ଇଡି ଓ ସିବିଆଇ ସ୍କାନରରେ ପ.ବଙ୍ଗର ନେତା ଏବଂ ମନ୍ତ୍ରୀ। ସରକାରୀ ତଦନ୍ତକାରୀ ସଂସ୍ଥା ବନାମ ଟିଏମସି।

117

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଏବେ ମାରାଥନ ଚଢାଉ ଓ ଗିରଫ କରୁଛନ୍ତି ଉଭୟ ପ୍ରବର୍ତନ ନିର୍ଦ୍ଦେଶାଳୟ ଏବଂ ସିବିଆଇ । ଏହି ଦୁଇ ସରକାରୀ ତଦନ୍ତକାରୀ ସଂସ୍ଥାର ସ୍କାନରରେ ମୁଖ୍ୟତଃ ରହିଛନ୍ତି ପଶ୍ଚିମବଙ୍ଗ ସରକାରଙ୍କ ବଡ ବଡ ମନ୍ତ୍ରୀ ଓ ନେତା । ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାଠୁ ଆରମ୍ଭ ହୋଇଥିବା ଇଡି ଓ ସିବିଆଇର କାର୍ଯ୍ୟାନୁଷ୍ଠାନ ରାଜ୍ୟରେ ମାରାଥନ ଚଢାଉ କରିଛି । ବିଭିନ୍ନ ସ୍କାମରେ ଜଣଙ୍କ ପରେ ଜଣେ ନେତା ଓ ମନ୍ତ୍ରୀଙ୍କ ଇଡି ଓ ସିବିଆଇ ଜାଲରେ ଛନ୍ଦି ହେଉଛନ୍ତି । ନିକଟରେ ପଶ୍ଚିମବଙ୍ଗର ପୂର୍ବତନ ବାହୁବଳୀ ନେତା ତଥା ବୀରଭୂମି ଷ୍ଟ୍ରଙ୍ଗ ମ୍ୟାନ୍ ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କରାଯାଇଛି । ଗୋଚାଲାଣ ଅଭିଯୋଗରେ ତାଙ୍କୁ ଗିରଫ କରିଛି ସିବିଆଇ ।

ସେପଟେ ବହୁଚର୍ଚ୍ଚିତ କୋଇଲା ଦୁର୍ନୀତି ମାମଲାରେ ୮ଜଣ ଆଇପିଏସ ଅଧିକାରୀଙ୍କୁ ସମନ ପଠାଇଛି ଇଡିା ସମନ ଜାରି ହୋଇଥିବା ଆଇପିଏସଙ୍କ ମଧ୍ୟରେ ଜ୍ଞାନୱନ୍ତ ସିଂ, କୋଟେଶ୍ୱର ରାଓ, ଶ୍ୟାମ ସିଂ, ରାଜୀବ ମିଶ୍ରା , ସୁକେଶ ଜୈନ ଓ ତଥାଗତ ବସୁ ସାମିଲ । ତେବେ ସବୁଠୁ ବଡ଼ କଥା ହେଉଛି ଏହି ସମସ୍ତ ଅଧିକାରୀ ହେଉଛନ୍ତି ପଶ୍ଚିମବଙ୍ଗର । ଟିଏମସି ଏହାକୁ ବିଜେପିର ପ୍ରତିଶୋଧର ରାଜନୀତି ନାଁ ଦେଇଥିବାବେଳେ ବିଜେପି କହିଛି ତଦନ୍ତକାରୀ ସଂସ୍ଥା ନିଜ କାମ ନିଜ ବାଟରେ କରୁଛି । ଏଥିରେ ବିଜେପି ସରକାରଙ୍କ କୌଣସି ଭୂମିକା ନାହିଁ ।

କିଛି ଦିନ ପୂର୍ବରୁ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ମନ୍ତ୍ରୀ ପାର୍ଥଚାଟାର୍ଜା ଓ ତାଙ୍କ ସହଯୋଗୀ ତଥା ଅଭିନେତ୍ରୀଙ୍କ ଇଡି ଜାଲରେ ପଡିବା ସହ ସେମାନଙ୍କ ବିଭିନ୍ନ ଠିକଣ।।ରୁ କୋଟି କୋଟି ନଗଦ ଟଙ୍କା ଓ ଅମାପ ସମ୍ପତ୍ତି ଜବତ ହୋଇଥିଲା । ଏହି ସମସ୍ତ ଘଟଣାକୁ ନେଇ ବିରୋଧୀ ମଧ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଯଦି ସରକାରୀ ତଦନ୍ତକାରୀ ସଂସ୍ଥାର ଦୁରୁପଯୋଗ ହେଉଛି ତେବେ ଏହାର ଜବାବ ଆଗକୁ ଜନତା ଦେବେ ।

ପଶ୍ଚିମବଙ୍ଗର ନେତା ଓ ମନ୍ତ୍ରୀଙ୍କ ଉପରେ ହଠାତ ଯେଉଁ ଚଡକ ପଡିଛି ତାକୁ ସହଜରେ ଗ୍ରହଣ କରିପାରୁନି ତୃଣମୃଳ କଂଗ୍ରେସ । କେନ୍ଦ୍ର ସରକାରଙ୍କୁ ଏନେଇ ଦାୟୀ କରିଛି । ଇଡି ଓ ସିବିଆଇ ପରି ସରକାରୀ ତଦନ୍ତାକାରୀ ସଂସ୍ଥା ନିରପେକ୍ଷ ତଦନ୍ତ ଭୁଲି ଯାଇ ବିଜେପି ଇସାରାରେ କାମ କରୁଥିବା ଟିଏମସି କହିଛି । ଏହା ବିରୋଧରେ ସାରା ଦେଶରେ ବିକ୍ଷୋଭ କରିବା ସହ କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ଦଳ କହିଛି ।

ସବୁଠୁ ବଡ କଥା ହେଉଛି ଘଟଣାକୁ ନେଇ ପୁରୁଣା ପ୍ରତିଦ୍ୱନ୍ଦୀ ଟିଏମସି ଓ ବିଜେପି ଭିତରେ ଶୀତଳଯୁଦ୍ଧ ସଦୃଶ ସ୍ଥିିତି ସୃଷ୍ଟି ହୋଇଛି । ଜଣଙ୍କ ପରେ ଜଣେ ନେତା ମନ୍ତ୍ରୀ ଇଡି ଓ ସିବିଆଇ ଦ୍ୱାରା ବନ୍ଧା ହେଉଥିବାବେଳେ ନୀରବ ଦ୍ରଷ୍ଟା ସାଜିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପାର୍ଥଙ୍କ ଗିରଫ ପରେ ବେଶ ଚାଲାକିର ସହ ମମତା ନିଜର ମତ ସ୍ପଷ୍ଟ କରିଥିଲେ । ଏହା ପରେ ପୁଣି ଅନେକ ନେତାଙ୍କ ସହ ସମାନ ଘଟଣା ଘଟୁଥିଲେ ବି ମମତାଙ୍କ ଚୁପ ରହିବା ପଛରେ କାରଣ ଅସ୍ପଷ୍ଟ ରହିଛି । କିନ୍ତୁ ଏବେ ଅପେକ୍ଷା ବିଜେପି ସରକାରଙ୍କୁ ଜବାବ ଦେବାକୁ ଯାଇ ମମତା କେଉଁ ଅନ୍ଦାଜ ସହ ଆଗକୁ ଆସିବେ ଓ ନିଜର ବୟାନ ରଖିବେ ।