ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ସର୍ଦ୍ଦାର ବୁଟା ସିଂଙ୍କ ଦେହାନ୍ତ । ଦୀର୍ଘଦିନ ଅସୁସ୍ଥ ରହିବା ପରେ ୮୬ ବର୍ଷ ବୟସରେ ତାଙ୍କର ପରଲୋକ ।

497

କନକ ବ୍ୟୁରୋ : ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସର୍ଦ୍ଦାର ବୁଟା ସିଂଙ୍କର ଆଜି ଦେହାନ୍ତ ହୋଇଛି । ସେ ଦୀର୍ଘଦିନ ଧରି ଶାରିରୀକ  ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିଲେ । ଆଜି (ଶନିବାର) ୮୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ ପଞ୍ଜାବର ଜଳନ୍ଧର ଜିଲ୍ଲାରେ ମୁସ୍ତାଫାପୁର ଗ୍ରାମରେ ୧୯୩୪ ମସିହା ମାର୍ଚ୍ଚ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ବୁଟା ସିଂ ତାଙ୍କ ରାଜନୈତିକ କ୍ୟାରିୟର ମଧ୍ୟରେ ୮ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କର ଲମ୍ବା ରାଜନୈତିକ ଜୀବନ କାଳରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଗୃହମନ୍ତ୍ରୀ, କୃଷି ମନ୍ତ୍ରୀ, ରେଳ ମନ୍ତ୍ରୀ ଓ କ୍ରିଡାମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ।
ସେ ଜଣେ ଦଳିତ ନେତା ଭାବେ ବେସ୍ ପରିଚିତ ଥିଲେ । ପଞ୍ଜାବରେ ତାଙ୍କୁ ଦଳିତ ମାନଙ୍କର ମସିହା ଭାବେ ଲୋକମାନେ ମାନୁଥିଲେ । ସେ କଂଗ୍ରେସ ଦଳ ସହିତ ରାଜନୀତିରେ ଯୋଡି ହୋଇ ଶେଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ନେହେରୁ ପରିବାରରୁ ଗାନ୍ଧୀ ପରିବାର ପର୍ଯ୍ୟନ୍ତ ତାଙ୍କର ବେସ୍ ଭଲ ସଂପର୍କ ରହିଥିଲା । ସେ ତାଙ୍କର ଦୀର୍ଘ ରାଜନୈତିକ କାର୍ଯ୍ୟକାଳ ମଧ୍ୟରେ କେନ୍ଦ୍ରରେ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବା ପରେ ତାଙ୍କୁ କଂଗ୍ରେସ ସରକାର ବିହାରର ରାଜ୍ୟପାଳ ଭାବେ ଅବସ୍ଥାପିତ କରାଇଥିଲେ । ଏହା ବ୍ୟତିତ ସେ ରାଷ୍ଟୀୟ ଅନୁସୂଚିତ ଜାତି ଆୟୋଗର ଅଧ୍ୟକ୍ଷ ଭାବେ ବି କାର୍ଯ୍ୟ କରିଛନ୍ତି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପୁରା ପଞ୍ଜାବରେ ଶୋକର ଛାୟା ଖେଳି ଯାଇଛି । ବହୁ ବରିଷ୍ଠ କଂଗ୍ରେସ ନେତା ତାଙ୍କ ଶୋକସନ୍ତପ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।