ଆହୁରି ୧୦ ବର୍ଷ ମୁଖ୍ୟମନ୍ତ୍ରୀ ରହିବାକୁ ଦୃଢୋକ୍ତି କରିବା ସହ ପ୍ରଦର୍ଶନକାରୀଙ୍କୁ କୁକୁର ସହ ତୁଳନା କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର । କଂଗ୍ରେସ କହିଲା ତୁରନ୍ତ ମାଗନ୍ତୁ କ୍ଷମା

594

କନକ ବ୍ୟୁରୋ : ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ଆନ୍ଦୋଳନକାରୀଙ୍କୁ ଆନ୍ଦୋଳନଜୀବୀ କହିବା ପରେ ଏହାକୁ ନେଇ ସାରା ଦେଶରେ ରାଜନୀତି ସରଗରମ ଥିବା ବେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ବୁଧବାର ଦିନ ପ୍ରଦର୍ଶନକାରୀଙ୍କୁ କୁକୁର ସହ ତୁଳନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନକୁ ପ୍ରସଙ୍ଗ କରି ରାଜ୍ୟ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ।

କହିରଖୁ କି ବୁଧବାର ଦିନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଗଲଗୋଣ୍ଡାର ନାଗାର୍ଜୁନ ସାଗର ଅଞ୍ଚଳରେ ଏକ ସରକାରୀ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ଜନସଭାକୁ ସମ୍ବୋଧିତ କରୁଥିଲେ । ଠିକ୍ ଏହି ସମୟରେ କେତେଜଣ ମହିଳାଙ୍କ ସମେତ ଏକ ନିର୍ଦ୍ଧିଷ୍ଟ ସଂପ୍ରଦାୟର ଲୋକେ ମୁଖ୍ୟମନ୍ତ୍ରୀଙ୍କ ବିରୋଧ କରି ପ୍ରଦର୍ଶନ କରିଥିଲେ । ଏହା ଦେଖି କେସିଆର ଖୁବ୍ ରାଗିଯାଇ କହିଥିଲେ କି ‘ ତୁମେମାନେ ଯେଉଁଠାରୁ ଆସିଥିଲ ସେଠାକୁ ଚାଲିଯାଅ, ରହିବାର ଅଛି ତ ଶାନ୍ତିର ବାତାବରଣ ବଜାୟ ରଖନ୍ତୁ ’ । ପ୍ରଦର୍ଶନକାରୀ ମହିଳାଙ୍କୁ ଇଙ୍ଗିତ କରି କେସିଆର କହିଥିଲେ କି ‘ଆମ୍ମା ତୁମ ଭଳି ବହୁତ କୁକୁର ଅଛନ୍ତି’, ତେଣୁ ଅଯଥା ଅଶାନ୍ତି ନ କର ଶୀଘ୍ର ଏ ସ୍ଥାନ ଛାଡି ଚାଲି ଯାନ୍ତୁ’ ।

ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନକୁ ନେଇ ବିରୋଧୀ ମାନେ ହଙ୍ଗାମା ଆରମ୍ଭ କରିଛନ୍ତି । ବିରୋଧୀ ମାନେ ଦାବି କରିଛନ୍ତି କି ମୁଖ୍ୟମନ୍ତ୍ରୀ ଦେଇଥିବା ଟିପ୍ପଣିକୁ ନେଇ ସେ ଭୁଲ ମାଗନ୍ତୁ । ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟିର ପ୍ରଭାରୀ ମଣିକମ୍ ଟାଗୋର କହିଛନ୍ତି କି ମୁଖ୍ୟମନ୍ତ୍ରୀ ଭୁଲି ଯାଉଛନ୍ତି କି ମହିଳା ମାନଙ୍କୁ ସେ କୁକୁର ବୋଲି କହିଛନ୍ତି । ଯାହାପାଇଁ ସେ ଏଭଳି ଆସନରେ ବସିଛନ୍ତି ତାଙ୍କୁ ଏଭଳି କହି ଗଣତନ୍ତ୍ରର ଅପମାନ କରିଛନ୍ତି ବୋଲି ମଣିକମ୍ କହିଛନ୍ତି ।