ମହିଳାଙ୍କୁ ମୁଣ୍ଡକାଟି ହତ୍ୟା କରିବା ଘଟଣା : କେମିତି ଓ କାହିଁକି ମହିଳାଙ୍କୁ ହତ୍ୟା କଲେ ଅଭିଯୁକ୍ତ; ଘଟଣାର ଖୁଲାସା କଲେ କମିଶନରେଟ୍ ପୋଲିସ

2,829

କନକ ବ୍ୟୁରୋ : ଅନ୍ଧାରୁଆ-ଦାସପୁରରେ ମହିଳାଙ୍କ ମୁଣ୍ଡକାଟି ହତ୍ୟା କରିବା ଘଟଣା । କଟାମୁଣ୍ଡ ରହସ୍ୟ ଉପରୁ ପରଦା ହଟାଇଲେ କମିଶନରେଟ ପୋଲିସ । ସେ କହିଛନ୍ତି, ମୃତ ମହିଳାଙ୍କ ପରିଚୟ ପାଇବା କମିଶନରେଟ ପୁଲିସ ପାଇଁ ଏକ ବଡ ଚାଲେଞ୍ଜ ଥିଲା । ମୃତ ମହିଳାଙ୍କ ପରିଚୟ ପାଇଁ ପୁଲିସ ପକ୍ଷରୁ ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା । ହେଲେ ପୁଲିସକୁ ଗତ ୯ ତାରିଖରେ ହତ୍ୟାକାଣ୍ଡ ନେଇ ସ୍ପଷ୍ଟ ସୂଚନା ମିଳିଥିଲା । ମୃତ ମହିଳା ମଂଚେଶ୍ୱର ଧୀରକୁଟ ବସ୍ତିରେ ରହୁଥିଲେ ଓ ତାଙ୍କ ନାମ ପୁଷ୍ପଲତା ରାଉଳ । ମହିଳାଙ୍କୁ ଗଂଜାମ ଅଂଚଳର ସଂଜୟ ନାମକ ଜଣେ ବୋଲେରୋ ଡ୍ରାଇଭର ହତ୍ୟା କରିଥିବା କମିସନରେଟ ପୁଲିସ ସୂଚନା ଦେଇଛନ୍ତି ।

ପ୍ରଥମ ବିବାହ ବିଚ୍ଛେଦ ପରେ ମହିଳା ଭରତପୁର ଅଂଚଳରେ ଏକ ଘର କରି ସଂଜୟଙ୍କ ସହ କିଛି ଦିନ ରହିଥିଲେ । ଏହାପରେ ପ୍ରୀତିରଂଜନ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ, ହେଲେ କିଛି ଦିନ ପରେ ବିବାଦ ହେବାରୁ ପୁଣି ସଂଜୟ ପାଖକୁ ଫେରି ଆସିଥିଲେ । ହେଲେ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ ସଂଜୟ । ଘଟଣାକୁ ନେଇ ଉଭୟଙ୍କ ଭିତାରେ ପାଟିତୁଣ୍ଡ ଗଣ୍ଡଗୋଳ ହେବା ସହ ମହିଳାଙ୍କ ତଂଟି ଚିପି ହତ୍ୟା କରିଥିଲା ସଂଜୟ । ନିଜର ସହଯୋଗୀ ସହ ଏକ ଗାଡିରେ ଅନ୍ଧାରୁଆ ଦାସପୁର ନେଇ ସେଠାରେ ମୁଣ୍ଡକୁ କାଟି ମୁଣ୍ଡ ବିହୀନ ଶରରୀକୁ ଫୋପାଡି ଦେଇଥିଲେ । ଏବଂ କଟାମୁଣ୍ଡକୁ ନେଇ ଅନ୍ୟ ଜାଗାରେ ପୋତି ଦେଇଥିଲେ ।

ତେବେ ଗତ ୪ତାରିଖରେ ରାଜଧାନୀ ଉପକଣ୍ଠରେ ମହିଳାଙ୍କ ମୁଣ୍ଡ ବିହୀନ ମୃତ ଦେହ ଉଦ୍ଧାର ହେବା ପରେ ତତ୍ପର ହୋଇ ଉଠିଥିଲା ପୋଲିସ । ଭୁବନେଶ୍ୱରରେ ଭରତପୁର-ଚନ୍ଦକା ରାସ୍ତା କଡରୁ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଥିଲା । ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ଚନ୍ଦକା ପୋଲିସ ପହଂଚି ଶବ ଜବତ କରି ତଦନ୍ତ ଚଳାଇଥିଲା । ସ୍ଥାନୀୟ ଲୋକେ ଶବକୁ ଦେଖିବା ପରେ ଚନ୍ଦକା ପୋଲିସକୁ ଖବର ଦେଇଥିଲେ । ଏହା ପରେ ପୋଲିସ ପହଁଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା ।