ଆପଣ ପିଇଛନ୍ତି କି ମାଣ୍ଡିଆ ଚା’ । ପାଟିକୁ ସୁଆଦିଆ, ଶରୀର ପାଇଁ ହିତକର । ମାଣ୍ଡିଆ ଚା’ ପିଇବାକୁ ଜୟପୁରର ଜଗନ୍ନାଥଙ୍କ ଦୋକାନରେ ଲାଗୁଛି ଭିଡ ।

235

କନକ ବ୍ୟୁରୋ : ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଧାନ, ବିରି, ମୁଗ, ମାଣ୍ଡିଆ, ବିରି, ପେଶୁ ଭଳି ଖାଦ୍ୟ ଶସ୍ୟ ଉତ୍ପାଦନ ହୋଇଥାଏ । ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ ଆଧିକ ପରିମାଣର ମାଣ୍ଡିଆ ଚାଷ କରନ୍ତି ଚାଷୀ । ଏହା ଏକ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ହୋଇଥିବାବେଳେ ଦିନକୁ ଦିନ ଏହି ପାରମ୍ପାରିକ ଖାଦ୍ୟ ପ୍ରତି ଲୋକଙ୍କ ରୁଚି ବଢୁଛି । ବିଶେଷକରି ମାଣ୍ଡିଆରୁ ବରା, ପକୁଡ଼ି, ଦୋଷା, ପିଠା ପ୍ରସ୍ତୁତ ହେବା ପ୍ରାୟ ସମସ୍ତେ ଜାଣିଥିବେ । କିନ୍ତୁ ମାଣ୍ଡିଆରୁ ଚା’ ଓ ସୁପ୍ ପ୍ରସ୍ତୁତ କରି ଏହାକୁ ଏକ ନୂତନ ବ୍ୟବସାୟର ରୂପ ଦେଇଛନ୍ତି କୋରାପୁଟର ଜଣେ ବ୍ୟବସାୟୀ । ଏହି ଚା’ ସମସ୍ତଙ୍କର ପସନ୍ଦ ପାଲଟିଛି ।

ଜୟପୁର ବଜାରରେ ମିଳୁଛି ମାଣ୍ଡିଆ ଚା’ । ମାଣ୍ଡିଆ ବରା, ମାଣ୍ଡିଆ ପକୁଡ଼ି, ମାଣ୍ଡିଆ ଦୋଷା, ସହ ମାଣ୍ଡିଆ ମିକ୍ସର ଭଳି ଅନେକ ସୁଆଦିଆ ବ୍ୟଞନ ମାଣ୍ଡିଆରୁ ପ୍ରସ୍ତୁତ ହେଉଥିବା ଆମେ ଦେଖିଛେ । ହେଲେ ଏବେ ମାଣ୍ଡିଆ ଚା’ ବଜାରରେ ବିକ୍ରି ହେବା ନିଶ୍ଚିତ ରୂପେ ସମସ୍ତଙ୍କ ପାଇଁ ଏହା ଏକ ନୂଆ ପାନୀୟ ଦ୍ରବ୍ୟ । ଏହି ଚା’ ପିଇବାକୁ ଦୋକାନରେ ଜମୁଛି ଗ୍ରାହକଙ୍କ ଭିଡ଼ । ଜୟପୁର ସହରର ପାରାବେଡ଼ା ଅଚଂଳରେ ଜଗନ୍ନାଥ ଚିନ୍ନାରୀ ନାମକ ଜଣେ ବ୍ୟକ୍ତି ଏବେ ଏହି ମାଣ୍ଡିଆରୁ ନିଜେ ଚା ପ୍ରସ୍ତୁତ କରି ବିକ୍ରି କରୁଛନ୍ତି । ଏଥିପାଇଁ ତାଙ୍କର ଏକ ମିଲେଟ ହବ ଦୋକାନ ମଧ୍ୟ ରହିଛି । ଯେଉଁଠି ମାଣ୍ଡିଆରେ ପ୍ରସ୍ତୁତ ସମସ୍ତ ପ୍ରକାର ସୁଆଦିଆ ପ୍ରୋଟିନ ଭରା ଖାଦ୍ୟ ସାମଗ୍ରୀ ମିଳିଥାଏ । ମାଣ୍ଡିଆ ବିସ୍କୁଟ, ମାଣ୍ଡିଆ ଚକଲେଟ, ମାଣ୍ଡିଆ ନାଡ଼ି, ମାଣ୍ଡିଆ ମିକ୍ସର, ମାଣ୍ଡିଆ ପୋଡ଼ ପିଠା, ମାଣ୍ଡିଆ ଖଜା, ମାଣ୍ଡିଆ ଲଢ଼ୁ, ଭଳି ଅନେକ ପଦାର୍ଥ ।

ରାତି ପାହିଲେ ଚିନ୍ନାରୀଙ୍କ ଦୋକାନରେ ଗ୍ରାହକଙ୍କ ଭିଡ଼ ଜମିଥାଏ । ଉଭୟ ସ୍ୱାମୀ ଓ ସ୍ତ୍ରୀ ଏହି ବ୍ୟବସାୟରେ ଲାଗିପଡ଼ନ୍ତି । କିଏ ମାଣ୍ଡିଆ ଚା ମାଗୁଛି ତ ଆଉ କିଏ ମାଣ୍ଡିଆ ସୁପ । ନିଜେ ମାଣ୍ଡିଆ ଚା’ ପତି ପ୍ରସ୍ତୁତି କରନ୍ତି । ନିଜେ ବିକ୍ରି କରି ପରିଚୟ ପାଇବା ପରେ ଏବେ ରାଜ୍ୟର ଅନ୍ୟ ଜିଲ୍ଳାର ବ୍ୟବସାୟୀଙ୍କୁ ତାଲିମ ଦେବା ପାଇଁ ଜଗନ୍ନାଥକୁ ନିମନ୍ତ୍ରଣ ଆସୁଛି । ଜଗନ୍ନାଥ ସ୍ନାତକ ପାସ କରିବା ପରେ କିଛି ନୁଆ କରିବାକୁ ଇଛା କରିିଥିଲେ । ନିଜେ ଏକ ଚୁନା କଳ କରିବା ପରେ ସେହି ଚୁନା କଳରେ ଅଧିକା ମାଣ୍ଡିଆ ଚୁନା ହେଉଥିବାରୁ ଏହାକୁ ନେଇ ନୂତନ ଚିନ୍ତା କରିିଥିଲେ । ହାଇଦ୍ରାବାଦ ଯାଇ ତାଲିମ ନେଇଥିଲେ, ଆଉ ଆଜି ସେହି ମାଣ୍ଡିଆ ଦେଇଛି ଏକ ନୂଆ ପରିଚୟ ।

ଏହି ମାଣ୍ଡିଆ ଚା’ର ଦାମ୍ ୫ ଟଙ୍କା ଓ ୧୦ ଟଙ୍କା ରହିଛି । ଗ୍ରାହକ ମଧ୍ୟ ମାଣ୍ଡିଆ ଚା’ ଓ ମାଣ୍ଡିଆରେ ପ୍ରସ୍ତୁତ ସାମଗ୍ରୀ ଖାଇ ନିଜକୁ ଖୁସି ଅନୁଭବ କରୁଛନ୍ତି । ମାଣ୍ଡିଆ ଏକ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ହୋଇଥିବା ବେଳେ କୋରାପୁଟ ଜିଲ୍ଳାର ଆଦିବାସୀ ଅଚଂଳର ଏହା ପ୍ରଧାନ ଖାଦ୍ୟ । ଜିଲ୍ଳାରେ ମାଣ୍ଡିଆ ପ୍ରଚୁର ପରିମାଣରେ ଉତ୍ପାଦନ ହେଉଥିବାରୁ ମାଣ୍ଡିଆର ପ୍ରକ୍ରିୟା କରଣ ପାଇଁ ଜିଲ୍ଳାରେ ମିଲଟ ମିଶନ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଛି । ଏହି ଚା, ତାର ଏକ ଉଦାହରଣ । ସରକାର ଅନ୍ୟାନ୍ୟ ସାମଗ୍ରୀ କୁ ଯେଉଁଭଳି ସହଯୋଗ କରୁଛନ୍ତି ସେହିପରି ଏହି ମାଣ୍ଡିଆ ଚା ଓ ତାର ପ୍ରସ୍ତୁତି ସାମଗ୍ରୀକୁ ଟିକିଏ ସହଯୋଗ କରନ୍ତେ ତାହା ହେଲେ କୋରାପୁଟ କଫି ଭଳି ମାଣ୍ଡିଆ ଚା’ ମାଣ୍ଡିଆ ସାମଗ୍ରୀ ମଧ୍ୟ ଜିଲ୍ଳା ପାଇଁ ଆଣି ପାରିବ ଆଉ ଏକ ପରିଚୟ ।