ଅସହ୍ୟ ହେଲାଣି କୃଷକ ଆନ୍ଦୋଳନ । ଗାଜିପୁର ସୀମାରେ ଆନ୍ଦୋଳନରତ କୃଷକ ମାନଙ୍କ ମଧ୍ୟରୁ ଜଣେ ଶୌଚାଳୟରେ ଫାଶି ଲଗାଇ ଆତ୍ମହତ୍ୟା । କୃଷକ ନେତା କହିଲେ ଭାବନାତ୍ମକ ରୂପ ନେଲାଣି ଆନ୍ଦୋଳନ ।

116

କନକ ବ୍ୟୁରୋ : ଅସହ୍ୟ ହେଲାଣି ଚାଷୀ ଆନ୍ଦୋଳନ । ୩୮ ଦିନର ଆନ୍ଦୋଳନରେ ପାଖା ପାଖି ୪୫ ଜଣ କୃଷକଙ୍କ ଦେହାନ୍ତ ହୋଇସାରିଲାଣି । ଅତିରିକ୍ତ ଥଣ୍ଡା, ଅସ୍ୱଭାବିକ ଜୀବନ ଶୈଳୀ ଫଳରେ ଆନ୍ଦୋଳନ ସ୍ଥଳରେ ଜଣଙ୍କ ପରେ ଜଣେ ଚାଷୀଙ୍କ ଜୀବନ ଯାଉଛି । ହେଲେ ଶନିବାର ସକାଳେ ଜଣେ କୃଷକଙ୍କ ଆତ୍ମହତ୍ୟାକୁ ନେଇ ପୁରା ଆନ୍ଦୋଳନ ସ୍ଥଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ମିଳିଛି କି ଗାଜିପୁର ସୀମା ନିକଟ ଧାରଣା ପ୍ରଦର୍ଶନ ସ୍ଥଳୀ ପାଖରେ ଥିବା ଏକ ଶୌଚାଳୟ ଭିତରେ ଚାଷୀ ଜଣଙ୍କ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।
ତାଙ୍କ ଆତ୍ମହତ୍ୟା ଖବର ପ୍ରଚାରିତ ହେବା ପରେ କିଷାନ ୟୁନିୟନର ନେତା ରାକେଶ ଟିକାୟତ କହିଛନ୍ତି କି କୃଷକ ଆନ୍ଦୋଳନ ଏବେ ଭାବନାତ୍ମକ ରୂପ ସହିତ ଯୋଡି ହୋଇସାରିଛି । ଗୋଟିଏପଟେ ସରକାର ତାଙ୍କ ଜିଦ୍ ରେ ଅଟଳ ରହିବା ଯୋଗୁ କୃଷକମାନେ ସେମାନଙ୍କର ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇପଡିଲେଣି । ଯାହା ଫଳରେ ଏବେ ଆମକୁ ଏଭଳି ଘଟଣାକୁ ସାମ୍ନା କରିବାକୁ ପଡୁଛି । ଏନେଇ ଭାବୁକ ହୋଇପଡିଥିଲେ ଟିକାୟତ । ସେ ଆହୁରି କହିଛନ୍ତି କି ଯଦି ସରକାର ଏଭଳି ଜିଦ୍ ରେ ଅଟଳ ରହନ୍ତି ତାହେଲେ କୃଷକମାନେ ସରକାରକୁ ମାଟିରେ ମିଶାଇ ଦେବେ ।
କହିରଖୁ କି ଆତ୍ମହତ୍ୟା କରିଥିବା କୃଷକଙ୍କ ପକେଟରୁ ଏକ ଚିଠି ମିଳିଛି । ଏହି ଚିଠିରୁ ଯାହା ସନ୍ଧାନ ମିଳିଛି କୃଷକ ଜଣକ ପଶିୟାପୁର ଅଞ୍ଚଳର । ତାଙ୍କ ମୃତ୍ୟୁ ପରେ ରାକେଶ ଟିକାୟତ ପୁରା ଗମ୍ଭୀର ହୋଇପଡିଛନ୍ତି । ସେ କହିଛନ୍ତି କି ଯେତେବେଳେ ପର୍ଯ୍ୟନ୍ତ ସରକାର କୃଷକ ମାନଙ୍କର ଦାବି ଶୁଣି ନାହାନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ଅନ୍ୟପଟେ ଆସନ୍ତା ୪ ତାରିଖରେ ସରକାର ଓ କୃଷକ ମାନଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନା ଯଦି ସଫଳ ନହୁଏ ତାହେଲେ ୫ ତାରିଖ ଠାରୁ ଦେଶର ସମସ୍ତ ପେଟ୍ରୋଲ ପମ୍ପ ଓ ମଲ ଗୁଡିକୁ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି କୃଷକ ସଂଗଠନ ମାନେ ।