ଭୁୁବନେଶ୍ୱର : ସାଲିଆ ସାହିର ଇସାକ୍ ଦିଗାଲର ମୃତ୍ୟୁ ଘଟଣା, କମିଶନରେଟ ପୁଲିସକୁ ରିପୋର୍ଟ ତଲବ

29

କନକ ବ୍ୟୁରୋ : ସାଲିଆ ସାହି ଆଦିବାସୀ ବସ୍ତିର ଇସାକ୍ ଦିଗାଲର ମୃତ୍ୟୁ ଘଟଣାରେ କମିଶନରେଟ ପୁଲିସକୁ ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । କେମିତି ଓ କେଉଁ ପିରସ୍ଥିତିରେ ଇସାକର ମୃତ୍ୟୁ ହେଲା ସେନେଇ, ୭ ଦିନ ଭିତରେ ରିପୋର୍ଟ ଦେବା ପାଇଁ କମିଶନରେଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ କମିଶନରେଟ ପୁଲିସ ଘଟଣାର ତଦନ୍ତ କରି, ନୟାପଲ୍ଲୀ ଥାନା ଏ.ଏସ.ଆଇ ଏନ.ସି ସ୍ୱାଇଁଙ୍କୁ ନିଲମ୍ବିତ କରିବା ସହ ଥାନା ଆଇ.ଆଇ.ସିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

ତେବେ ଗତ ୫ ତାରିଖ ବିଳମ୍ବିତ ରାତିରେ ଇସାକ ଦିଗାଲ ସାଲିଆ ସାହି ସ୍ଥିତ ଘରକୁ ଫେରୁଥିବା ବେଳେ, ଦୁର୍ଘଟଣାର ଶିକାର ହୋଇଥିଲେ । ନୟାପଲ୍ଲୀ ଥାନା ପିସିଆର ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ପରେ ତାଙ୍କୁ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ୭୨ ଘଂଟା ପରେ, ପରିଚୟ ନମିଳିବାରୁ ତାଙ୍କୁ ପୋଡି ଦିଆଯାଇଛି ବୋଲି ଜଣା ପଡିଥିଲା । ତେବେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ପରିବାର ଓ ସାହି ବାସିନ୍ଦା ।