ଆରମ୍ଭ ହେଲା ପଦଯାତ୍ରା ପଲିଟିକ୍ସ । ବିଜେଡିର ଜନସମ୍ପର୍କ ପଦଯାତ୍ରାକୁ ଶୁଭାରମ୍ଭ କରି କର୍ମୀ ଓ ମନ୍ତ୍ରୀଙ୍କ ସହ ଚାଲିଲେ ମୁଖ୍ୟମନ୍ତ୍ରୀ

63

କନକ ବ୍ୟୁରୋ: ଗାନ୍ଧୀ ଜୟନ୍ତୀରୁ ୨୦୨୪ ନିର୍ବାଚନ ପାଇଁ ବିଗୁଲ ବଜାଇଛି ବିଜେଡି । ଅକ୍ଟୋବର ୨ରୁ ଅର୍ଥାତ୍ ଆଜିଠୁ ଏକମାସ ଯାଏଁ ସାରା ରାଜ୍ୟରେ ପଦଯାତ୍ରା କରି ଲୋକଙ୍କ ପାଖକୁ ଯିବେ ନେତା । ବିଜେଡିର ଏହି ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ସଫଳତା ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ବିଜୁ ଜନତା ଦଳ ଲୋକଙ୍କ ପାଖକୁ ଯିବ । ପଦଯାତ୍ରାର ଶେଷ ଦିନରେ ଜନସେବା ପାଇଁ ସାମୂହିକ ସଂକଳ୍ପ ନେବ ବିଜେଡି ।

କୋଭିଡ ମହାମାରୀ ଯୋଗୁଁ ଦୁଇ ବର୍ଷ ବନ୍ଦ ରହିବା ପରେ ଆରମ୍ଭ ହୋଇଛି ବିଜେଡିର ଜନସଂପର୍କ ପଦଯାତ୍ରା । ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର କାରଗିଲ୍ ବସ୍ତିରୁ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଏହି ପଦଯାତ୍ରା ଚାଲିବ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳକୁ ନେଇ ଲୋକଙ୍କ ପାଖକୁ ଯିବ ବିଜେଡି । ପ୍ରତ୍ୟେକ ଅଞ୍ଚଳରେ ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅବଦାନକୁ ମଧ୍ୟ ମନେ ପକାଇବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଜନସଂପର୍କ ପଦଯାତ୍ରାକୁ ସଫଳ କରିବା ପାଇଁ ଗତ ୨୯ ଓ ୩୦ ତାରିଖରେ ରୋଡମ୍ୟାପ ପ୍ରସ୍ତୁତ କରିଥିଲା ବିଜେଡି । ବରମୁଣ୍ଡା ପଡ଼ିଆ ଠାରେ ବିଜେଡି ପକ୍ଷରୁ ଆୟୋଜିତ ହୋଇଥିଲା ପ୍ରଶିକ୍ଷଣ ଶିିବିର । ରାଜ୍ୟ ସରକାରଙ୍କ ସଫଳତା, କେନ୍ଦ୍ର ସରକାରଙ୍କ ଅବହେଳାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଯୋଜନା କରିଛି ଦଳ । ପଦଯାତ୍ରାର ଶେଷ ଦିନରେ ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଞ୍ଚାୟତରେ ଦଳର ପ୍ରତ୍ୟେକ ସଦସ୍ୟ ଜନସେବା ପାଇଁ ସାମୂହିକ ସଂକଳ୍ପ ନେବେ । ୨୦୨୪ ନିର୍ବାଚନ ଫୋକସରେ ଥିବାରୁ ଏଥର ବ୍ୟାପକ ଆୟୋଜନ କରିଛି ଶାସକ ଦଳ । ତୃଣମୃଳ ସ୍ତରରେ ଦଳକୁ ଆହୁରି ମଜବୁତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।