ଝିମିଟି ଖେଳରୁ ମହାଭାରତ । କମେଣ୍ଟମରାକୁ ନେଇ ଦଶମ ଶ୍ରେଣୀ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ।

510

କନକ ବ୍ୟୁରୋ: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଝିମିଟି ଖେଳରୁ ମହାଭାରତ । ସାମାନ୍ୟ କମେଣ୍ଟମରାକୁ କେନ୍ଦ୍ର କରି ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି ଆଉ କିଛି ଛାତ୍ର । ସଂପୃକ୍ତ ଛାତ୍ର ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାରେ ଅଭିଯୁକ୍ତ ଛାତ୍ର ମାନଙ୍କୁ ଚିହ୍ନଟ କରି ଉଠାଇ ନେଇଛି ପୁଲିସ । ତେବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଛାତ୍ର ଏବେ ବି ଫେରାର ଅଛି । ତା ସହିତ ବିଦ୍ୟାଳୟ ନିକଟରେ ମଧ୍ୟ ସ୍ଥାନୀୟ ଲୋକେ ଘଟଣାର ପ୍ରତିବାଦ କରିଛନ୍ତି ।

  • ଝିମିଟି ଖେଳରୁ ମହାଭାରତ
  • କମେଣ୍ଟ ମରାକୁ ନେଇ ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ
  • ଜୀବନ ସହ ସଂଘର୍ଷ କରୁଛି ଛାତ୍ର

ବାଲିଅନ୍ତା ଥାନା ଜୟଦେବ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ବିଶ୍ୱରଞ୍ଜନ ବେହେରା । ସାମାନ୍ୟ କମେଣ୍ଟମରାକୁ କେନ୍ଦ୍ରକରି ତାଙ୍କ ଉପରେ ହୋଇଛି ସଂଘବଦ୍ଧ ଆକ୍ରମଣ । ବର୍ତ୍ତମାନ ଦଶମ ଶ୍ରେଣୀର ସମ୍ମେଟିଭ ପରୀକ୍ଷା ଚାଲିଛି । ଆଉ ଛାତ୍ରମାନେ ନିର୍ଧାରିତ କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ।

  • ବିଶ୍ୱରଂଜନ ଦୁଇଜଣ ସାଥିଙ୍କ ସହ ପରୀକ୍ଷା ଦେବାକୁ ଆସୁଥିଲେ
  • ଏହି ସମୟରେ ବିଶ୍ୱରଂଜନ ଓ ସାଥୀଙ୍କୁ କମେଂଟ ମାରିଥିଲେ ବକ୍ରେଶ୍ୱର ସ୍କୁଲର କିଛି ଛାତ୍ର
  • ଏହାକୁ ବିଶ୍ୱ ପ୍ରତିବାଦ କରିଥିଲେ, ଏଥିପାଇଁ ବିଶ୍ୱଙ୍କୁ ଧମକ ମିଳିଥିଲା
  • ପରୀକ୍ଷା ସରିବା ପରେ ସାଥିଙ୍କ ସହ ଘରକୁ ଫେରୁଥିଲେ ବିଶ୍ୱରଂଜନ
  • ବେଂଟପୁର ପେଟ୍ରୋଲ ପମ୍ପ ନିକଟରେ ବିଶ୍ୱଙ୍କୁ ସଂଘବଦ୍ଧ ଆକ୍ରମଣ
  • ବକ୍ରେଶ୍ୱର ହାଇସ୍କୁଲ ପିଲା ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ

ଏ ନେଇ ବିଶ୍ୱରଂଜନ ପରିବାର ଲୋକେ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତି ହୋଇଛନ୍ତି ବିଶ୍ୱ ।

  • କୁଆଡେ ଗଲା ମୁଖ୍ୟ ଅଭିଯୁକ୍ତ ?
  • ୪ ଛାତ୍ରଙ୍କୁ ଚିହ୍ନଟ କରି ପଚରାଉଚରା

ବାଲିଅନ୍ତାରେ ଏଭଳି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଶ୍ୱଙ୍କ ଉପରେ ଏଭଳି ଆକ୍ରମଣକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି । ବୁଧବାର ଦିନ ବକ୍ରେଶ୍ୱର ହାଇସ୍କୁଲର ଆକ୍ରମଣକାରୀ ଛାତ୍ର କାକରନ୍ଦ୍ରପୁର ପତିତପାବନ ହାଇସ୍କୁଲକୁ ପରୀକ୍ଷା ଦେବାକୁ ଆସିଥିଲେ । ଏହି ସମୟରେ ପରୀକ୍ଷା କେନ୍ଦ୍ର ବାହାରେ ବିଶ୍ୱଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଲୋକେ ଅପେକ୍ଷା କରିଥିଲେ । ପରୀକ୍ଷା ସରିବା ପରେ ଆକ୍ରମଣରେ ସଂପୃକ୍ତ ୪ଜଣ ଛାତ୍ରଙ୍କୁ ଚିହ୍ନଟ କରି ବାଲିଅନ୍ତା ଥାନାକୁ ଅଣାଯାଇଛି । ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଛାତ୍ର ଫେରାର ଅଛି । ଘଟଣା ଅତି ସମ୍ବେଦନଶୀଳ ଥିବାରୁ ପୁଲିସ ସତର୍କତାର ସହ ତଦନ୍ତକୁ ଆଗକୁ ବଢାଇଛି ।

ନାବାଳକ ଛାତ୍ରଙ୍କୁ ଆକ୍ରମଣ ନେଇ ଉତ୍ତେଜନା ଦେଖାଦେଇଛି । ଆକ୍ରମଣକାରୀ ଛାତ୍ରଙ୍କୁ ଧରିବାକୁ ପତିତପାବନ ସ୍କୁଲ ଆଗରେ ବି ଛକାପଂଝା ଦେଖିବାକୁ ମିଳିଥିଲା । ପୁଲିସ ଭିଡକୁ ନିୟନ୍ତ୍ରଣ କରି ଛାତ୍ରଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ।