ସ୍ତ୍ରୀ କର୍ପୋରେଟର ହେଲେ ସ୍ୱାମୀ ମାମଲତକାର । ମେୟରଙ୍କ ସହ କର୍ପୋରେଟରଙ୍କ ସ୍ୱାମୀ ୱାର୍ଡ ବୁଲିବା ପରେ ମହିଳା ସଶକ୍ତିକରଣକୁ ନେଇ ଉଠିଲା ପ୍ରଶ୍ନ  

288

କନକ ବ୍ୟୁରୋ: ସ୍ତ୍ରୀ କର୍ପୋରେଟର ହେଲେ ସ୍ୱାମୀ ମାମଲତକାର । ଗତକାଲି ଭୁବନେଶ୍ୱର ମେୟର ସୁଲୋଚନା ଦାସ ୱାର୍ଡ ପରିକ୍ରମା କରୁଥିବା ବେଳେ ମେୟରଙ୍କ ସହ କର୍ପୋରେଟରମାନେ ନଥିଲେ, ତାଙ୍କ ସ୍ୱାମୀ ମାନେ ୱାର୍ଡ ପରିକ୍ରମା କରୁଥିଲେ । ମହିଳା ସଶକ୍ତିକରଣ ଉଦ୍ଦେଶ୍ୟରେ ଅଧିକ ମହିଳାଙ୍କୁ ରାଜନୈତିକ ଦଳମାନେ ସୁଯୋଗ ଦେଇଥିଲେ, କିନ୍ତୁ ବାସ୍ତବ କ୍ଷେତ୍ରରେ ଯାହା ଘଟୁଛି, ତାହା ମୂଳ ଉଦ୍ଦେଶ୍ୟ ଉପରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି ।

ଗୁରୁବାର ମେୟର ସୁଲୋଚନା ଦାସ ଭୁବନେଶ୍ୱରର ୩୭, ୩୮ ଓ ୩୯ ନମ୍ବର ୱାର୍ଡ ପରିକ୍ରମା କରୁଥିଲେ । ପ୍ରଶାସକଙ୍କ ହାତରୁ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚିତ ଜନପ୍ରତିନିଧିଙ୍କ ହାତକୁ ଆସିବା ପରେ ବିକାଶ କାମ ଆହୁରି ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଥିଲା । ଲୋକଙ୍କ ଆଶାକୁ ପୂରଣ କରିବା ପାଇଁ ଭୁବନେଶ୍ୱର ମେୟର ସୁଲୋଚନା ଦାସ ମଧ୍ୟ ୱାର୍ଡକୁ ୱାର୍ଡ ବୁଲି ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ । କିନ୍ତୁ ବିଡମ୍ବନା ହେଉଛି, ମେୟରଙ୍କ ସାଙ୍ଗରେ ନଥିଲେ କର୍ପୋରେଟର । ଏହିସବୁ ୱାର୍ଡରୁ ମହିଳା କର୍ପୋରେଟର ନିର୍ବାଚିତ ହୋଇଥିବାବେଳେ, ମେୟରଙ୍କ ସହ ବୁଲୁଛନ୍ତି ସେମାନଙ୍କ ସ୍ୱାମୀ ।

ଭୁବନେଶ୍ୱର ୩୭ ନମ୍ବର ୱାର୍ଡର କର୍ପୋରେଟର ବନ୍ଦିତା ପାଲ, ୩୮ ନମ୍ବର ୱାର୍ଡର କର୍ପୋରେଟର ପଦ୍ମଜା ପ୍ରିୟଦର୍ଶିନୀ ଜେନା ଏବଂ ୩୯ ନମ୍ବର ୱାର୍ଡର କର୍ପୋରେଟର ଗୀତାଞ୍ଜଳି ସାହୁ । ଭୁବନେଶ୍ୱରର ମୋଟ୍ ୬୭ ୱାର୍ଡରୁ ଏଥର ୪୨ ଜଣ ମହିଳା କର୍ପୋରେଟର ନିର୍ବାଚିତ ହୋଇ ସର୍ବକାଳୀନ ରେକର୍ଡ କରିଛନ୍ତି । ମେୟର ଓ ଡେପୁଟି ମେୟର ପଦବୀରେ ମଧ୍ୟ ଅଛନ୍ତି ୨ ଜଣ ମହିଳା । ଅଧିକାଂଶ ମହିଳା କର୍ପୋରେଟର ନିର୍ବାଚିତ ହୋଇ ଆସିବା ପରେ ଲାଗୁଥିଲା ମହିଳା ମେୟରଙ୍କ ନେତୃତ୍ୱରେ ଏମାନେ ଭୁବନେଶ୍ୱର ମହାନଗର ନିଗମର ଶାସନ ମଙ୍ଗ ଧରିବେ । ହେଲେ ଶପଥ ନେବାର ମାତ୍ର ୨୦ ଦିନ ଭିତରେ ମହିଳା ସଶକ୍ତିକରଣର ଅସଲ ମୁଖା ଖୋଲି ଯାଇଛି । ଯେଉଁଠି ଖୋଦ ମେୟରଙ୍କ ସହ ମହିଳା କର୍ପୋରେଟରଙ୍କ ସ୍ୱାମୀ ୱାର୍ଡରେ ବୁଲି ଲୋକଙ୍କ ଦୁଃଖ ବୁଝୁଛନ୍ତି ।

ମହିଳାଙ୍କ ହାତରେ ଭୁବନେଶ୍ୱର ମହାନଗର ନିଗମର ଶାସନ ଭାର ଦେବାପାଇଁ ଏଥର ବିଏମସି ମେୟର ପଦବୀ ସହ ୫୦ ପ୍ରତିଶତ କର୍ପୋରେଟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିଲା । ନିର୍ବାଚନ ପରେ ୬୧ ପ୍ରତିଶତ ମହିଳା କର୍ପୋରେଟର ନିର୍ବାଚିତ ହୋଇ ବିଏମସିକୁ ଆସିଲେ । ହେଲେ ଯେଉଁ ଉଦ୍ଦେଶ୍ୟରେ ମହିଳାଙ୍କୁ ପ୍ରତିନିଧିତ୍ୱ ଦିଆଯାଇଥିଲା, ତାହା ପୁଣିଥିରେ ଦିଗହରା ହୋଇପଡିଥିବା ଆଶଙ୍କା କରାଯାଉଛି । କାରଣ ନିର୍ବାଚିତ ମହିଳା ପ୍ରତିନିଧିମାନେ କେବଳ ବୈଠକରେ ବସୁଥିବାବେଳେ ସେମାନଙ୍କ ସ୍ୱାମୀ ସ୍ଥାନ ବିଶେଷରେ ସକ୍ରିୟ ରହୁଥିବା ଦେଖାଯାଉଛି ।