ବିଜେପିର ମିଶନ ଦକ୍ଷିଣ ଭାରତ, ଦୁଇ ରାଜ୍ୟକୁ କେନ୍ଦ୍ରର ଉପହାର । ଚେନ୍ନାଇକୁ ମିଳିଲା ୧୩ ଶହ କୋଟିର ବିମାନବନ୍ଦର, ହାଇଦ୍ରାଦରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ ।

138

କନକ ବ୍ୟୁରୋ: ଚେନ୍ନାଇ ଓ ହାଇଦ୍ରାବାଦକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ଼ ଭେଟି । ଶନିବାର ଚେନ୍ନାଇ ଓ କୋଏମ୍ବାଟୁର ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରିଛନ୍ତି ମୋଦୀ । ଏହି ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ଥିଲେ । ଏହାସହ ପ୍ରଧାନମନ୍ତ୍ରୀ ମୋଦୀ ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦରର ନୂଆ ଟର୍ମିନାଲର ଭବନର ଫେଜ୍- ୱାନର ମଧ୍ୟ ଉଦଘାଟନ କରିଛନ୍ତି । ଏହି ଟର୍ମିନାଲ ଭବନକୁ ୧୨ଶହ ୬୦ କୋଟି ଟଙ୍କା ବ୍ୟୟବରାଦରେ ନିର୍ମିତ କରାଯାଇଛି ।

ନୂଆ ଟର୍ମିନାଲ ସ୍ଥାନୀୟ ତାମିଲ ସଂସ୍କୃତିକୁ ପ୍ରାଧାନ୍ୟ ଦେଇଛି, ଯେଉଁଥିରେ କୋଲମ, ଶାଢ଼ି, ମନ୍ଦିର ଓ ଅନ୍ୟାନ୍ୟ ପ୍ରାକୃତିକ ପରିବେଶ ସାମିଲ ଅଛି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଚେନ୍ନାଇରେ ବିଶାଳ ରୋଡ୍ ଶୋ’ କରିଥିଲେ । ଯେଉଁଥିରେ ସାମିଲ ହୋଇଥିଲେ ସ୍ଥାନୀୟ ଲୋକେ ଓ ହଜାର ହଜାର ବିଜେପି କର୍ମୀ । ଶନିବାର ପ୍ରଥମେ ମୋଦୀ ତେଲେଙ୍ଗାନା ଗସ୍ତ କରିଥିଲେ, ଯେଉଁଠାରେ ସେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଉଦଘାଟନ କରିଛନ୍ତି । ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସ ତିରୁପତି ସହରକୁ ସଂଯୋଗ କରିବ, ଯେଉଁଠାରେ ଭଗବାନ ଭେଙ୍କଟେଶ୍ୱରଙ୍କ ମନ୍ଦିର ରହିଛି । ଏହାସହ ମୋଦୀ ତେଲେଙ୍ଗାନାରେ ୧୧ହଜାରରୁ ଅଧିକ ଟଙ୍କାର ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ।