ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ଟାଣିଲେ ନୀତିଶ କୁମାର, କହିଲେ ପ୍ରଧାନମନ୍ତ୍ରୀ ହେବାକୁ କଦାପି ଚିନ୍ତା କରିନାହାଁନ୍ତି 

88

କନକ ବ୍ୟୁରୋ: ନାଟକୀୟ ଢଙ୍ଗରେ ବିଜେପିଠୁ ମେଣ୍ଟ ଭାଙ୍ଗି ବିହାରରେ ନୂଆ ମେଣ୍ଟ ସରକାର ଗଢିଛନ୍ତି ନୀତିଶ କୁମାର । ଏହା ଭିତରେ ଗୋଟେ ଖବରକୁ ନେଇ ବେଶ କିଛି ଦିନ ହେବ ଜୋରସୋରରେ ଚାଲିଛି ଚର୍ଚ୍ଚା । ଚର୍ଚ୍ଚାରେ ରହିଛି ଯେ ୨୦୨୪ରେ ନୀତିଶ କୁମାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଛିଡା ହୋଇପାରନ୍ତି । ଏବେ ଏହି ଚର୍ଚ୍ଚା ଉପରେ ବ୍ରେକ ଲଗାଇଛନ୍ତି ନିଜେ ନୀତିଶ କୁମାର । ନୀତିଶ ସଫା ସଫା କହିଛନ୍ତି କି ପ୍ରଧାନମନ୍ତ୍ରୀ ହେବା ପାଇଁ ସେ କେବେ ହେଲେ ଚିନ୍ତା କରି ନାହାଁନ୍ତି । ପ୍ରଧାନମନ୍ତ୍ରୀ ହେବାର ଆଶା ମଧ୍ୟ ରଖିନାହାନ୍ତି । ତାଙ୍କ ମନରେ ସେମିତି କିଛି ଯୋଜନା ନାହିଁ । ଦିଲ୍ଲୀଗସ୍ତରେ ଆସିିଥିବା ନୀତିଶଙ୍କୁ ଯେତେବେଳେ ସାମ୍ବାଦିକମାନେ ଏହି ବାବଦରେ ପ୍ରଶ୍ନ ପଚାରିଥିଲେ ସେତେବେଳେ ସ୍ମିତ ହାସ୍ୟ ଦେଇ, ହାତ ଯୋଡି କିଛି ଏଭଳି ଅନ୍ଦାଜରେ ନୀତିଶ ନିଜର ଉତର ରଖିଥିଲେ ।

ଏଥିସହ ନୀତିଶ କହିଛନ୍ତି କିଏ କଣ କହିଲା ସେନେଇ ସେ ଆଦୌ ଚିନ୍ତିତ ନୁହେଁ । ତାଙ୍କର ମୁଖ୍ୟ ଲୋକ ଜନତାଙ୍କ ସେବା କରିବା, ଉତ୍ତମ ସମାଜ ଗଠନ କରିବା । ବିଜେପିକୁ ସେ ଆଦø ଧୋକା ଦେଇନାହାଁନ୍ତି । ଏନଡିଏରୁ ବାହାରିବା ଯିବା ପାଇଁ ଜେଡିୟୁ ନେତା ଚାହୁଁଥିଲେ । ତେଣୁ ଏଭଳି ନିଷ୍ପତି ସେ ନେଇଛନ୍ତି । ସବୁ ବିରୋଧୀଦଳ ଏକାଠି ଆଗକୁ ବଢିଲେ ବେଶ ଭଲ ହେବ ବୋଲି ମତ ରଖିଛନ୍ତି ନୀତିଶ । ୨୦୨୪ ନିର୍ବାଚନ ପାଇଁ ଏକଜୁଟ କାମ କରିବା ଆବଶ୍ୟକ । ଅନେକ ଫୋନକଲ ଆସୁଛି । ବିଜେପି ବିରୋଧରେ ସବୁ ବିରୋଧୀଙ୍କୁ ଏକାଠି କରିବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ନୀତିଶ କହିଛନ୍ତି ।

ନୀତିଶ ସ୍ପଷ୍ଟ କରିଛନ୍ତି କି ସମସ୍ତ ଆଲୋଚନା, ବିଚାର ବିର୍ମଶ ପରେ ବିହାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯିବ । ଅଗଷ୍ଟ ୧୫ରେ ନିଶ୍ଚିତଭାବେ ନୂଆ ମନ୍ତ୍ରିମଣ୍ଡଳ ଗଠନ ହେବ ବୋଲି ନୀତିଶ କହିଛନ୍ତି । ଏହି ସମସ୍ତ କଥା ଭିତରେ ନୀତିଶ ଆଉ ଏକ ବଡ ବୟାନ ଦେଇଛନ୍ତି । ଇଡି ଓ ସିବିଆଇ ରେଡକୁ ନେଇ ନୀତିଶ କହିଛନ୍ତି ଯଦି ସରକାର ତଦନ୍ତକାରୀ ସଂସ୍ଥାର କେହି ଦୁରପଯୋଗ କରେ ତେବେ ଏହାର ଜବାବ ଜନତାହିଁ ଦେବେ । ଦିଲ୍ଲୀଗସ୍ତରେ ଉଭୟ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । କଂଗ୍ରେସ ମୁଖିଆ ସୋନିଆ ଗାନ୍ଧୀଙ୍କୁ ଭେଟି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ  ବିହାରର ମହାମେଣ୍ଟ ସରକାର ରୂପ ରେଖ ପ୍ରସ୍ତୁତ କରିଛନ୍ତି ।