କାରର ସିକ୍ରେଟ ଚାମ୍ବରରେ ପୁଳା ପୁଳା ସୁନା । ବ୍ରହ୍ମପୁରରେ ୪ କେଜିରୁ ଅଧିକ ସୁନା ସହ ୧୮୫ କେଜି ରୂପା ଜବତ ।

156

କନକ ବ୍ୟୁରୋ: ବ୍ରହ୍ମପୁର ସୋରଳ ଜଙ୍କସନରୁ ଚୋରା ଚାଲାଣ ହେଉଥିବା ସୁନା ଓ ରୂପାକୁ ଜବତ କରିଛି ପୁଲିସ । ଏହି ଘଟଣାରେ ତାମିଲନାଡୁର ୪ ଜଣଙ୍କୁ ଗୋଳନ୍ଥରା ଥାନା ପୋଲିସ ଗିରଫ କରିଛି । ଏକ କାରର ସିକ୍ରେଟ ଚାମ୍ବରରୁ ଜବତ ହୋଇଛି ୪ କେଜିରୁ ଅଧିକ ଓଜନର ସୁନା ଏବଂ ୧୮୫ କେ.ଜି ରୂପା । ଗିରଫ ଅଭିଯୁକ୍ତ ସୁନା କାହାର କେଉଁଠୁ ଆସୁଥିଲେ ସେନେଇ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରୁ ନାହାନ୍ତି । ତେଣୁ ଏହା ଅସାଧୁ ଉପାୟରେ ଜିଏସଟି ଫାଙ୍କିବାକୁ ଚାଲାଣ ହେଉଥିଲା ବୋଲି ସନ୍ଦେହ କରାଯାଉଛି ।

ଟେବୁଲରେ ଗଦା ହୋଇଛି ପ୍ୟାକେଟ । ହଳଦିଆ ରଙ୍ଗର ପ୍ୟାକେଟ ଦଶହରା ବେଳେ କୌଣସି ଚାନ୍ଦା କିମ୍ବା ଉପହାର ପ୍ୟାକେଟ ନୁହେଁ ବରଂ ସୁନା, ରୂପା ଭର୍ତ୍ତି ହୋଇଥିବା ପ୍ୟାକେଟ । ଯାହା ପୋଲିସ ହାତରେ ଲାଗିଛି । ବ୍ରହ୍ମପୁରର ସୋରଳ ଜଙ୍କସନରୁ ଏହି ସବୁ ସୁନା ଓ ରୂପା ଜବତ ହୋଇଛି । ଗୋଳନ୍ଥରା ପୋଲିସ ଚଢାଉ କରି ବିପୁଳ ପରିମାଣର ସୁନା, ଗହଣା ଏକ କାରରୁ ଜବତ କରିଛି । ଯାହାର ନମ୍ବର କେଏ ୦୧ ଏମଆର ୧୫୪୫ ରହିଛି । କାର ଭିତରେ ସିଟ୍ । ଆଉ ତା ଭିତରେ ରହଥିଲା ସିକ୍ରେଟ ଚ୍ୟାମ୍ବର । ଏହି ଚ୍ୟାମ୍ବର ଭିତରୁ ବାହାର କରାଯାଉଥିବା ପ୍ୟାକେଟ ଭିତରେ ରହିଛି ସୁନା ଏବଂ ରୂପା । ୪ କେଜିରୁ ଅଧିକ ସୁନା ଜବତ ହୋଇଥିବା ବେଳେ ୧୮୫ କେ.ଜି ରୂପା ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୩ କୋଟିରୁ ଉଦ୍ଧ୍ୱର୍ ହେବ ବୋଲି ସୂଚନା ରହିଛି ।

ଅଟକ ହୋଇଥିବା ୪ ଜଣ ତାମିଲନାଡୁ ଅଞ୍ଚଳର । ଯେଉଁଥିରୁ ଜଣେ କାର ଡ୍ରାଇଭର । ପୋଲିସ ଏମାନଙ୍କୁ ଜେରା କରିବା ବେଳେ ସେମାନେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ । ସୁନା ଓ ରୁପା ଭର୍ତ୍ତି ଏହି କର୍ଣ୍ଣାଟକ ନମ୍ବର ଥିବା କାରଟି ତାମିଲନାଡୁରୁ ଆସିଥିବା ଜଣାପଡିଛି । ଜିଏସଟି ଫାଙ୍କିବା ପାଇଁ ଅସାଧୁ ବ୍ୟବସାୟୀ ମାନେ ଏମିତି ଚୋରା ଚାଲାଣ କରୁଥିବା ସନ୍ଦେହ କରାଯାଉଛି । ପୋଲିସ ସହ ଏବେ ଏହି ମାମଲାର ତଦନ୍ତ ଆୟକର ବିଭାଗ ଓ ଜିଏସଟି କରୁଛନ୍ତି ।

କେଉଁଠାରୁ ଏହି ସୁନା ଓ ରୁପା ଆସୁଥିଲା ଓ କେଉଁ ସ୍ଥାନକୁ ଯାଉଥିଲା ତାହା ଜଣାପଡିନି । ତେବେ ପ୍ରାଥମିକ ତଦନ୍ତରୁ ଏହା ବ୍ରହ୍ମପୁରର ବ୍ୟବସାୟୀଙ୍କ ନିକଟକୁ ଆସୁଥିବା ସନ୍ଦେହ କରୁଛି ପୋଲିସ । ତେଣୁ ଗଞ୍ଜାମର ଗହଣା ବ୍ୟବସାୟୀ ଏବେ ପୋଲିସ ସ୍କାନରରେ । ୧୧ ଦିନ ତଳେ ମଧ୍ୟ ଏକ ସମାନ ମାମଲା ସାମ୍ନାକୁ ଆସିଥିଲା । କଟକ ଟାଙ୍ଗି ଟୋଲଗେଟ୍ ନିକଟରେ ଗଞ୍ଜେଇ ଚେକିଂ ବେଳେ ଏକ କାରର ସିକ୍ରେଟ ଚାମ୍ବରରୁ ଜବତ ହୋଇଥିଲା ରୂପା ଇଟା, ସୁନା ଅଳଙ୍କାର ଓ ଟଙ୍କା । ଗଞ୍ଜାମ ଆସ୍କାରୁ ପଶ୍ଚିମବଙ୍ଗର ଖଡଗପୁରକୁ ଚାଲାଣ ହେଉଥିବାବେଳେ ଏହା ଧରାପଡିଥିଲା । ତେଣୁ ସଡକ ପଥରେ ଏବେ ବେଆଇନ ସୁନା, ରୂପା କାରବାର ବଢିଥିବା ସନ୍ଦେହ କରାଯାଉଛି ।