ପୁଣି ରୂପ ବଦଳାଉଛି କୋଭିଡ୍ ଭୂତାଣୁ । ଗୁଜୁରାଟ ଓ ମହାରାଷ୍ଟ୍ରରେ ନୂଆ ପ୍ରଜାତି ଦ୍ୱାରା ସଂକ୍ରମିତ ରୋଗୀ ଚିହ୍ନଟ

504

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଉପରମୁହାଁ ହୋଇଥିବାବେଳେ, ସାମନାକୁ ଆସିଛି ଆଉ ଏକ ଚିନ୍ତା ଜନକ ଖବର । ପୁଣି ରୂପ ବଦଳାଉଛି କୋଭିଡ୍ ଭୂତାଣୁ । କୋଭିଡ୍ ଭୂତାଣୁ XBB.1.16 ପ୍ରଜାତି ପୁଣି ରୂପ ବଦଳାଇଛି । କୋଭିଡ୍ ଭୂତାଣୁର ନୂଆ ଉପ-ପ୍ରଜାତି XBB.1.16 ଭାରତରୁ ଚିହ୍ନଟ ହୋଇଛନ୍ତି । ଏହି ନୂଆ ପ୍ରଜାତି ଦ୍ୱାରା ଦେଶରେ ଏପର୍ଯ୍ୟନ୍ତ ୧୧୩ ଜଣ ସଂକ୍ରମିତ ହୋଇଛନ୍ତି । ବିଶେଷକରି ଗୁଜୁରାଟ ଓ ମହାରାଷ୍ଟ୍ରରେ ନୂଆ ପ୍ରଜାତି ଦ୍ୱାରା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । XBB ଓମିକ୍ରନର ଏକ ଉପ-ପ୍ରଜାତି । ଏହା ଓମିକ୍ରନ ପ୍ରଜାତି ମଧ୍ୟରେ ଅଧିକ ସଂକ୍ରାମକ ।

୧୫ ମାସ ଭିତରେ ଓମିକ୍ରନରେ ପ୍ରାୟ ଚାରି ଶହ ନୂଆ ଉପ-ପ୍ରଜାତି ଠାବ ହୋଇଛନ୍ତି । ସେଗୁଡିକ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଭ୍ୟାରିଆଣ୍ଟ ଏକ୍ସବିବି ପ୍ରଜାତିର । ତେବେ ଇନସାକଗ୍ ପୋର୍ଟାଲରେ ଏପର୍ଯ୍ୟନ୍ତ XBB.1.16କୁ ତାଲିକାଭୁକ୍ତ କରାଯାଇନାହିଁ । କିନ୍ତୁ ଏହି ନୂଆ ପ୍ରଜାତି କେତେ ମାରାତ୍ମକ ତାହା ସ୍ପଷ୍ଟ ହୋଇନାହିଁ । ଓମିକ୍ରନର ସବୁ ଭ୍ୟାରିଆଣ୍ଟ ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛି । ମୂଳ ଓମିକ୍ରନ ଭୂତାଣୁ ଯୋଗୁଁ ଯେମିତି ଜ୍ୱର, କଫ, ଥଣ୍ଡା, ନାକ ବନ୍ଦ ହୋଇଯାଏ, ମୁଣ୍ଡ ବିନ୍ଧା ହୁଏ, ଦେହ ଦରଜ ହୁଏ, ପେଟରେ ଯନ୍ତ୍ରଣା ହୁଏ, ଡାଏରିଆ ହୁଏ, ତାର ନୂଆ ନୂଆ ଉପ-ପ୍ରଜାତି ଯୋଗୁଁ ବି ସେମିତି ଲକ୍ଷଣ ଦେଖା ଦେଇଥାଏ ।

ଅନ୍ୟପଟେ ଦେଶରେ ଆଉ ୬ହଜାର ୧୧୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ସକ୍ରି୍ରୟ ସଂକ୍ରମିତଙ୍କ ସଂଖ୍ୟା ୩୧ ହଜାର ୧୯୪ରେ ପହଁଚିଛି । ଏଥିସହ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ କରୋନା ଯୋଗୁଁ ଆଉ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଗତ କିଛି ଦିନ ଭିତରେ ଦେଶରେ କରୋନା ସଂକ୍ରମଣ ଅଚାନକ ବଢ଼ିଯାଇଛି । ସଂକ୍ରମଣ ବଢ଼ୁଥିବାରୁ ସତର୍କ ରହିବାକୁ ରାଜ୍ୟ ମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ରାଜ୍ୟ ସରକାରମାନେ ବି କୋଭିଡ୍ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।