ଅଗ୍ନିପଥକୁ ନେଇ ଭୂଲ ସୂଚନା ଦେଉଥିଲେ ସାବଧାନ । ସରକାର ନେଲେ କଡା କାର୍ଯ୍ୟାନୁଷ୍ଠାନ, ୩୫ ହ୍ୱାଟସଆପ୍ ଗ୍ରୁପ୍ ବ୍ୟାନ, ୧୦ ଜଣ ଗିରଫ ।

132

କନକ ବ୍ୟୁରୋ : ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ନିଆଁ ଜଳୁଥିବା ବେଳେ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ ପର୍ବ । ଅଗ୍ନିପଥ ଯୋଜନାକୁ ନେଇ ଯୁବବର୍ଗ ରାସ୍ତାକୁ ଓହ୍ଲାଇଥିବା ବେଳେ ପ୍ରଦର୍ଶନ ଜାରି ରଖିଛନ୍ତି । ଏପରିକି ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରିବା ସହ ପ୍ରଦର୍ଶନକୁ ହିଂସକ କରୁଛନ୍ତି ।  ହଜାର ହଜାର ଛାତ୍ରଛାତ୍ରୀ ପ୍ରଦର୍ଶନ ପାଇଁ ଏକାଠି ହେଉଛନ୍ତି । ଆଉ ଏସବୁ ଭିତରେ ଅଗ୍ନିପଥ ଯୋଜନାକୁ ନେଇ ଭୁଲ ସୂଚନା ଦେଉଥିବା ୩୫ଟି ହ୍ୱାଟସଆପ୍ ଗ୍ରୁପକୁ ବ୍ୟାନ୍ କରିଛନ୍ତି ସରକାର । ଏହାଛଡା ବିରୋଧ ପ୍ରଦର୍ଶନ କରୁଥିବା ଓ ଭ୍ରମିତ ସୂଚନା ଦେବା ଅଭିଯୋଗରେ ୧୦ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।

ଏସବୁ ଭିତରେ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ନିଆଁ ଜଳୁଥିବାବେଳେ ଭାରତୀୟ ସେନା କଡା ଆଭିମୁଖ୍ୟ ଦେଖାଇଛି । ବିକ୍ଷୋଭକାରୀଙ୍କୁ କଡା ଚେତାବନୀ ଦେଇ ସେନା କହିଛି, କୌଣସି ପରିସ୍ଥିତିରେ ବି  ଯୋଜନାକୁ ପ୍ରତ୍ୟାହାର କରାଯିବ ନାହିଁ । ପ୍ରତିବାଦକାରୀଙ୍କ ଉପରେ ହୋଇଥିବା ପ୍ରଶ୍ନର ଉତର ଦେଇ  ସେନା ଅଧିକାରୀମାନେ କହିଛନ୍ତି,  ଯେଉଁ ଆଶାୟୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବ, ସେମାନଙ୍କୁ ନିଯୁକ୍ତି ମିଳିବ ନାହିଁ । ସେମାନଙ୍କୁ ପୁଲିସ ସାର୍ଟିଫିକେଟ ଆଣିବାକୁ ପଡିବ । ଭାରତୀୟ ସେନାର ଏହି ଅଧିକାରୀମାନେ ସାମ୍ବାଦିକ ସମ୍ମିଳନୀରେ ସ୍ପଷକରି କହିଛନ୍ତି ଭାରତୀୟ ସେନାର ହାରାହାରି ବୟସ କମ ହେବା ଦରକାର । ଏହାଛଡା ଅଗ୍ନିପଥକୁ ନେଇ ଦେଖାଦେଇଥିବା ଦ୍ୱନ୍ଦ୍ୱକୁ ଦୂର କରିବାକୁ ସେନା ପକ୍ଷରୁ ପ୍ରୟାସ କରାଯାଇଛି ।