ତାତିରୁ କେବେ ମିଳିବ ତ୍ରାହି । ୩୦ ତାରିଖ ଯାଏ ବିଭିନ୍ନ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ । ସାଢେ ୨ଟା ସୁଦ୍ଧା ଝାରସୁଗୁଡା ରାଜ୍ୟର ସବୁଠାରୁ ଉତପ୍ତ ସହର

189

କନକ ବ୍ୟୁରୋ : ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି । ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା ୩୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଦିନର ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବା ସହ ୪୫ ଡିିଗ୍ରୀ ଛୁଇଁବା ସମ୍ଭାବନା ରହିଛି । ଆଜି ପାଇଁ ୮ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, ୧୭ଟି ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଜାରି କରି ସତର୍କ କରାଇଛି ପାଣିପାଗ ବିଭାଗ । ସେହିଭଳି ୨୭ ତାରିଖ ଅର୍ଥାତ୍ ଆସନ୍ତାକାଲି ୧୧ଟି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ । ତେଣୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏହାସହ ୧୭ଟି ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଜାରି କରିଥିବା ଚିତ୍ରକୁ କହୁଛି, ୨୮ ତାରିଖରେ ସାରା ରାଜ୍ୟରେ ନିଆଁ ବର୍ଷା ହୋଇପାରେ । ୧୮ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଓ ୧୨ଟି ଜିଲ୍ଲାରେ ଅରେଂଜ ୱାର୍ଣ୍ଣିଂ ଦେଇ ଖରାକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ସେହିଭଳି ୨୯ ଓ ୩୦ ତାରିଖରେ ୮ଟି ଜିଲ୍ଲାରେ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ହେବା ନେଇ ଆକଳନ କରି ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଏବଂ ୧୫ଟି ଜିଲ୍ଲାକୁ ଅରେଂଜ ୱାଣ୍ଣିଂ ଜାରି ହୋଇଛି । ତେବେ ଆଜି ଦିନ ସାଢେ ୨ଟା ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରାରୁ ଝାରସୁଗୁଡା ଉତପ୍ତ ସହର ବୋଲି ଜଣାପଡିଛି । ଝାରସୁଗୁଡାରେ ସର୍ବାଧିକ ୪୩ ଡିଗ୍ରୀ ପାରଦ ରେକର୍ଡ ହୋଇଛି ।