ଖୋଲିବ କି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ରହସ୍ୟ ? ଭାଇରାଲ ଅଡିଓକୁ ନେଇ ପୋଲିସର ତନାଘନା 

58

କନକ ବ୍ୟୁରୋ: ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିନାହିଁ । ଏପଟେ ଭାଇରାଲ ଅଡିଓକୁ ନେଇ ତନାଘନା ଚଲାଇଛି କମିସନରେଟ ପୁଲିସ । ଅଡିଓ କ୍ଲିପକୁ ନେଇ ନିମାପଡା ଅଞ୍ଚଳର ସାମ୍ବାଦିକ ଅକ୍ଷୟ ନାୟକଙ୍କୁ ପୁଲିସ ମାରାଥନ ଜେରା କରିଛି । ଡିସିପି ଅଫିସରେ ତାଙ୍କ ପ୍ରାୟ ୫ ଘଣ୍ଟା ପଚରା ଉଚରା କରାଯାଇଥିବା ସୂଚନା ମିଳିଛି । ଏହାପରେ ସଂପୃକ୍ତ ଅଡିଓ କ୍ଲିପକୁ ଜବତ କରିଛି ପୁଲିସ । ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପୂର୍ବର ଅଡିଓ ସାମ୍ନାକୁ ଆସିବା ପରେ, ଅଡିଓ କ୍ଲିପର ଯାଞ୍ଚ ଓ ମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଆସୁଛନ୍ତି ବିରୋଧୀ ।

  • ଖୋଲିବ କି ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ରହସ୍ୟ?
  • ସାମ୍ବାଦିକ ଅକ୍ଷୟ ନାୟକଙ୍କୁ ପଚରାଉଚରା କଲା ପୁଲିସ

ପୁରୀ ୧୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ୧୦ ଦିନ ବିତିଥିଲେ ବି ପୂରା ରହସ୍ୟ ଉପରୁ ପରଦା ହଟୁନି । ଏପଟେ ଭାଇରାଲ ଅଡିଓକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ମୃତ୍ୟୁ ପୂର୍ବରୁ ନିମାପଡ଼ାରୁ ପ୍ରକାଶିତ ହେଉଥିବା ଖବରକାଗଜ ସତ୍ୟ ଖବରର ସଂପାଦକ ଅକ୍ଷୟ ନାୟକଙ୍କ ସହ କଥା ହୋଇଥିଲେ ଧର୍ମେନ୍ଦ୍ର । ଅଡିଓ ଭାଇରାଲ୍ ହେବା ପରେ ଅକ୍ଷୟ ନାୟକଙ୍କୁ ନୋଟିସ୍ ଜାରି କରିଥିଲା କମିଶନରେଟ୍ ପୋଲିସ । ଡିସିପି କାର୍ଯ୍ୟାଳୟରେ ହାଜର ହୋଇ ତଥ୍ୟ ରଖିଛନ୍ତି ଅକ୍ଷୟ ।

ଏହି ମାମଲାକୁ ନେଇ ରାଜନୀତି ସରଗରମ ହୋଇଥିବା ବେଳେ ମନ୍ତ୍ରୀଙ୍କ ଇସ୍ତଫା ଦାବି ସହ  ଅଡିଓ କ୍ଲିପ୍ ଯାଞ୍ଚ କରିବା ପାଇଁ ଦାବି କରି ଆସୁଛନ୍ତି ବିରୋଧୀ । ଭାଇରାଲ ହୋଇଥିବା ଅଡିଓ କ୍ଲିପରେ ମୃତ ଧର୍ମେନ୍ଦ୍ର ସାହୁ ଅନେକ ବ୍ୟକ୍ତିଙ୍କ ନାଁ ନେଇଛନ୍ତି । ଯେଉଁଥିରେ ମନ୍ତ୍ରୀ ସମୀର ଦାଶଙ୍କ ନାମ ମଧ୍ୟ ରହିଛି । ଅଡିଓ କ୍ଲିପ୍ ବାବଦରେ ଅକ୍ଷୟ ନାୟକଙ୍କୁ ପଚରାଉଚରା କରିଛି ପୁଲିସ । ଡିସିପି ଅଫିସରେ ପ୍ରାୟ ୫ ଘଣ୍ଟା ଧରି ରହିଥିଲେ ଅକ୍ଷୟ । ଏହାପରେ ଅଡିଓ କ୍ଲିପ୍ ଥିବା ମୋବାଇଲକୁ ପୁଲିସ ଜବତ କରିଛି । ଗତ ୨୪ ତାରିଖରେ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଶିଶୁପାଳଗଡ଼ ସ୍ଥିତ ବାସଭବନରୁ ଜବତ କରାଯାଇଥିଲା । ଧଉଳି ଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।