ଏନଡିଟିଭିରେ ଚାଲିବ ଆଦାନୀ ରାଜ! ବୋର୍ଡରୁ ଇସ୍ତଫା ଦେଲେ ପ୍ରଣୟ-ରାଧିକା । ବଦଳିବ କି ଏନଡିଟିଭିର ଖବର ପ୍ରସାରଣ ଶୈଳୀ?

234

କନକ ବ୍ୟୁରୋ: ଏନଡିଟିଭିର ବୋର୍ଡରେ ସାମିଲ ହେଲେ ନୂଆ ମାଲିକ ଗୌତମ ଆଦାନୀଙ୍କ ବିଶ୍ୱସ୍ତ । ବୋର୍ଡରୁ ଦୁଇ ପ୍ରତିଷ୍ଠାତା ପ୍ରଣୟ ରୟ ଏବଂ ରାଧିକା ରୟ ମଙ୍ଗଳବାର ଇସ୍ତଫା ଦେଇଛନ୍ତି । ଏହାପରେ ତିନି ଜଣ ନୂଆ ସଦସ୍ୟ ସାମିଲ ହୋଇଛନ୍ତି । ତେଣୁ ଏବେ ଏନଡିଟିଭିର ଖବର ପ୍ରସାରଣ ଶୈଳୀ କଣ ରହିବ ତାକୁ ନେଇ ଚର୍ଚ୍ଚା । ସେହିପରି କମ୍ପାନୀର ବିଶ୍ୱସ୍ତ କର୍ମଚାରୀ ତଥା ପ୍ରତିଷ୍ଠିତ ସାମ୍ବାଦିକ ରବିଶ କୁମାରଙ୍କ ଭଳି କର୍ମଚାରୀ ନୂଆ ମାଲିକାନା ଅଧିନରେ କାମ କରିବେ ତ ତାକୁ ନେଇ ବଢିଛି ଚର୍ଚ୍ଚା ।

  • ଏନଡିଟିଭିରେ ଚାଲିବ ଆଦାନୀ ରାଜ!
  • ବୋର୍ଡରୁ ଇସ୍ତଫା ଦେଲେ ପ୍ରଣୟ-ରାଧିକା
  • ବଦଳିବ ଏନଡିଟିଭିର ଖବର ପ୍ରସାରଣ ଶୈଳୀ?

ଗୌତମ ଆଦାନୀ । ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି । କେନ୍ଦ୍ର ସରକାରଙ୍କ ଅତି ନିକଟତର ବୋଲାଉଥିବା ଅଦାନୀ ଏବେ ଏନଡିଟିଭିର ମାଲିକ ହେବାକୁ ଯାଉଛନ୍ତି । ସରକାରଙ୍କୁ ସମାଲୋଚନା କରି ସବୁôବେଳେ ଚର୍ଚ୍ଚାରେ ଥାଏ ଏନଡିଟିଭି । ବିଭିନ୍ନ ପ୍ରସଙ୍ଗକୁ ମୁଦ୍ଦା କରି ସରକାରକୁ ଘେରି ଲୋକଙ୍କ ଆସ୍ଥାଭାଜନ ହୋଇଛି ନ୍ୟୁ ଦିଲ୍ଲୀ ଟିଭି ଲିମିଟେଡ । ମୁଖ୍ୟତଃ ବିରୋଧୀଙ୍କ ପାଇଁ ଗୋଟିଏ ବଡ ମଞ୍ଚ ଥିଲା ଏହି ଚ୍ୟାନେଲ । ଅନ୍ୟପଟେ ମୋଦୀ ସରକାର ଆଦାନୀ କମ୍ପାନୀକୁ ଅନେକ ଅନୁକମ୍ପା ଦେଖାଉଥିବାର ଅଭିଯୋଗ ରହିଛି ।

ଏପରି ସ୍ଥିତିରେ ଦୀର୍ଘ ବର୍ଷର ଖବର ପ୍ରସାରଣ ଶୈଳୀ ବଦଳାଇବ କି ଏନଡିଟିଭି ତାହା ଏବେ ଚର୍ଚ୍ଚାରେ । କାରଣ ଏହି ପୁରୁଣା ଟିଭି ଚ୍ୟାନେଲର ନୂଆ ମାଲିକ ହେବାକୁ ଯାଉଥିବା ଗୌତମ ଆଦାନୀ ଏକ ଇଂରାଜୀ ଖବରକାଗଜର ସମ୍ମିଳନୀରେ ଯୋଗ ଦେଇ କହିଥିଲେ, ସରକାରଙ୍କୁ ସମାଲୋଚନା କରିବା ଠିକ୍ । କିନ୍ତୁ ସରକାର ଯଦି କୌଣସି ଭଲ କାମ କରୁଛନ୍ତି ତାହେଲେ ତାକୁ ମଧ୍ୟ ଦେଖାଇବାକୁ ସାହାସ କରିବା ଦରକାର । ତେଣୁ ଆଦାନୀଙ୍କ କମ୍ପାନୀ ଯେତେବେଳେ ଏନଡିଟିଭିକୁ ପରିଚାଳନା କରିବେ ସେତେଳେ କ’ଣ ରହିବ ଏହି ପୁରୁଣା ଚ୍ୟାନେଲର ଆଭିମୁଖ୍ୟ?

  • ଏନଡିଟିଭି ବୋର୍ଡରେ ଆଦାନୀଙ୍କ ବିଶ୍ୱସ୍ତ
  • କାହାର ରହିଛି, କେତେ ଅଂଶଧନ?

ଏନଡିଟିଭି ମାଲିକ ତଥା ପ୍ରତିଷ୍ଠାତା ପ୍ରଣୟ ରୟ ଏବଂ ରାଧିକା ରୟ ଆରଆରପିଆର ହୋଲଡିଂ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ଏନଡିଟିଭି ପକ୍ଷରୁ ଅବଗତ କରାଯାଇଛି । ଆଉ ଏହା ମଙ୍ଗଳବାରଠାରୁ କାର୍ଯ୍ୟକାରୀ ହୋଇଛି । ଏବେ ଏହି ବୋର୍ଡରେ ଏଂଟ୍ରି ମାରିଛନ୍ତି ସୁଦୀପ ଭଟ୍ଟାଚାର୍ଯ୍ୟ, ସଞ୍ଜୟ ପୁଗଲିଆ ଏବଂ ସେନଥିଲ ସିନିଆ ଚେଙ୍ଗଲଭରାୟଣ । ଏହି ତିନି ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦେଇ ଆଦାନୀ ଗ୍ରୁପ୍ ଏହି ବୋର୍ଡରେ ଏଂଟ୍ରି ମାରିଛି । ପ୍ରଣୟ ରୟ ଏବଂ ରାଧିକ ରୟ ଇସ୍ତଫା ଦେବାର ଦିନକ ପରେ ଆଦାନୀର ଇକ୍ୱିଟି କ୍ୟାପିଟାଲର ୯୯.୫ ପ୍ରତିଶତ ଅଂଶଧନ ଭିସିପିଏଲକୁ ଯାଇଛି । ଆଦାନି ଗ୍ରୁପର ମିଡିଆ ନେଟୱାର୍କ ହେଉଛି ବିଶ୍ୱପ୍ରଧାନ କମର୍ସିଆଲ ପ୍ରାଇଭେଟ୍ ଲିମିଟେଡ୍ । ତେଣୁ ଏବେ ପ୍ରଣୟ ଓ ରାଧିକାଙ୍କ ବିଶ୍ୱସ୍ତ କର୍ମଚାରୀ ଏନଡିଟିଭି ସହ ଯୋଡି ହୋଇ ରହିବେ କି ନାହିଁ ତାହା ମଧ୍ୟ ଏବେ ଆଶଙ୍କାରେ ।

ବିଜନେସ ଟୁଡେର ରିପୋର୍ଟ ଅନୁଯାୟୀ. ଏନଡିଟିଭିର ପ୍ରୋମଟର ଏବେ ବି ନ୍ୟୁଜ ଚ୍ୟାନେଲର ବୋର୍ଡରୁ ଇସ୍ତଫା ଦେଇନାହାନ୍ତି । ତାଙ୍କର ସେୟାର ୩୨.୨୬ ପ୍ରତିଶତ ରହିଛି । ଯାହା ଘୋଷଣା ହୋଇଛି ତାହା ଆରଆରପିଆର ଷ୍ଟକ ଏକ୍ସଚେଂଜର ଏକ ଫର୍ମ ଫିଲ ଅପରୁ ଜଣାପଡିଛି ।