ବ୍ରିଜରୁ କାହିଁକି ଡେଇଁ ପଡି଼ଲେ ଭିସୁଟ୍ ଛାତ୍ରୀ? ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

224

କନକ ବ୍ୟୁରୋ: ଗତକାଲି ପିସି ବ୍ରିଜରୁ ଡେଇଁ ପଡିଥିବା ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ଝିଅର ମୃତଦେହ ଦେଖିବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ଲୋକ । ପାଠ ପଢୁଆ ଝିଅର ଏଭଳି ଅସ୍ୱଭାବିକ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାନ୍ତି । ଗତକାଲି ରାତି ୯ଟା ସମୟରେ ଝିଅ ସହ କଥା ହୋଇଥିଲେ ମାଆ ଲବଙ୍ଗ ସାହୁ । ମାଆଙ୍କ ଅଭିଯୋଗ, ଝିଅ ସହ କଥା ହେଲାବେଳେ କେହି ତାଙ୍କ ତଣ୍ଟି ଚିପି ଦେଉଥିବା ଅନୁଭବ କରିଥିଲେ । ପରେ ଯେତେ ଫୋନ ଲଗାଇଲେ ବି କେହି ରିସିଭ କରିନଥିଲେ ବୋଲି କହିଛନ୍ତି ଚିନ୍ମୟୀଙ୍କ ମାଆ । ତେଣୁ ଝିଅକୁ କେହି ହତ୍ୟା କରିଥିବା ସେ ସନ୍ଦେହ ପ୍ରକାଶ କରିଛନ୍ତି ।

ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ଗତକାଲି ତାଙ୍କ ସହ ପିସି ବ୍ରିଜରେ ଥିବାବେଳେ ସହପାଠୀଙ୍କ ସହ ମିଶି ଝିଅକୁ ହତ୍ୟା କରିଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ଚିନ୍ମୟୀଙ୍କ ପରିବାର । ମୃତଦେହ ଚିହ୍ନଟ ବେଳେ ଚିନ୍ମୟୀଙ୍କ ତଣ୍ଟି ଚିପିଦେବାର ଦାଗ ରହିଥିବା କହିଛନ୍ତି ଭଉଣୀ ତନ୍ମୟୀ ସାହୁ । ଏପରିକି ତାଙ୍କ ବେକରୁ ସୁନା ଚେନ୍ ଗାଏବ ହୋଇଯାଇଛି । ପରିବାରର ଅଭିଯୋଗ ଆଧାରରେ ପୁରୁଷ ବନ୍ଧୁ ଓ ତାଙ୍କ ସାଥୀଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ପୋଲିସ ମଧ୍ୟ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତଦନ୍ତ ହେବ ବୋଲି କହିଛି ।

ଘଟଣାସ୍ଥଳରୁ ପୁରୁଷ ବନ୍ଧୁଙ୍କ ବାଇକ ଓ ଚିନ୍ମୟୀଙ୍କ ମୋବାଇଲକୁ ଜବତ କରିଛି ପୋଲିସ । ଚିନ୍ମୟୀ ଗତବର୍ଷ ଭିସୁଟରୁ ଆଇଟି ଟ୍ରେଡରେ ପାସ କରିଥିବାବେଳେ ଭୁବନେଶ୍ୱରରେ ଚାକିରି କରୁଥିଲେ । ଗତକାଲି ସମାବର୍ତ୍ତନ ଉତ୍ସବରେ ଯୋଗଦେବାକୁ ସେ ସମ୍ବଲପୁର ଯାଇଥିବାବେଳେ ରାତିରେ ଭୁବନେଶ୍ୱର ଫେରିଥାନ୍ତେ । ମାତ୍ର ତା ପୂର୍ବରୁ ଅଘଟଣ ଘଟିଲା ଓ ଆଜି ସକାଳୁ ଅଗ୍ନିଶମ ବାହିନୀ ତାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ । ଝିଅର ଅଚାନକ ମୃତ୍ୟୁରେ ପରବାର ଲୋକ ହତବାକ ହୋଇଯାଇଛନ୍ତି । ପ୍ରଶ୍ନ ଉଠୁଛି
– ସମାବର୍ତ୍ତନରେ ସାର୍ଟିଫିକେଟ୍ ନେବାକୁ ଆସି ବ୍ରିଜରୁ କାହିଁକି ଡେଇଁଲେ ଚିନ୍ମୟୀ?
– ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଫିଙ୍ଗିଦେଇଛି?
– ପରିବାର ଲୋକଙ୍କ ଅଭିଯୋଗରେ କେତେ ସତ୍ୟାସତ୍ୟ ରହିଛି?
– ଚିନ୍ମୟୀଙ୍କ ମୃତ୍ୟୁ ପଛରେ ପୁରୁଷ ବନ୍ଧୁଙ୍କ କିଛି ଭୂମିକା ରହିଛି କି?