଉଥିବା ଦେଖିବାକୁ ମିଳିଛି । ଭିଡିଓରେ ସତ୍ୟପାଲ ମଲ୍ଲିକ କହିଛନ୍ତି, ଚାଷି ଆନ୍ଦୋଳନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭେଟିଥିଲେ ।

ଯେଉଁଥିରେ ଆଲୋଚନା ଆରମ୍ଭରୁ ହିଁ ମୋଦୀଙ୍କ ସହ ତାଙ୍କର ଝଗଡା ହୋଇଯାଇଥିଲା । ରାଜ୍ୟପାଳ ସତ୍ୟପାଳ ମଲ୍ଲିକ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଚାଷି ଆନ୍ଦୋଳନରେ ୫୦୦ ରୁ ଅଧିକ କୃଷକ ପ୍ରାଣ ହରାଇଲେଣି । ଯାହାର ଉତରରେ ମୋଦୀ କହିଥିଲେ କଣ ସେମାନେ ମୋ ପାଇଁ ପ୍ରାଣ ହରାଇଲେ କି? ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ବୋଲି ଭିଡିଓରେ ସତ୍ୟପାଲ ମଲ୍ଲିକ କହୁଥିବା ଦେଖିବାକୁ ମିଳିଛି ।

ରାଜସ୍ଥାନରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନା ବିଷୟରେ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲୀକ ମନ୍ତବ୍ୟ ଦେଉଥିବା ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଭିଡିଓଟି ଭାଇରାଲ ହେବା ପରେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ମାଗିଥିବା ଚର୍ଚ୍ଚା ହେଉଛି ।