ରୋଜଗାର ଦେଉଛି ପେଭର ବ୍ଲକ । ଠିକାଦାର ବୃତ୍ତି ଛାଡି ଆଶୁତୋଷ ସାଜିଲେ ଉଦ୍ୟୋଗୀ, ନିଜ କାରଖାନାରେ ଦେଇଛନ୍ତି କର୍ମନିଯୁକ୍ତି ।

331

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳର କ୍ଷୁଦ୍ର ଶିଳ୍ପ ଉଦ୍ୟୋଗୀ ଆଶୁତୋଷ ହାଲଦାର । ଦିନେ ଠିକାଦାର ଥିଲେ  । ଠିକାଦାର ବୃତି ଛାଡି ଏବେ କରିଛନ୍ତି ପେଭର ବ୍ଲକ କାରଖାନା ଭଳି କ୍ଷୁଦ୍ର ଶିଳ୍ପ । ନିଜର ଆର୍ôଥକ ସ୍ଥିତି ସଦୃଢ କରିବା ସହ ଅନ୍ୟମାନଙ୍କୁ ଯୋଗାଇଛନ୍ତି କର୍ମ ନିଯୁକ୍ତି । ପେଭର ବ୍ଲକର ଚାହିଦା ରହିଥିବା ବେଳେ ବିକ୍ରିରେ ମଧ୍ୟ ଅସୁବିଧା ହେଉନାହିଁ । ପୂର୍ବରୁ ଏହି ସବୁ ଜିନିଷ କିଣିବାକୁ ଅନ୍ୟ ରାଜ୍ୟ କିମ୍ବା ଅନ୍ୟ ଜିଲ୍ଲା ଉପରେ ନିର୍ଭର କରୁଥିବା ଲୋକେ ହାତ ପାହାନ୍ତାରେ ପାଉଥିବାରୁ ବେଶ ଖୁସି ପ୍ରକାଶ କରିଛନ୍ତି ।

ପଥର ଗୁଣ୍ଡ, ବଜରୀ, ବାଲି, ସିମେଂଟ, କଲର, ଛାଞ୍ଚ ଓ କିଛି କେମିକାଲ ଭଳି ସାମଗ୍ରୀର ସମିଶ୍ରଣରେ ପେଭର ବ୍ଲକ ଇଟା ପ୍ରସ୍ତୁତ ହୁଏ । ବଜାରରେ ଏହି ଇଟାର ଢେର ଚାହିଦା ରହିଛି ଫଳରେ ଲୋକେ କଂକ୍ରିଟକୁ ପଛରେ ପକାଇ ପେଭର ଇଟାକୁ ବେଶ ପସନ୍ଦ କରୁଛନ୍ତି । ଚାହିଦା ଭଲ ଥିବାରୁ ଖୁବଶୀଘ୍ର ଏହି ଇଟା ମଧ୍ୟ ବିକ୍ରି ହୋଇଯାଏ । କମ ଟଙ୍କା ବିନିଯୋଗ କରି ବେଶ ଦୁଇ ପଇସା ରୋଜଗାର କରି କିଛି ଲୋକଙ୍କୁ ରୋଜଗାର ଯୋଗାଇବାରେ ସକ୍ଷମ ହୋଇପାରିଛନ୍ତି ଏହି କ୍ଷୁଦ୍ର ଶିଳ୍ପ ଉଦ୍ୟଗି ।

ପୂର୍ବରୁ ପେଭର ବ୍ଲକ ଇଟା ପାଇଁ ପଡ଼ୋଶୀ ରାଜ୍ୟ ତଥା ପଡ଼ୋଶୀ ଜିଲ୍ଲା କୋରାପୁଟ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ଏବେ ଉମରକୋଟ ଅଂଚଳରେ କାରଖାନା ହେବା ଦ୍ୱାରା ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁନାହିଁ ।  ଏହି କାରଖାନାରେ ପ୍ରାୟ ୨୦ ଜଣ ଶ୍ରମିକ କାମ କରୁଥିବା ବେଳେ ପ୍ରତିଦିନ ୩ହଜାରରୁ ୫ହଜାର ଇଟା ଗଢିବାରେ ସକ୍ଷମ ହେଉଛନ୍ତି । କାମ ସନ୍ଧାନରେ ଅନ୍ୟ ଅଂଚଳକୁ ଯାଉଥିବା ଲୋକେ ହାତ ପାହାନ୍ତାରେ କାମ ମିଳିବାରୁ ବେଶ ଖୁସି ପ୍ରକାଶ କରିଛନ୍ତି ।

ଉପାନ୍ତ ଅଞ୍ଚଳର ନବରଙ୍ଗପୁର ଜିଲ୍ଲାରେ ବର୍ତମାନ ପେଭର ବ୍ଲକର ଚାହିଦା ଅଧିକ ରହିଛି । ପେଭର ବ୍ଲକ ପରିବେଶ ସନ୍ତୁଳନ ରଖିବାରେ ବେଶ ଉପଯୋଗୀ ବୋଲି ପରିବେଶବିତ୍ ମାନେ ମତ ପ୍ରକାଶ କରୁଛନ୍ତି ।