ସପୁରୀ ଚାଷ ଦେଇଛି ପରିଚୟ । ପଡ଼ିଆ ଜମିରେ ଉନ୍ନତ କିଶମର ସପୁରୀ ଚାଷ କରିଛନ୍ତି କେନ୍ଦ୍ରାପଡ଼ା ରାମନଗର ଗାଁର ପ୍ରଫୁଲ୍ଲ ମିସ୍ତ୍ରୀ

102

କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ରାମନଗର ଗାଁର ପ୍ରଫୁଲ୍ଲ ମିସ୍ତ୍ରୀ ନିଜର ପଡିଆ ପଡିଥିବା ୨ ଏକରରୁ ଉଦ୍ଧ୍ୱର୍ ଜମିରେ ଦେଶୀ ପ୍ରଜାତିର ସପୁରୀ ଚାଷ କରିଛନ୍ତି । ଏହି ଚାଷରୁ ତାଙ୍କୁ ଭଲ ଦୁଇପଇସା ରୋଜଗାର ମିଳୁଛି । ଯାହାଦ୍ୱାରା ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ପ୍ରଫୁଲ୍ଲ । ପ୍ରାୟ ୩୦ବର୍ଷରୁ ଅଧିକ ବର୍ଷ ହେଲା ପ୍ରଫୁଲ୍ଲ ସପୁରୀ ଚାଷ କରୁଥିବା ବେଳେ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ସପୁରୀ ଚାଷରେ ଖର୍ଚ୍ଚ କମ ରୋଜଗାର ଅଧୀକ ହେଉଥିବାରୁ ଏହି ଚାଷ ପ୍ରତି ଆଗ୍ରହ ପ୍ରକାଶ କରିଥିବା କହିଛନ୍ତି ପ୍ରଫୁଲ୍ଲ । ଘର ଚାରିପଟେ ସପୁରୀ ଚାଷ କରିଛନ୍ତି ପ୍ରଫୁଲ୍ଲ । ସକାଳ ହେଲେ ଗୋଡରେ ଯୋତା ହାତରେ ଗ୍ଲୋବସ୍ ଓ କୋଦଳଟିଏ ଧରି ବାହାରି ପଡନ୍ତି ସପୁର ଚାଷ ଜମିକୁ । ସପୁରି ଗଛର ଯତ୍ନ ନେବା ସହିତ କୋଡ଼ାଖୋସା ମଧ୍ୟ କରନ୍ତି ।

ଗଛ ଲଗାଇବାର ବର୍ଷେରୁ ଦୁଇ ବର୍ଷ ଭିତରେ ଫଳ ଆସିଥାଏ । ପ୍ରତି ବର୍ଷ ଫେବୃୟାରୀ ମାସରେ ସପୁରୀ ଗଛରେ ଫଳ ଆସେ । ଏହି ଫଳ ସାବିତ୍ରୀ ବ୍ରତ ଓ ରଜ ଉତ୍ସବ ସମୟରେ ଅମଳ ହୋଇଥାଏ । ସପୁରୀ ଗଛରେ ବର୍ଷକୁ ଥରେ ମାତ୍ର ଫଳ ଆସିଥାଏ । ଗୋଟିଏ ସିଜିନରେ ୨ ଏକର ଜମିରୁ ୩ହଜାରରୁ ଅଧିକ ସପୁରି ଅମଳ କରିଥାନ୍ତି ପ୍ରଫୁଲ୍ଲ । ସପୁରୀ ଗୋଟା ପିଛା ୨୫ ରୁ ୩୦ ଟଙ୍କା ହିସାବରେ ବ୍ୟବସାୟୀ ମାନେ ପ୍ରଫୁଲ୍ଲଙ୍କ ପାଖକୁ ଆସି କିଣିନିଅନ୍ତି । ବିନା ସାର ଔଷଧରେ ପ୍ରଫୁଲ୍ଲ ସପୁରୀ ଚାଷ କରୁଥିବାରୁ ଉତ୍ପାଦିତ ସୁପରୀ ଖୁବ୍ ସ୍ୱାଦିଷ୍ଟ ହୋଇଥିବା କହିଛନ୍ତି ସ୍ଥାନିୟ ଲୋକେ । ଅମଳ ହେଉଥିବା ସପୁରିକୁ ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ବ୍ୟବସାୟୀ ମାନେ କିଣି ନେଉଛନ୍ତି ।

ସପୁରୀ ଚାଷ କରି ପ୍ରଫୁଲ୍ଲ ସ୍ଥାନିୟ ଅଂଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଯାହା ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛି ।