ସୂର୍ଯ୍ୟ କିରଣରେ ନିଆଁ ବର୍ଷୁଛି । ଗରମରେ କଲବଲ ହେଉଛି ସାରା ଓଡିଶା

94

କନକ ବ୍ୟୁରୋ: ଅସହ୍ୟ ଖରା ସାଙ୍ଗକୁ ଝାଞ୍ଜି ପବନରେ ସିଝୁଛି ଓଡିଶା । ଦିନ ୧୧ଟା ହେଲେ ଘରୁ ବାହାରିବାକୁ ଲୋକେ ଭୟ ହେଉଛି । ପୁରୀ ଜିଲ୍ଲୀ ଅସ୍ତରଙ୍ଗରେ ସମୁଦ୍ରର ଗରମ ପବନ ସ୍ଥଳ ଭାଗକୁ ପ୍ରବାହିତ ହେଉଥିବାରୁ ଗରମ ବଢିଯାଉଛି । ଗରମ ଓ ଗୁଳୁଗୁଳି ଏମିିତି ହେଉଛି ଯେ ଘରେ, ବାହାରେ କେଉଁଠି ରହି ହେଉ ନାହିଁ । ଭୀଷଣ ତାତିରୁ ରକ୍ଷା ପାଇବାକୁ ଲୋକେ ଗଛ ମୂଳେ ବସୁଛନ୍ତି । ଅସହ୍ୟ ଗରମରୁ ଦେହକୁ ଥଣ୍ଡା ରଖିବା ପାଇଁ ପଶୁ, ପକ୍ଷୀ ଜଳକ୍ରୀଡା କରୁଥିବା ଦେଖିବାକୁ ମିଳିଛି ।

ଦିନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଥିବା ବେଳେ ସୂର୍ଯ୍ୟଙ୍କ କିରଣରୁ ନିଆଁ ବର୍ଷୁଛି । ଗଞ୍ଜାମ ଜିଲ୍ଲା ପୋଲସରାରରେ ସକାଳ ୯ଟା ପରଠୁ ପାରଦ ଚଢୁଛି । ଖରାର ବାହାରିବାକୁ ଲୋକେ ଭୟ କରୁଛନ୍ତି । ଯିଏ ବାହାରୁଛନ୍ତି ସେମାନେ ଛତା ଧରି, ମୁଣ୍ଡରେ ଓଦା ଗାମୁଛା, ଓଢଣୀ ପକାଇ ଘରୁ ବାହାରୁଛନ୍ତି । ଖରାରୁ ରକ୍ଷା ପାଇବା ପାଇଁ ମୃଦ୍ୟୁପାନୀୟ, ଲସି , ତରଭୁଜ ଦୋକାନ ଆଗରେ ଭିଡ ଜମୁଛି ।

ସେହିପରି ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଝାଞି ପବନରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହର ସନ୍ତୁଳି ହେଉଛି । ପ୍ରଚଣ୍ଡ ଖରାରେ ରାସ୍ତା, ବଜାର ଖାଁ ଖାଁ ହୋଇଯାଉଛି । ରାସ୍ତାରେ ଗଛ ଛାଇ ଦେଖିଲେ ପଥଚାରୀ କିଛି ସମୟ ଅଟକି ଥକ୍କା ମେଣ୍ଟାଉଛନ୍ତି । ମୁଣ୍ଡରେ ଟୋପି, ଗାମୁଛା, ପାଣି ବୋତଲ ସାଙ୍ଗରେ ଧରି ଲୋକେ ଘରୁ ବାହାରୁଛନ୍ତି । ଖରାରୁ ତ୍ରାହି ପାଇବା ପାଇଁ ଓ ଶୋଷ ମେଣ୍ଟାଇବାକୁ ଲସି, ସର୍ବତ ଦୋକାନ ଆଗରେ ଲୋକଙ୍କ ଗହଳି ଲାଗୁଛି । ସହରର ସ୍ଥାନେ ସ୍ଥାନେ ଜଳଛତ୍ର ଖୋଲାଯାଇଛି ।

କଟକରେ ଟାଣ ଖରାରେ ଜୀବନ ଯାତ୍ରା ଗମ୍ଭୀର ଭାବେ ପ୍ରଭାବିତ ହୋଇଛି । ସହରର ସବୁଠି ଜନଗହଳି ସ୍ଥାନ ବାଦାମବାଡି ବସଷ୍ଟାଣ୍ଡ ମଧ୍ୟ ଖାଲି ଖାଲି ଲାଗୁଛି । ଜରୁରୀ କାମନଥିଲେ, ଆଖ ପାଖ ଅଞ୍ଚଳର ଲୋକଙ୍କ କଥା ଛାଡନ୍ତୁ. ସହରର ଲୋକେ ଘରୁ ବାହାରୁ ନାହାନ୍ତି । ତେବେ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଧାରଣ ଜୀବନଯାତ୍ରାକୁ କଲବଲ କରିଦେଇଛି । ସେପଟେ ପାଣିପାଗ ବିଭାଗ ଆକଳନ କରି କହିଛି, ତାତିରୁ ଏବେ ନିସ୍ତାର ମିଳିବ ନାହିଁ । ମେ ପ୍ରଥମ ସପ୍ତାହ ଯାଏଁ ଏହି ପରିସ୍ଥିତି ଜାରି ରହିପାରେ ।