ମନମୋହୁଛି ମହିଳାଙ୍କ ହାତ ତିଆରି ଟେରାକୋଟା ସାମଗ୍ରୀ । ୬ ମାସିଆ ତାଲିମ ନେଇ ମାଟିରେ ହାତୀ, ଘୋଡ଼ା, କଣ୍ଢେଇ ତିଆରି କରୁଛନ୍ତି ସାଲେପୁର ଅଂଚଳର ଏସଏଚଜି ମହିଳା

106

କନକ ବ୍ୟୁରୋ : କନକ ବ୍ୟୁରୋ : ମାଟି ମେଂଟାଏ ଭୋକ । ମାଟି ବୁଣିଦିଏ ମହକ । ମାଟି ସହ ମଣିଷର ରହିଛି ପୂରୁଣା ସମ୍ପର୍କ । ନୂଆ ରୂପ ଓ ନୂଆ ରଙ୍ଗ ନେଇ ସଜେଇ ହୋଇଛି ମାଟି । ନାଁ ତାର ଟେରାକୋଟା । ଶିଳ୍ପୀଙ୍କ ନିଖୁଣ କଳାରେ ଜୀବନ୍ତ ହୋଇଛି ମାଟିରେ ତିଆରି ସାମଗ୍ରୀ । ମାଟିରେ ଘୋଡ଼ା, ସିଂହ ହରିଣ, ପେନଷ୍ଟାଣ୍ଡ, କଣ୍ଢେଇ ଭଳି ସୁନ୍ଦର ସୁନ୍ଦର ସାମଗ୍ରୀ ତିଆରି କରୁଛନ୍ତି କଟକ ଜିଲ୍ଲା ସାଲେପୁର ବ୍ଲକ ଲୁଣାହାର ଗାଁର ମହିଳା ମାନେ । ସରକାରଙ୍କ ହସ୍ତଶିଳ୍ପ ଓ କୁଟିର ଶିଳ୍ପ ବିଭାଗ ପକ୍ଷରୁ ଠାରୁ ଏହି କାମ ପାଇଁ ୬ ମାସିଆ ତାଲିମ ନେଇଛନ୍ତି । ପ୍ରଶିକ୍ଷଣ ନେବା ପରେ ତିଆରି କରୁଛନ୍ତି ଘରସଜ୍ଜା ସାମଗ୍ରୀ ।

ରୁଦ୍ରପାଳ ଟେରାକୋଟା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଏକାଠି ହୋଇ ଏହି ସବୁ କାମ କରୁଛନ୍ତି । ଆର୍ଥିକ ସ୍ଥିିତିରେ ଉନ୍ନତି ଆଣିବା ପାଇଁ ମହିଳା ମାନେ ଟେରାକୋଟା କାମ ପାଇଁ ଅଂଟା ଭିଡ଼ିଛନ୍ତି । ନିଜେ ଆତ୍ମନିର୍ଭର ହେବା ସହ ପରିବାର ପ୍ରତିପୋଷଣରେ ସହାୟତା କରିପାରିବେ ବୋଲି ସେମାନେ କହିଛନ୍ତି । ଏହି ସବୁ ସାମଗ୍ରୀ ବିକ୍ରି କରି ଆଗକୁ ଭଲ ରୋଜଗାର କରିହେବ ବୋଲି ସେମାନେ ଆଶା ରଖିଛନ୍ତି । ଟେରାକୋଟା କାମର ଚାହିଦା ରହିଥିବା ବେଳେ ମହିଳାଙ୍କ ଏପରି ଉଦ୍ୟମ ଯୋଗୁଁ ଏହି ଶିଳ୍ପର ପ୍ରଚାର ପ୍ରସାର ହୋଇପାରୁଛି । ସରକାରଙ୍କ ପକ୍ଷରୁ କିଛି ସହାୟତା ମିଳିଲେ ଆଗକୁ ବ୍ୟବସାୟ ବଢିପାରନ୍ତା ବୋଲି କହିଛନ୍ତି ଗ୍ରୁପ ସଦସ୍ୟା ।

ଘରେ ବସି ସମୟ ନଷ୍ଟ କରିବା ଅପେକ୍ଷା ଟେରାକୋଟା କାମ କରି ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି ମହିଳା । ଯାହା ଅନ୍ୟ ମହିଳା ମାନଙ୍କ ପାଇଁ ପ୍ରେରଣା ପାଲଟିଛି ।