ବଡ ବଡ ବନ୍ଧ ବାନ୍ଧି ମହାନଦୀ ପାଣି ଅଟକାଉଛି ଛତିଶଗଡ । ଅଣମୌସୁମୀ ସମୟରେ ୩୦ ପ୍ରତିଶତ କମିଲା ଜଳ ପ୍ରବାହ

173

କନକ ବ୍ୟୁରୋ: ପ୍ରବଳ ଗୀଷ୍ମ ପ୍ରବାହ ଭିତରେ ମହାନଦୀକୁ ନେଇ ଚିନ୍ତାଜନକ ଖବର ଆସିଛି । ଛତିଶଗଡରୁ ମହାନଦୀକୁ ଜଳ ପ୍ରବାହ ବହୁ ପରିମାଣରେ କମିଯାଇଛି । ବିଶେଷଜ୍ଞଙ୍କ କହିବା ଅନୁସାରେ ପ୍ରାୟ ୩୦ ପ୍ରତିଶତ କମିଯାଇଛି । ଛତିଶଗଡରେ ବହୁ ପରିମାଣରେ ବନ୍ଧ, ଆନିକଟ ନିର୍ମାଣ ହୋଇଥିବା ଯୋଗୁଁ ମହାନଦୀକୁ ଜଳପ୍ରବାହ ପ୍ରଭାବିତ ହୋଇଛି ବୋଲି କୁହାଯାଉଛି ।

  • ଜାନୁଆରୀ – ୦.୩୩୨ ନିୟୁତ ଏକର ଫୁଟ୍
  • ଫେବ୍ରୁଆରୀ – ୦.୧୬୪ ନିୟୁତ ଏକର ଫୁଟ୍ 
  • ମାର୍ଚ୍ଚ – ୦.୧୧୩ ନିୟୁତ ଏକର ଫୁଟ୍ 

ପ୍ରତି ମାସରେ ଏତିକି ପାଣି ମହାନଦୀରେ ହୀରାକୁଦ ଜଳଭଣ୍ଡାରକୁ ଆସିଛି । ଆଉ ଏ ତଥ୍ୟରୁ ଜଣାପଡୁଛି ଯେ, ମହାନଦୀରେ କମିଛି ଅଣମୌସୁମୀ ଜଳ ପ୍ରବାହ । ଅଣମୌସୁମୀ ଋତୁରେ ଓଡ଼ିଶାକୁ ଯେତିକି ପାଣି ମିଳିବା କଥା ତାର ୩୦ ପ୍ରତିଶତ କମ୍ ମିଳୁଛି । ଜଳଭଣ୍ଡାରର ଉପରମୁଣ୍ଡ ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ପାଣି ଅଭାବ ଦେଖାଦେଇଛି । ଅନେକ କିଲୋମିଟର ପର୍ଯ୍ୟନ୍ତ ପାଣି ଘୁଞ୍ଚି ଯାଇଥିବାରୁ କେବଳ ବାଲିଶଯ୍ୟା ଦେଖିବାକୁ ମିଳୁଛି । ଜଳ ଭଣ୍ଡାରରେ ଜଳାଭାବରୁ ରବି ଚାଷ ଗୁରୁତର ପ୍ରଭାବିତ ହୋଇଛି । ଚଳିତ ବର୍ଷ ହୋଇଥିବା ୧ ଲକ୍ଷ ୨୫ ହଜାର ହେକ୍ଟର ରବି ଚାଷର ଏକ ବଡ଼ ଅଂଶ ଜଳାଭାବରୁ ପ୍ରଭାବିତ ହୋଇଥିବା କୁହାଯାଉଛି ।

ଆହୁରି ସାଂଘାତିକ କଥା ହେଉଛି ମେ’ ମାସରେ ହୀରାକୁଦ ପାଣି ସରିଯିବା ଆଶଙ୍କାରେ କମ୍ ପାଣି ଖର୍ଚ୍ଚ କରି ମାର୍ଚ୍ଚରୁ ବିଦ୍ୟୁତ ଉତ୍ପାଦନକୁ ମାତ୍ର ୩୭ ପ୍ରତିଶତରେ ସୀମିତ ରଖାଯାଇଛି । ଅନ୍ୟପକ୍ଷରେ ଓଡ଼ିଶା ଭାଗର ପାଣି ଛତିଶଗଡ଼ର ୪୮ଟି କଳକାରଖାନାକୁ ଦିଆଯାଉଥିବା ଅଭିଯୋଗ ହେଉଛି ।

ଛତିଶଗଡ଼ରୁ ପ୍ରବାହିତ ମହାନଦୀ ଜଳ ହୀରାକୁଦ ଡ୍ୟାମରେ ଗଚ୍ଛିତ ହେଉଛି । କିନ୍ତୁ ପାଣି ଯେତିକି ଆସିବା କଥା ଆସୁନଥିବାରୁ ତଳମୁଣ୍ଡକୁ ଆବଶ୍ୟକ ମୁତାବକ ପାଣି ଛଡ଼ା ଯାଇ ପାରୁନାହିଁ । ମହାନଦୀର ଉପରମୁଣ୍ଡରେ ଥିବା ଛତିଶଗଡ ୫୧୬ଟି ଆନିକଟ, ୨୯ଟି ମଧ୍ୟମ ଧରଣ ଡ୍ୟାମ, ୧୦ଟି ବଡ ବଡ ଡ୍ୟାମ୍ ନିର୍ମାଣ କରି ପାଣି ଅଟକାଉଥିବାବେଳେ ୭ଟି ପ୍ରକଳ୍ପ କାମ ଚାଲୁ ରଖିଛି । ଛତିଶଗଡ଼ ପାଣି ଅଟକାଉଛି, ଯାହାର ପ୍ରଭାବ ପଡୁଛି ଓଡ଼ିଶା ଉପରେ । ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ପ୍ରତିବର୍ଷ ମହାନଦୀରେ ଜଳ ପ୍ରବାହ କମୁଥିବାରୁ ଓଡିଶା ଟ୍ରିବୁନାଲଙ୍କ ଦ୍ୱାରସ୍ଥ ହୋଇଛି । ତେବେ ଚଳିତବର୍ଷ ଆବଶ୍ୟକତା ଅନୁଯାୟୀ ୧.୪୧୬ ନିୟୁତ ଏକର ଫୁଟ୍ ପାଣି ଓଡିଶା ପାଇସାରିଥିବା ସେ କହିଛନ୍ତି ।

ମହାନଦୀ ପାଣି ପାଇଁ ଟ୍ରିବୁନାଲରେ ଲଢେଇ ଚାଲିଛି ହେଲେ ଗୋଟିଏ ପରେ ଗୋଟିଏ ବଡ ବଡ ପ୍ରକଳ୍ପ ତିଆରି କରିଚାଲିଛି ଛତିଶଗଡ । ସେପଟେ ମହାନଦୀକୁ ନେଇ ନୂଆଚାଲ ଖେଳୁଛି ଛତିଶଗଡ଼ । ଛତିଶଗଡ଼ ସରକାର ପୁଣି ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ମହାନଦୀର ପୁନରୁଦ୍ଧାର ଓ ଜଳ ସଂରକ୍ଷଣ ପାଇଁ ୫୭୧ କୋଟି ୭୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ହୋଇଛି । ଓଡିଶା କିନ୍ତୁ ଟ୍ରିବୁନାଲର ବାହାନା କରି ଚୁପ ବସିଛି ।