ଭିଜିଲାନ୍ସ ରିପୋର୍ଟ କାର୍ଡ : ୨୦୨୦ରେ ଧରାପଡ଼ିଛନ୍ତି ୪୦୦ ସରକାରୀ ବାବୁ; ୧୮୭ ଗିରଫ, ୧୫ ଜଣ ଚାକିରିରୁ ବିଦା

123

କନକ ବ୍ୟୁରୋ : ୨୦୨୦ ବର୍ଷରେ ପାଖାପାଖି ୪୦୦ ଜଣ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ କେବଳ ୧୧୩ ଜଣ ଲାଞ୍ଚ ନେଉଥିବାବେଳେ ଧରାପଡ଼ିଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ୯୩ଜଣ ଓ ଅର୍ଥ ଆତ୍ମସାତ୍‌ କରିବା ମାମଲାରେ ୯୯ ଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଚଳିତବର୍ଷ ମୋଟ ୧୮୭ ଜଣଙ୍କୁ ଭିଜିଲାନ୍ସ ଗିରଫ କରିଥିଲାବେଳେ ସେମାନଙ୍କ ମଧ୍ୟରେ ରହିଛନ୍ତି ୩୪ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ, ୨୮ଜଣ ଦ୍ବିତୀୟ ଶ୍ରେଣୀ ଅଧିକାରୀ, ୧୦୬ ତୃତୀୟ ଶ୍ରେଣୀ କର୍ମଚାରୀ, ୬ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ, ୫ଜଣ ଅନ୍ୟାନ୍ୟ ସରକାରୀ କର୍ମଚାରୀ ଓ ୮ଜଣ ଘରୋଇ କର୍ମଚାରୀ। ଏହାବ୍ୟତୀତ ୨୦୨୦ରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ଆଧାରରେ ଭିଜିଲାନ୍ସ ପକ୍ଷରୁ ୫୪ଟି ମାମଲାର ଯାଞ୍ଚ କରାଯାଇଥିବା ସୂଚନା ଦିଆଯାଇଛି। ଅନ୍ୟପଟେ କିନ୍ତୁ ଭିଜିଲାନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ହାର ୪୬ ପ୍ରତିଶତ ରହିଛି।

ଏହି ବର୍ଷରେ ରାଜ୍ୟ ଭିଜିଲାନ୍ସ ପକ୍ଷରୁ ମୋଟ ୩୮୧ ଜଣଙ୍କ ବିରୋଧରେ ୨୪୫ ଅପରାଧିକ ମାମଲା ରୁଜୁ କରାଯାଇଛି। ସେମାନଙ୍କ ମଧ୍ୟରେ ୫୩ଜଣ ପ୍ରଥମ ଶ୍ରେଣୀ, ୩୭ଜଣ ଦ୍ବିତୀୟ ଶ୍ରେଣୀ ଅଧିକାରୀ, ୧୮୪ ତୃତୀୟ ଶ୍ରେଣୀ କର୍ମଚାରୀ, ୫ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ, ୨୬ଜଣ ଅନ୍ୟାନ୍ୟ ସରକାରୀ କର୍ମଚାରୀ ଓ ୭୬ଜଣ ଘରୋଇ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରାଯାଇଛି। ସେହିପରି ୨୪୫ଟି ଆୟ ବର୍ହିଭୂତ ସମ୍ପତ୍ତି ମାମଲା ରୁଜୁ ହୋଇଥିଲାବେଳେ ସେମାନଙ୍କ ମଧ୍ୟରେ ୯୩ ସରକାରୀ କର୍ମଚାରୀ ଓ ୪୫ଜଣ ଘରୋଇ କର୍ମଚାରୀ ଅଛନ୍ତି। ସରକାରୀ କର୍ମଚାରୀଙ୍କ ପାଖରୁ ୧୨୩.୯୧ କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠାବ କରାଯାଇଛି। ୯୩ଟି ମାମଲା ମଧ୍ୟରୁ ୩୬ଟି ମାମଲାରେ ସମ୍ପତ୍ତି ୧କୋଟି ପାର‌୍‌ କରିଯାଇଥିଲାବେଳେ ୪ଟି ମାମଲାରେ ୪କୋଟିରୁ ଅଧିକ ଟଙ୍କାର ସଂପତ୍ତି ଠାବ ହୋଇଛି। ତେବ ମୋଟ ପଞ୍ଜୀକୃତ ମାମଲା ମଧ୍ୟରେ ପ୍ରଥମ ଶ୍ରେଣୀ ଅଧିକାରୀ ୨୪ଜଣ ଓ ଦ୍ବିତୀୟ ଶ୍ରେଣୀ ଅଧିକାରୀ ୧୯ ଜଣ ରହିଛନ୍ତି।

ଚଳିତବର୍ଷ ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକଙ୍କ ବିରୋଧରେ ୯.୩୫ କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ମାମଲା ସବୁଠୁ ବଡ ସର୍ଚ୍ଚ ଅପରେସନ୍‌ ହୋଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏଥିରେ ୧୫୦ ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀମାନେ ୪ଟି ରାଜ୍ୟକୁ ଯାଇ ସର୍ଚ୍ଚ ଅପରେସନ୍‌ରେ ସାମିଲ ହୋଇଥିଲେ। ୮ଜଣ ପ୍ରଥମ ଶ୍ରେଣୀ ଓ ଦ୍ବିତୀୟ ଶ୍ରେଣୀ ଅଧିକାରୀଙ୍କୁ ଟଙ୍କା ନେଇ ଯାଉଥିବାବେଳେ ଭିଜିଲାନ୍ସ ପକ୍ଷରୁ ଧରାପଡ଼ିଛନ୍ତି। ସେମାନଙ୍କଠାରୁ ମୋଟ ୨୬ଲକ୍ଷ ୯୫ହଜାର ୪୪୦ ଟଙ୍କା ଜବତ କରାଯାଇଛି। ସେହିପରି ଲାଞ୍ଚ ନେଉଥିବାବେଳେ ୧୧୩ ଜଣ ସରକାରୀ କର୍ମଚାରୀ ଓ ୨ଜଣ ଘରୋଇ ବ୍ୟକ୍ତିଙ୍କୁ ଭିଜିଲାନ୍ସ ଧରିଥିଲା। ସେମାନଙ୍କ ମଧ୍ୟରେ ୯ଜଣ ପ୍ରଥମ ଶ୍ରେଣୀ ଓ ୧୬ଜଣ ଦ୍ବିତୀୟ ଶ୍ରେଣୀ ଅଧିକାରୀ, ୮୦ଜଣ ତୃତୀୟ ଶ୍ରେଣୀ କର୍ମଚାରୀ, ୪ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ, ୪ଜଣ ଅନ୍ୟ ସରକାରୀ କର୍ମଚାରୀ ଓ ୨ଜଣ ଘରୋଇ ବ୍ୟକ୍ତି ମୋଟ ୧୬.୬୨ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଛନ୍ତି ।

ଅର୍ଥ ଆତ୍ମସାତ୍‌ କରିବା ମାମଲାରେ ୧୨୮ଜଣଙ୍କ ବିରୋଧରେ ୪୯ଟି ମାମଲା ରୁଜୁ ହୋଇଛି। ସେମାନଙ୍କ ମଧ୍ୟରେ ୯୯ଜଣ ସରକାରୀ କର୍ମଚାରୀ ଓ ୨୯ଜଣ ଘରୋଇ ବ୍ୟକ୍ତି ଅନ୍ତର୍ଭୁକ୍ତ। ଏମାନେ ମୋଟ ୧୫.୮୩ କୋଟି ଟଙ୍କା ସରକାରୀ ପାଣ୍ଠିରୁ ଅର୍ଥ ଆତ୍ମସାତ୍‌ କରିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବର୍ଷରେ ୩୬ଜଣ ପ୍ରଥମ ଶ୍ରେଣୀ, ୩୩ଜଣ ଦ୍ବିତୀୟ ଶ୍ରେଣୀ, ୧୪୯ଜଣ ତୃତୀୟ ଶ୍ରେଣୀ, ୭ଜଣ ଚତୁର୍ଥ ଣେଣୀ, ୧୦ଜଣ ଅନ୍ୟ ସରକାରୀ କର୍ମଚାରୀ ଓ ୧୨ଜଣ ଘରୋଇ ବ୍ୟକ୍ତିଙ୍କ ବିରୋଧରେ ଦୁର୍ନୀତି ମାମଲାକୁ ନେଇ ତଦନ୍ତ କରାଯାଇଥିଲା। ସେଥିମଧ୍ୟରୁ ୧୨୯ଟି ମାମଲାର ତଦନ୍ତ ଶେଷ ହୋଇଛି। ଏହାଭିତରୁ ୬୫ଟି ମାମଲାର ତଦନ୍ତକୁ ସେମାନଙ୍କ ନିଜନିଜ ବିଭାଗକୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଇ ଦିଆଯାଇଛି ଏବ˚ ୧୦୭ ମାମଲାକୁ ଅପରାଧିକ ମାମଲାରେ ପରିବର୍ତ୍ତନ କରାଯାଇଛି।

୨୦୨୦ରେ ୧୬୧ଟି ମାମଲାର ତଦନ୍ତ ଶେଷ ହୋଇ ୧୫୩ଟି ମାମଲାରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ୨୦୪ଜଣ ବ୍ୟକ୍ତିଙ୍କ ବିରୋଧରେ ଏହି ଚାର୍ଜସିଟ୍‌ ଦାଖଲ ହୋଇଛି। ଯାହାଫଳରେ ଚାର୍ଜସିଟ୍‌ ଦାଖଲ କରିବାର ହାର ୯୫ ପ୍ରତିଶତକୁ ବୃଦ୍ଧି ପାଇଛି। ଏହି ବର୍ଷରେ ୧୬ଟି ମାମଲାରେ କୋର୍ଟ ଦଣ୍ତାଦେଶ ଶୁଣାଇଛନ୍ତି। ଏଥିଯୋଗୁଁ ଦଣ୍ତବିଧାନ ହାର ୪୬ ପ୍ରତିଶତକୁ ବଢିଛି। ୧୫ଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ ଦଣ୍ତବିଧାନ ହୋଇଥିବାରୁ ସେମାନଙ୍କୁ ଚାକିରି ହରାଇବାକୁ ପଡ଼ିଛି। ଅନ୍ୟପକ୍ଷରେ ୧୬ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଦୁର୍ନୀତି ମାମଲାରେ ଦୋଷୀସାବ୍ୟସ୍ତ କରାଯାଇଥିବାରୁ ସେମାନଙ୍କ ପେନସନ୍‌ ବନ୍ଦ କରିଦିଆଯାଇଛି। ଏହି ବର୍ଷରେ ଫରେଷ୍ଟ ଵିଙ୍ଗ ପକ୍ଷରୁ ସ୍ଥାନୀୟ ବନ କର୍ମଚାରୀଙ୍କ ସହଯୋଗରେ ୯୬ଟି ଚଢାଉ କରାଯାଇଛି। ଚଢଉରେ ପାଖାପାଖି ୩.୨୫ କୋଟି ଟଙ୍କା ମୂଲ୍ୟର କାଠ, ଯନ୍ତ୍ରା˚ଶ, ଗାଡ଼ି ଇତ୍ୟାଦି ଜବତ ହୋଇଛି। ୧୭ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ସୂଚନା ଦିଆଯାଇଛି।